ପୃଷ୍ଠା:Aama Parala Gajapati.pdf/୯୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହାନିଲାଭ ବା ସୁଖ ଦୁଃଖ ପ୍ରତି ସରକାରୀ ଦୃଷ୍ଟି ଆକର୍ଷଣ ଆଦୌ ସହଜ ଭାବରେ ହୋଇପାରେ ନାହିଁ । ସେମାନଙ୍କ ଦାବି କିମ୍ବା ଅଭିଯୋଗର ସ୍ୱର ଅତି କ୍ଷୀଣ ଭାବରେ ଶୁଣାଯାଏ । ଅନ୍ୟାନ୍ୟ ଭାଷାଭାଷୀ ଲୋକଙ୍କର ସଂଖ୍ୟାଗରିଷ୍ଠତା ମଧ୍ୟରେ ସେମାନେ କୁଆଡ଼େ ହଜିଯାଅନ୍ତି ।

ଭଦ୍ର ମହୋଦୟଗଣ ! ମୁଁ ଆଶା କରୁଛି ଆପଣମାନେ ଓଡ଼ିଆମାନଙ୍କର ଏହି ଦୂରବସ୍ଥା ସଂପର୍କରେ ଏବଂ ସେମାନଙ୍କ ସମୁଚିତ ଦାବି ସଂପର୍କରେ ନିଶ୍ଚିତ ରୂପେ ସହାନୁଭୂତିର ସହିତ ବିଚାର କରିବେ । ବହୁ ସରକାରୀ ପ୍ରତିନିଧି ଇତିପୁର୍ବରୁ ଏହି ଦାବିକୁ ବାରମ୍ବାର ସମର୍ଥନ କରିଆସିଛନ୍ତି । ଆମରି ମଙ୍ଗଳପାଇଁ ଭାଷା ଓ ଜାତି ଭିତ୍ତିରେ ଗଠିତ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଆମ୍ଭେମାନେ ଆଶା କରୁଛୁ । ସେତିକି ପାଇଲେ ଯାଇ ଆମେ ସନ୍ତୋଷ ଓ ଶାନ୍ତି ଲାଭ କରିବୁ । ବ୍ରିଟିଶ୍ ଓ ଭାରତୀୟ ରାଜନୀତିଜ୍ଞମାନେ ଭାରତବର୍ଷ ଲାଗି ଯେଉଁସବୁ ସଂସ୍କାରମୂଳକ କାର୍ଯ୍ୟାନୁଷ୍ଠାନମାନ ଆରମ୍ଭ କରିଛନ୍ତି ଏବଂ ପୁଣି ଭବିଷ୍ୟତରେ ବିଭିନ୍ନ ରାଜ୍ୟ ସମନ୍ବୟରେ ଭାରତବର୍ଷରେ ଯେଉଁ ରାଷ୍ଟ୍ରସଂଘ ଗଠିତ ହେବ ତଥା କ୍ଷୁଦ୍ର ରାଜ୍ୟଗୁଡ଼ିକ ମଧ୍ୟ ଭାଷା ଓ ଗୋଷ୍ଠୀ ଭିତ୍ତିରେ ପୁନର୍ଗଠିତ ହେବ ସେତେବେଳେ ଯଦି ଓଡ଼ିଆମାନେ ଆପଣାର ଲାଗି ଗୋଟିଏ ପ୍ରଦେଶ ପାଇପାରି ନଥିବେ ତେବେ ସେଇଳି ରାଷ୍ଟ୍ରସଂଘରୁ ସେମାନେ କୌଣସି ଉପକାର ପାଇପାରିବେ ନାହିଁ । ଯଦି ଏହି ଦଶ ନିୟୁତ ଓଡ଼ିଆ ଗୋଟିଏ ସ୍ୱତନ୍ତ୍ର ପ୍ରଦେଶ ଲାଭ ନକରନ୍ତି ତେବେ ଆପଣମାନେ ଏଠାରେ ପ୍ରଦେଶଗୁଡ଼ିକରେ ଯେଉଁ ସାର୍ବଭୌମ କ୍ଷମତାସଂପନ୍ନ ପାର୍ଲ୍ୟାମେଣ୍ଟାରୀ ଶାସନ ସଂସ୍ଥାଗଢ଼ିବାକୁ ବିଚାର ଆଲୋଚନା ଚଳାଇଛନ୍ତି ସେଥିରେ ସେମାନଙ୍କର ପ୍ରଭୂତ କ୍ଷତି ସାଧିତ ହେବ ।

ଏପର୍ଯ୍ୟନ୍ତ ଆମ୍ଭେମାନେ ବହୁ ଧୈର୍ଯ୍ୟର ସହିତ ଅପେକ୍ଷା କରିରହିଛୁ । ଆମର ସମସ୍ତ ଆନୁଗତ୍ୟ ଭାରତ ସମ୍ରାଟଙ୍କ ପ୍ରତି ପ୍ରକାଶକରି ଆମ୍ଭେମାନେ ତାଙ୍କ ନିକଟରୁ ସର୍ବଦା ନ୍ୟାୟ ବିଚାର, ସହାନୁଭୂତି ଏବଂ ସଦୟ ବ୍ୟବହାର ଆଶା କରିଆସିଛୁ । ଆମ୍ଭମାନଙ୍କ ସପକ୍ଷରେ ଲର୍ଡ଼ କର୍ଜନ କହିଥିଲେ- ‘‘ଓଡ଼ିଆମାନେ ଯଦି ବିଦ୍ରୋହ ମନୋଭାବାପନ୍ନ ହୋଇଥାନ୍ତେ- (ଏବଂ ସେମାନେ ତାହା ଆଦୌ ନୁହନ୍ତି) ତେବେ ସେମାନେ ସେମାନଙ୍କ ନ୍ୟାଯ୍ୟଦାବି କେଉଁ କାଳରୁ ଉଚ୍ଚକଣ୍ଠରେ ଶୁଣାଇସାରିଥାଆନ୍ତେ । କିନ୍ତୁ ଯାହା ଦେଖାଯାଇଛି ସେମାନଙ୍କ ସ୍ୱାର୍ଥ ବିନାଦ୍ବିଧାରେ ବଳି ଦିଆଯାଇଛି ।’’

ଏହି ବୈଠକରେ ଆପଣମାନେ ଓଡ଼ିଆମାନଙ୍କ ସମସ୍ୟା ନେଇ ସୁବିଚାର କରିବେ ବୋଲି ମୁଁ ଆଶା କରୁଛି । ନିଶ୍ଚିତ ରୂପେ ଆପଣମାନଙ୍କୁ ଅବଗତ ଥିବ ଯେ ସାଇମନ୍ କମିଶନ, ଭାରତ ସରକାର ଏବଂ ସଂପୃକ୍ତ ପ୍ରାଦେଶିକ ସରକାର ଏହି ପ୍ରଶ୍ନ ସମାଧାନର ତୁରନ୍ତ ଆବଶ୍ୟକତାକୁ ସ୍ୱୀକାର କରିଛନ୍ତି । ସେମାନେ ଓଡ଼ିଆମାନଙ୍କ ଲାଗି ଏକ ସ୍ୱତନ୍ତ୍ର ପ୍ରଦେଶ ମଞ୍ଜୁର କରିବା ଦିଗରେ କେବଳ ଗୋଟିଏ ପ୍ରତିବନ୍ଧକ ରହିଛି ବୋଲି ମନେକରନ୍ତି- ତାହା ହେଉଛି ରାଜସ୍ୱଜନିତ ।