ସେଇବାଟେ ସମୁଦ୍ରରୁ ଲୁଣପାଣି ସହିତ ମାଛ କଙ୍କଡା ପଭୃତି ଜଳଜୀବ ଚିଲିଲା ଭିତରକୁ ପଶି ଆସନ୍ତି । ସେହି ମୁହାଣ ଥିଲା ଭାରି ଘାଟି ଜାଗା । ସେଠାରେ ମରହଟ୍ଟାମାନେ ଫତେ ମହମ୍ମଦଙ୍କୁ ଜଗାଇ ରଖିଥିଲେ । ଇଂରେଜ ସେନାପତି ତାଙ୍କୁ ହାତକରି ତାଙ୍କଠାରୁ ସେ ମୁହାଣ ପାରିହେବାଠାରୁ ଯେତେ ଯାହା ବାଟଘାଟ ସବୁ ବୁଝିଥିଲେ ।
ଇଂରେଜ ସୈନ୍ୟ ଓ ସେନାପତିଙ୍କୁ ସେହି ମୁହାଣଟି ପାରିହେବା ପାଇଁ ବହୁ କଷ୍ଟ ସହିବାକୁ ପଡ଼ିଲା । ଦୁଇଦିନ ଲାଗିଗଲା । ସେମାନେ ତା ପରେ ପୁରୀ ଆଡ଼କୁ ଆଗେଇଲେ ।
ଫତେ ମହମ୍ମଦ ଇଂରେଜମାନଙ୍କୁ ସାହାଯ୍ୟ କରିଥିବାରୁ ଓଡ଼ିଶା ଦଖଲ ପରେ ସେମାନେ ତାଙ୍କୁ ଚିଲିକା ହ୍ରଦ ଭିତରେ ଥିବା ମାଲୁଦ ଦ୍ୱୀପର ଜାଗିରଦାର କରି ଦେଇଥିଲେ । ଏହାକୁ ଲୋକେ ନିମିକାହାରାମ ଜାଗିର ବୋଲି କହନ୍ତି ।
ଏହାପରେ ଇଂରେଜ ସେନାପତି ଦେଖିଲେ ଯେ ତାଙ୍କ ରାସ୍ତାର ପାଞ୍ଚଭାଗରୁ ଚାରି ଭାଗ ଖୋର୍ଦ୍ଧା ରାଜ୍ୟରେ ଅବସ୍ଥିତ । ତେଣୁ ଖୋର୍ଦ୍ଧା ରାଜାଙ୍କୁ ଏକଲକ୍ଷ ଟଙ୍କା ଯାଚି ସୁବିଧାରେ ସେଇବାଟରେ ଯିବା ପାଇଁ ଅନୁମତି ମାଗିଲେ । ଜୟୀ ରାଜଗୁରୁ ଏଥିରେ ରାଜି ହୋଇ ନ ଥିଲେ । ପରେ ଏତେ ଟଙ୍କା ଆଉ କେତେକ ଅଞ୍ଚଳ ପାଇବା ଆଶାରେ ଫିରିଙ୍ଗ ଫଊଜକୁ ରାସ୍ତା ଛାଡ଼ିଦିଆଗଲା ।
ଦୁଇଦିନ ଭିତରେ ଇଂରେଜ ଫଉଜ ପୁରୀସହରରେ ପହଞ୍ଚିଗଲେ । ବାଟରେ କେଉଁଠି ମରହଟ୍ଟା ସୈନ୍ୟଙ୍କଠାରୁ ବେଶୀ କିଛି ବାଧା ମିଳି ନଥିଲା । ସେତେବେଳେ ପୁରୀରେ ଅଳ୍ପ କେତେକ ମରହଟ୍ଟା ସୈନ୍ୟ ଥିଲେ । ସେମେନେ ଇଂରେଜ ସୈନ୍ୟମାନଙ୍କ ସହିତ କିଛି ସମୟ ଲଢ଼ିଥିଲେ । କିନ୍ତୁ ଇଂରେଜମାନଙ୍କ ସୈନ୍ୟବଳ ଆଉ ଗୁଳିଗୁଳା ତୁଳନାରେ ସେମାନଙ୍କ ପାଖରେ କିଛି ନ ଥିବାରୁ ସହଜରେ ହଟିଗଲେ । ଫିରିଙ୍ଗ ଫଉଜ ପୁରୀ ଦଖଲ କରି ଜଗନ୍ନାଥ ମନ୍ଦିରକୁ ନିଜ ଅକ୍ତିଆରରେ ରଖିଲେ ।
ପୁରୀର ରାଜା ଦ୍ୱିତୀୟ ମୁକୁନ୍ଦଦେବ ତ ଥିଲେ ପୁରୀ ବଡ଼ ଦେଉଳର ମାଲିକ, ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା । ହେଲେ ଇଂରେଜମାନେ ଏହାକୁ