ପୃଷ୍ଠା:Ama Deha (BB Patnaik 1940) o.pdf/୬୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଶ୍ୱାସ‌ଯନ୍ତ୍ର

ରକ୍ତରେ ଅଙ୍ଗାରକାମ୍ଳ ମିଶିଲେ ରକ୍ତ ଲାଲ ଦେଖା ନ ଯାଇ କଳାଆସିଆ ଦେଖାଯାଏ । ଏହି କଳା ମଇଳା ରକ୍ତ ହୃଦ‌ଯନ୍ତ୍ର ବାଟେ ଫୁସ୍‌ଫୁସ୍‌କୁ ଆସେ । ଫୁସ୍‌ଫୁସ୍‌ଠାରେ ରକ୍ତରୁ ଅଙ୍ଗାରକାମ ବାହାରିଯାଏ ଏବଂ ତ‌ହିଁକି ଅମ୍ଳଜାନ ଚାଲିଆସେ । ଅମ୍ଳଜାନ ମିଶିବାରୁ ଶୋଣିମା ପୁଣି ନିଜ ରୂପ ଧରି ରକ୍ତକୁ ଲାଲ କରିଦିଏ ।

ଅମ୍ଳଜାନ କିପରି ରକ୍ତକୁ ଯାଏ ଓ କୋଷରେ ତାହା କଣ କରେ ଏବଂ ଅଙ୍ଗାରକାମ୍ଳ କେଉଁଆଡ଼ୁ କୋଷକୁ ଆସେ, ଏ କଥା ତଳେ କୁହାଗଲା ।

ଆମ୍ଭେମାନେ ପବନରୁ ଅମ୍ଳଜାନ ପାଉଁ । ପବନ ମୌଳିକ ପଦାର୍ଥ ନୁହେ । ଯବକ୍ଷାରଜାନ (Nitrogen) ଏବଂ ଅମ୍ଳଜାନ (Oxygen) ପବନର ପ୍ରଧାନ ଉପାଦାନ । ସଂସାରରେ ଯେତେ ଯେତେ ଜିନିଷ ଅଛି, ସେ ସବୁଠାରୁ ଅମ୍ଳଜାନ ଆମର ବେଶୀ ଦରକାରୀ । ଏହା ବିନା ଅମ୍ଭେମାନେ ମୁହୂର୍ତ୍ତେ ବି ବଞ୍ଚି ପାରିବା ନାହିଁ । ଏଥିପାଇଁ ଆମ ପୂର୍ବ ପୁରୁଷମାନେ ଏହାର ନାମ ବିଷ୍ଣୁ ପଦାମୃତ ଦେଇଅଛନ୍ତି । ନିଃଶ୍ୱାସ ବାଟେ ପବନ ଫୁସ୍‌ଫୁସ୍ ଭିତରକୁ ଯାଏ । ତ‌ହିଁରେ ଥିବା ଅମ୍ଳଜାନ ରକ୍ତରେ ମିଶେ । ପ୍ରତି ମିନିଟରେ ଆମ୍ଭେମାନେ ୧୭|୧୮ ଥର ନିଶ୍ୱାସ ନେଉଁ । ଶ୍ୱାସ‌ଯନ୍ତ୍ର ଏହି କାର୍ଯ୍ୟ କରେ ।

ଶ୍ୱାସଯନ୍ତ୍ର (Respiratory Organ) :- ନାକଠାରୁ ଆରମ୍ଭ କରି ଫୁସ୍‌ଫୁସ୍ ପର୍ଯ୍ୟନ୍ତ ଅଂଶକୁ ଶ୍ୱାସଯନ୍ତ୍ର କୁହାଯାଏ । ଏହା ନାସାରନ୍ଧ୍ର, ଗଳକକ୍ଷ, କଣ୍ଠନାଳୀ, ଶ୍ୱାସନାଳୀ, କ୍ଳୋମନାଳୀ ଏବଂ ଫୁସ୍‌ଫୁସ୍ ଏହି ଛଅ ଭାଗରେ ବିଭକ୍ତ ।