ପୃଷ୍ଠା:Aama Odia Byakarana.pdf/୫୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସର୍ବନାମ ପଦ

ରାମଚନ୍ଦ୍ର ଜଣେ ଉତ୍ତମ ରାଜା ଥିଲେ । ରାମଚନ୍ଦ୍ର ପ୍ରଜାମାନଙ୍କୁ ସୁଖରେ ରଖିବା ପାଇଁ ସର୍ବଦା ଚେଷ୍ଟା କରୁଥିଲେ । ପିତାମାତାଙ୍କ ପ୍ରତି ରାମଚନ୍ଦ୍ରଙ୍କର ଅଶେଷ ଭକ୍ତି ଥିଲା । ତେଣୁ ରାମଚନ୍ଦ୍ରଙ୍କୁ ଭଗବାନ୍‍ ବୋଲି କହନ୍ତି ।

ଉପର ଲେଖାରେ ‘ରାମଚନ୍ଦ୍ର’ ଗୋଟିଏ ବିଶେଷ୍ୟ ପଦ । ଏହି ବିଶେଷ୍ୟ ପଦଟି ବାରମ୍ବାର ବ୍ୟବହୃତ ହୋଇଥିବାରୁ ଶୁଣିବାକୁ ଭଲ ଲାଗୁନାହିଁ । ଏହାକୁ ଯଦି ଆମେ ନିମ୍ନ ପ୍ରକାରେ ଲେଖିବା, ତେବେ ଶୁଣିବାକୁ ଭଲ ଲାଗିବ-

ରାମଚନ୍ଦ୍ର ଜଣେ ଉତ୍ତମ ରାଜା ଥିଲେ । ସେ ପ୍ରଜାମାନଙ୍କୁ ସୁଖରେ ରଖିବାପାଇଁ ସର୍ବଦା ଚେଷ୍ଟା କରୁଥିଲେ । ପିତାମାତାଙ୍କ ପ୍ରତି ତାଙ୍କର ଅଶେଷ ଭକ୍ତି ଥିଲା । ତେଣୁ ତାଙ୍କୁ ଭଗବାନ୍‍ ବୋଲି କହନ୍ତି ।

ଏଠାରେ ସେ, ତାଙ୍କର, ତାଙ୍କୁ- ଏଗୁଡ଼ିକ ସର୍ବନାମ ପଦ । କାରଣ ଏଗୁଡ଼ିକ ରାମଚନ୍ଦ୍ର, ରାମଚନ୍ଦ୍ରଙ୍କର, ରାମଚନ୍ଦ୍ରଙ୍କ-ୁ ଏହି ବିଶେଷ୍ୟ ପଦଗୁଡ଼ିକର ପରିବର୍ତ୍ତେ ବ୍ୟବହୃତ ହୋଇଛି ।

ଯେଉଁ ପଦ ବିଶେଷ୍ୟ ପଦ ପରିବର୍ତ୍ତେ ବ୍ୟବହୃତ ହୁଏ, ତାହାକୁ ସର୍ବନାମ ପଦ କହନ୍ତି ।

ସେ, ତାହା, ଏ, ଏହା, କିଏ, କଅଣ, ଯେ, ଯାହା, ମୁଁ, ତୁମେ, ଆପଣ ପ୍ରଭୃତି ସର୍ବନାମ ପଦ । କାରଣ ଏଗୁଡ଼ିକ ବିଶେଷ୍ୟପଦର ପରିବର୍ତ୍ତେ ବ୍ୟବହୃତ ହୁଅନ୍ତି ।

ଆମ ଓଡ଼ିଆ ବ୍ୟାକରଣ ■ ୫୫