ପୃଷ୍ଠା:Aama Parala Gajapati.pdf/୮୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆପାତତଃ ଗଜପତି କୃଷ୍ଣଚନ୍ଦ୍ରଙ୍କ ଉଦ୍ୟମ ସଫଳ ହୋଇଥିଲା । ତାଙ୍କର ପ୍ରରୋଚନା ଏବଂ ପ୍ରଚୋଦନା କ୍ରମେ ସାଇମନ୍ କମିଶନ୍‌ଙ୍କୁ ସ୍ୱାଗତ କରାଯିବା ସମେତ ଯୁକ୍ତିଯୁକ୍ତ ବଳିଷ୍ଠ ସାକ୍ଷ୍ୟ ପ୍ରଦାନର ପରିଣାମ ସ୍ବରୂପ ଗୋରା କମିଶନର ହୃଦ୍‌ବୋଧ ହୋଇଥିଲା ଯେ ପ୍ରକୃତରେ ଓଡ଼ିଆମାନେ ବିଭିନ୍ନ ପ୍ରାଦେଶିକ ଶାସନରେ ସଂଖ୍ୟାଲଘୁ ହିସାବରେ କାଳାତିପାତ କରି ଅବହେଳିତ ଅବସ୍ଥାରେ ରହିଛନ୍ତି । ସେମାନଙ୍କର ଯଥାର୍ଥ ହୃଦବୋଧ ହୋଇଥିଲା ଯେ ଭାରତର ବିଭିନ୍ନ ପ୍ରଦେଶ ମଧ୍ୟରୁ ବିହାର-ଓଡ଼ିଶା ପ୍ରଦେଶର ଗଠନ କେବଳ ଭ୍ରମାତ୍ମକ ନୁହେଁ, ଅପ୍ରାକୃତିକ ମଧ୍ୟ । ଭାଷା, ଜାତି, ସଂସ୍କୃତି ଏବଂ ସର୍ବୋପରି ପ୍ରାକୃତିକ ଗଠନ ଇତ୍ୟାଦି ସବୁ ଦୃଷ୍ଟିରୁ ଦେଖିଲେ ଏହି ପ୍ରଦେଶରେ ତିନୋଟି ଭୌଗୋଳିକ ଅଞ୍ଚଳ ପରସ୍ପରଠାରୁ ବହୁ ଭାବରେ ସ୍ୱତନ୍ତ୍ର ମନେହୁଏ । ପ୍ରଦେଶର ରାଜଧାନୀ ପାଟଣାଠାରେ କମିଶନକୁ ସାକ୍ଷାତ କରିବାପାଇଁ ଓଡ଼ିଶାର ପ୍ରତିନିଧିଗଣଙ୍କୁ ଅନ୍ୟ ଏକ ପ୍ରଦେଶ-ବଙ୍ଗ ପ୍ରାଦେଶିକ ସୀମାଦେଇ ଆସିବାକୁ ହୋଇଥିଲା । ତଦ୍‌ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା । ଏହି ତଥ୍ୟ କମିଶନର ସଦସ୍ୟଗଣଙ୍କୁ ଓଡ଼ିଆମାନଙ୍କର ସାଧାରଣ ଅବସ୍ଥା ଆକଳନପାଇଁ ଯଥେଷ୍ଟ ସହାୟକ ହୋଇଥିଲା । ସ୍ୱାଗତଂ ସାଇମନ୍ ଧ୍ବନି ଏବଂ ପୁରାତନ ନଗରୀ ପାଟଳିପୁତ୍ରକୁ ସ୍ବାଗତ ସମ୍ଭାଷଣରେ ପୁଲକିତ ଗୋରା କମିଶନର ସଭ୍ୟଗଣଙ୍କ ହୃଦୟ ଓଡ଼ିଆଙ୍କ ଦୁଃସ୍ଥିତି ସଂପର୍କିତ ତଥ୍ୟାବଳୀରେ ଦୟାର୍ଦ୍ରୀଭୂତ ହୋଇଯାଇଥିଲା ଏବଂ କମିଶନ୍‌ଙ୍କ ଆନ୍ତରିକ ଅଭିବ୍ୟକ୍ତି ଥିଲା- ଓଡ଼ିଆଭାଷୀ ଲୋକଙ୍କ ସମସ୍ୟା ବାସ୍ତବରେ ଅତ୍ୟଧିକ ଏବଂ ତାହାର ପ୍ରତିକାରର ପନ୍ଥା ବିଚାର କରାଯିବା ଏକାନ୍ତ ଜରୁରୀ ।

ଅନୁସନ୍ଧାନ ସମୟରେ କମିଶନ୍‌ଙ୍କ ସେଇ ଆନ୍ତରିକ ଅନୁଭବ ଯୋଗୁଁ ହିଁ ତତ୍ ସଂପର୍କରେ ଅଧିକ ବିଚାର ବିମର୍ଶ ଏବଂ ଅନୁଧ୍ୟାନ ପାଇଁ ତତ୍‌କାଳ ସେମାନେ ଜାତୀୟ ସ୍ତରୀୟ ଉପକମିଟିଟିଏ ଗଠନ କରିଥିଲେ । ତାହାର ଅଧ୍ୟକ୍ଷ ଦାୟିତ୍ୱ ଅର୍ପିତ ହୋଇଥିଲା ରାଜକୀୟ କମିଶନ୍‌ର ଅନ୍ୟତମ ସଭ୍ୟ ମେଜର ଅଟଲିଙ୍କ ଉପରେ । ପ୍ରାଦେଶିକ ସରକାରଙ୍କ ତରଫରୁ କନିକା ରାଜା ଏବଂ ଲକ୍ଷ୍ମୀଧର ମହାନ୍ତିଙ୍କ ସମେତ କେନ୍ଦ୍ର ସରକାରଙ୍କ ପ୍ରତିନିଧି ରୂପେ ଶ୍ରୀଯୁକ୍ତ ସୁରାଓର୍ଦ୍ଧି- ଏହି ତିନିଜଣ ସଭ୍ୟ ଅଟଲି ସବ୍ କମିଟିରେ ଅନ୍ତର୍ଭୁକ୍ତ ହୋଇଥିଲେ । ସ୍ୱାଧୀନ ଭାବରେ ସ୍ୱତନ୍ତ୍ର ଓଡ଼ିଶା ଦାବିର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସାଇମନ୍ କମିଶନ୍‌କୁ ମତାମତ ଦେବା ଥିଲା ଏହି କମିଟିର ଲକ୍ଷ୍ୟ । ସେଥିପାଇଁ ସେମାନେ ବିଭିନ୍ନ ଓଡ଼ିଆ ଅଞ୍ଚଳ ଗସ୍ତକରି ସାକ୍ଷ୍ୟ ଗ୍ରହଣ କରିବାପାଇଁ ଯୋଜନା କରିଥିଲେ ।

ସେତିକିବେଳେ ମହାରାଜା କୃଷ୍ଣଚନ୍ଦ୍ର ତାହାଙ୍କର ସମର୍ଥକଗଣଙ୍କୁ ନେଇ ସାଧାରଣ ଜନମତ ସୃଷ୍ଟି କରିବାରେ ଏବଂ ଯଥାର୍ଥ ଭାବେ ଉପସ୍ଥାପିତ କରିବାରେ ତତ୍‌ପର ହୋଇଉଠିଥିଲେ । ଅଟଲି ସବ୍‌କମିଟି ଉପାନ୍ତ ଅଞ୍ଚଳସବୁ ଗସ୍ତ କରିବା ଅବସରରେ ବିଭିନ୍ନ ସ୍ତରରୁ ପ୍ରତ୍ୟକ୍ଷ ଭାବେ ଦାବି, ସ୍ମାରକପତ୍ର ତଥା ଜନଗଣଙ୍କ ମତାମତ ସଂଗ୍ରହ କରିବା ସଂଗେସଂଗେ ଦେଶ