ପୃଷ୍ଠା:Ama Deha (BB Patnaik 1940) o.pdf/୧୧୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୦୨
ଆମ ଦେହ

ପାର୍ଥତୀର୍ଥକ ଗ୍ରନ୍ଥିର ପଛ ଅଂଶରୁ ଯେଉଁ ଅନ୍ତଃସ୍ରାବ ବାହାରେ, ତାହା ଧମନୀ, ଜରାୟୁ (Uterus), ମୂତ୍ରସ୍ଥଳୀ (Bladder), ପାକସ୍ଥଳୀ ଆଦିରେ ଥିବା ସ୍ୱାଧୀନ ମାଂସପେଶୀର ସ୍ଥିତିସ୍ଥାପକ ଗୁଣକୁ ସ୍ୱାଭାବିକ ଅବସ୍ଥାରେ ରଖେ । ଏହା ମଧ୍ୟ ରକ୍ତର ଚାପକୁ (Blood Pressure) ସର୍ବଦା ନିର୍ଦ୍ଦିଷ୍ଟ ଅବସ୍ଥାର ରଖିବାରେ ସାହାଯ୍ୟ କରେ ।

ଅଧିବୃକ୍କୀୟ ଗ୍ରନ୍ଥି (Suprarenal Gland):-ଏହା ବୃକ୍କଉପରେ ଠିକ୍ ଟୋପି ପରି ରହିଅଛି । କଷ୍ଟ, ଦୁଃଖ, ରାଗ, ଭୟ କିମ୍ବା ଆନନ୍ଦ ସମୟରେ ମନୁଷ୍ୟର ଏକ ପ୍ରକାର ଉଦ୍‌ବେଗ ଆସେ । ସେତେବେଳେ ଏହି ଗ୍ରନ୍ଥିରୁ ଅନ୍ତଃସ୍ରାବ ବେଶୀ ବାହାରି ରକ୍ତରେ ମିଶେ, ତେଣୁ ହୃଦଯନ୍ତ୍ର ଶୀଘ୍ର ଶୀଘ୍ର ଚାଲେ, ରକ୍ତଚାପ ଓ ଦେହର ଉତ୍ତାପ ବଢ଼େ, ଜ୍ଞାନେନ୍ଦ୍ରିୟବୃତ୍ତି ତୀକ୍ଷ୍ଣତର ହୁଏ ଏବଂ ଦେହ ଭିତରେ ଗୋଟାଏ ଜୋର ଆସେ । ରାଗିଗଲେ ମୁହଁ ଲାଲ ପଡ଼ିଯାଏ ଏବଂ ଦେହ ଥରେ । ଏହାର କାରଣ ଏହି ଯେ, ସେତେବେଳେ ଏହି ରସ ବେଶୀ ବାହାରିବାରୁ ରକ୍ତଚାପ, ବଢ଼ିଯାଏ ।

କୈଶୋର ଗ୍ରନ୍ଥି (Pineal Gland):-ଏହି ଗ୍ରନ୍ଥି ମସ୍ତିଷ୍କର ମୂଳରେ ଅଛି । ପିଲାଙ୍କର ବୟସ ଲାଗିଲାବେଳେ ଏହା ଆକାରରେ ବଢ଼ିଯାଏ; କିନ୍ତୁ ତେଣିକି ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହାର ଆକାର କମିବାକୁ ଲାଗେ । ବୟସ ଲାଗିଲାବେଳେ ଦେହ, ମନ ଓ ଜନନେନ୍ଦ୍ରିୟର ଯେଉଁ ସବୁ ପରିବର୍ତ୍ତନ ଘଟିଥାଏ, ତାହା ଏହାରିଦ୍ୱାରା ହୋଇଥାଏ ।