ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅବକାଶ-ଚିନ୍ତା

ଯୌବନ ସରସେ ନାହିଁ ଲାବଣ୍ୟ-ତରଙ୍ଗ,
ସରସ ବସନ୍ତେ ସ୍ଫୁଟ ହୋଇନାହିଁ ଅଙ୍ଗ,

ଅନ୍ତର ନିହିତ ମଧୁ ଦେଇନାହିଁ ଦେଖା,
ଯୁବତୀ ପଦରେ ଧନୀ ହୋଇନାହିଁ ଲେଖା ।

ପ୍ରଣୟୀ ଭ୍ରମର ତେଣୁ କେବେ କେବେ ଆସେ,
ଭ୍ରମଇ ଏକାନ୍ତେ ବାଳବଳିକା ସକାଶେ ।

ଗୁଣୁ ଗୁଣୁ ସ୍ବରେ ଅତି ଅପ୍ରକଟ ତାନେ,
ନିତି ନୀତି ଉପଦେଶ କହଇ ତା କାନେ ।

ତାହାର ଶୈଶବ ତନୁ କେବେ ନ ପରଶେ,
ଭବିଷ୍ୟର ସୁଖ ଚିତ୍ର ଅଙ୍କଇ ମାନସେ;

କରେ ଅନୁକ୍ଷଣ ଭାବୀ-ପ୍ରମୋଦ କଳ୍ପନା,
ନ ଜାଣି ସମୟେ ହେବ ଆସି କି ଘଟନା ।

ଆହା କି ବିଚିତ୍ର ଭବେ ବିଧାତା ବିଚାର,
ଆହ୍ଲାଦ ସଙ୍ଗତେ ଥାଏ କଷଣ ଅପାର ।

ବସନ୍ତ ପ୍ରଦୋଷେ ଯେବେ ଫୁଟିଲା ସେ କଳି,
ପାନ୍ଥ ପଦେ ଦଳିହୋଇ ନାଶ ଗଲା ଅଳି ।

ଫୁଲ ପ୍ରକଟିତ ବାସେ ପ୍ରୟୋଜନ କିସ?
ହୋଇଲା ସରସ ମଧୁ ଏବେ ସିନା ବିଷ!

ମଧୁ ପିଇବାକୁ ଏଥି ନାହିଁ ତ ମଧୂପ,
ରସିକ ନ ଥିଲେ କିଏ ଆଦରେ ଏ ରୂପ?

ବନ-ନିବାସିନୀ ମଲ୍ଲୀ ଏ ନବ ଯୌବନେ,
ଏକାକିନୀ ଅନାଇଛି ଅନନ୍ତ ଗଗନେ ।

[ ୮୪ ]