ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଅନାଥା କଳିକା


ନୀରବେ ଶିଶିର-ଅଶ୍ରୁ ଗଳି ନୟନୁଁ,
କମ୍ପେ ବିଧୂରାର ଆହା ନିରାଶ୍ରୟ ତନୁ ।

ଗୁପତେ ବାହୁନି କି ସେ କରଇ ବିଳାପ,
ପାଷାଣ ମାନବ-ହୃଦ ଜାଣେ କି ସେ ତାପ?

ସହୃଦୟେ କେହି ଥରେ ନ ପକାଏ ଦୃଷ୍ଟି,
ଧରାଧାମେ ଅକାରଣ ହେଲା କି ତା ସୃଷ୍ଟି?

ବୃଥା ଶୋକ ପରିହର ମଲ୍ଲିକା-ସୁନ୍ଦରୀ,
ଧୈର୍ଯ୍ୟ ଧର ଏବେ ତୁମ ଅଦୃଷ୍ଟ ସୁମରି ।

ସୁମନ ସମାଜ ହୃଦେ ନାହିଁ ଦୟା ଲେଶ,
ନ ଶୁଣନ୍ତୁ ତୋ ବିଳାପ ନ ଜାଣନ୍ତି କ୍ଲେଶ ।

ପ୍ରଣୟର ସ୍ଥାନ ନୁହେ ଏ ସଂସାର ଏକା,
ପ୍ରେମେ ପ୍ରଣୟୀ ସଙ୍ଗତେ ହେବ ସ୍ବର୍ଗେ ଦେଖା ।

ଏହି ଦିବ୍ୟ ସାନ୍ତ୍ବନାରେ ଆଶ୍ବାସିଣ ମନେ,
କ୍ଷଣେ ଏଥି ରହି ଚଳ ଅମର ଭୁବନେ ।

[ ୮୫ ]