ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଭକ୍ତ କବିବର ଶ୍ରୀ ଜଗନ୍ନାଥ ଦାସ
ଉତ୍କଳର ବ୍ୟାସ ଜଗନ୍ନାଥ ଦାସ
ବିଷ୍ଣୁ ଅଂଶେ ଅବତାର,
ଭକତ-ପ୍ରଧାନ ଗୂଢ ଦିବ୍ୟ ଜ୍ଞାନ
କଲ ସ୍ବଦେଶେ ପ୍ରଚାର ।
ବେଦ-ମହୋଦଧି ବ୍ୟାସ ତପୋନିଧି
ମନ୍ଥି ଯେ ତତ୍ତ୍ବ ସକଳେ,
ଉଦ୍ଧରି ପୁରାଣେ ନାନା ଉପାଖ୍ୟାନେ
ପ୍ରକାଶିଥିଲେ ସରଳେ ।
ସଂକ୍ଷିପ୍ତ ସଂସ୍କୃତି ଅମୁଲ୍ୟ ଆଧାରେ
ଥିଲା ସେ ଅମିୟ ରସ,
ସର୍ବେ ଦୁଃଖୀ ଧନୀ ପଣ୍ଡିତ ଅଜ୍ଞାନୀ
ନ ପାଇଲେ ସମ ଅଂଶ ।
ତେଣୁ ବାରସ୍କନ୍ଧ 'ପ୍ରାକୃତ ପ୍ରବନ୍ଧ'
ଗୀତେ କଲ ପରକାଶ,
ଥିବାଯାଏ ଭାଷା ଗାଇବ ଓଡିଶା
“କହେ(କହଇ) ଜଗନ୍ନାଥ ଦାସ"।