ପୃଷ୍ଠା:Arkakshetra konark.pdf/୧୦୨

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

କ'ଣ ? ସେ ମୂଳ ଯାହା ମଧ୍ୟ ହୋଇଥାଉ ଗ୍ରାଫ୍‍ କାଗଜରେ ରଚିତ ଜଗମୋହନ ଓ ବିମାନର ରେଖାଚିତ୍ର ଦୁଇଟି (୨.c ଓ ୨.d) ବିଶ୍ଳେଷଣ ସାପେକ୍ଷ । ପ୍ଲାନ୍‍ର ଦୁଇଦିଗର ସୁଦୂରତମ ବିନ୍ଦୁରୁ ମାପ ନେଇ ଏଲିଭେସନ୍‍ର ଦୁଇପାର୍ଶ୍ୱର ରେଖା ସ୍ଥିର କରାଯାଏ । ବିମାନର ରହପାଗଠାରୁ ରହପାଗ ଯାଏ ୮୧ ଫୁଟ୍‍ ୯ ଇଞ୍ଚ ଯାହା ପ୍ରମାଣିତ ତଥ୍ୟ (୭ ଓ ୯ ନମ୍ବର ଚିତ୍ର ଦେଖନ୍ତୁ) । ବୋନର୍‍ଙ୍କ ଗ୍ରାଫ୍‍ ଚିତ୍ରର ମୂଳ ଦୈର୍ଘ୍ୟ ୧୩ ସେଣ୍ଟିମିଟର । ତେଣୁ ସ୍କେଲ୍‍ ୧ ସେ.ମି ‚ ୬.୨୮୮ ଫୁଟ୍‍ । ଯେହେତୁ ଗ୍ରାଫ୍‍ରେ ବିମାନର ଉଚ୍ଚତା ୩୬.୫ ସେଣ୍ଟିମିଟର ବିମାନର ଆକଳିତ ଉଚ୍ଚତା ଆସୁଛି ୨୨୯ ଫୁଟ ୬ ଇଞ୍ଚ । ଖୋର୍ଦ୍ଧା ରାଜବଂଶର ନରସିଂହଦେବ ୧୬୧୦ ସାଲରେ କରିଥିବା ଜରୀପ୍‍ରେ ବିମାନର ଉଚ୍ଚତା ୨୧୦ ଫୁଟ୍‍ ୬ ଇଞ୍ଚ । ଆଗକୁ ଏହା ଆହୁରି ଆଲୋଚିତ ହେବ । ଫରକ୍‍ଟି ନଗଣ୍ୟ ନୁହେଁ । ଅନ୍ୟ ଦିଗରୁ ବିଚାର କଲେ ଯେବେ ବୋନର୍‍ କଥିତ ମୂଳସୂତ୍ରକୁ ଭିତ୍ତିଭୂମିର ସର୍ବାଧିକ ଓସାର କଥା ଭାବି ଥାଆନ୍ତି (ଅର୍ଥାତ୍‍ ରହପାଗରୁ ରହପାଗ) ପ୍ରଦତ୍ତ ସୂତ୍ର ଅନୁଯାୟୀ ବିମାନର ଉଚ୍ଚତା ଆସିବ ୯ଫୁଟ ୯ଇଞ୍ଚ × ୧୨/୮=୧୨୨ ଫୁଟ୍‍ ୬ ଇଞ୍ଚା ଏହା ମଧ୍ୟ ଅସମ୍ଭବ ।

ଜଗମୋହନ କ୍ଷେତ୍ରରେ (୨.c) ଭୂମିତଳ ମାପ ଆସୁଛି ୧୮ ସେଣ୍ଟିମିଟରା ଜଗମୋହନର ତଳ ଦୈର୍ଘ୍ୟ (ରହପାଗଠାରୁ ରହପାଗ) ୧୦୮ଫୁଟ୍‍ ହୋଇଥିବାରୁ (ରେଖାଚିତ୍ର ନମ୍ବର- ୭ ଓ ୧୦ ଦେଖନ୍ତୁ) ଏଠାରେ ଏକ ସ୍କେଲ୍‍ ଆସୁଛି ୧ ସେ.ମି ‚ ୬ ଫୁଟ୍‍ । ବୋନର୍‍ଙ୍କ ଗ୍ରାଫ୍‍ ଚିତ୍ର ଅନୁଯାୟୀ ଉଚ୍ଚତା ୨୪.୫ ସେ.ମି । ତେଣୁ ଉଚ୍ଚତା ୧୪୭ ଫୁଟ୍‍ ଏବଂ ଅନ୍ୟ ସୂତ୍ରରେ ୧୦୮ × ୧୨/୮ = ୧୬୨ ଫୁଟ୍‍ । ଦୁଇଟିରୁ କୌଣସି ଗୋଟିଏ ହେଲେ ଠିକ୍‍ ନୁହେଁ । କଳସ ନଥିବା ଅବସ୍ଥାରେ ଗାଙ୍ଗୁଲୀ ଫିତାରେ ମାପି ଉଚ୍ଚତା ପାଇଥିଲେ ୧୧୧ ଫୁଟ୍‍ ୮ ଇଞ୍ଚ ଯାହା Theodlite ଜରିପ ସହିତ ପ୍ରାୟ ମିଶୁଛି । କଳସର ଉଚ୍ଚତା ଏ.ଏସ୍‍.ଆଇ.ର ଗୋଟିଏ ରିପୋର୍ଟ ଅନୁଯାୟୀ ୨୫ ଫୁଟ ଥିଲା ।(୨୧୬) ଏହା ଧରିଲେ ମଧ୍ୟ ମପାଯାଇଥିବା ଉଚ୍ଚତା କୌଣସି କ୍ରମେ ୧୬୨ ଫୁଟ୍‍ ଅଥବା ୧୪୭ ଫୁଟ୍‍ ହେବନାହିଁ । ଯେତେବେଳ ଯାଏ କଥିତ ମୂଳସୂତ୍ରର ସଠିକ ବ୍ୟାଖ୍ୟା ନ ମିଳୁଛି ଚିତ୍ରଗୁଡ଼ିକ ଗ୍ରହଣଯୋଗ୍ୟ ହେବ ନାହିଁ ।

ଆହୁରି ଗୋଟିଏ ତ୍ରୁଟି ପରିଲକ୍ଷିତ ହେଉଛି New light ର App. No-1 -୧ ରେଖାଚିତ୍ରରେ । ଏଠାରେ ଗଣ୍ଡି ମଧ୍ୟରେ ତିନିଟି ମୁଦ ଦେଖାଯାଇଛି । ଦ୍ୱିତୀୟ ମୁଦ ଘଡ଼ଚକଡ଼ ଛୁଇଁଛି ଏବଂ ତୃତୀୟ ମୁଦ ବେକୀ ଟପି ଅମଳା ଛୁଇଁଛି । ଏହା କର୍‍ବେଲିଂ ବିଜ୍ଞାନସମ୍ମତ ନୁହେଁ । କ୍ରମ କେନ୍ଦ୍ରାଭିମୁଖୀ ଗଣ୍ଡି ସାଧାରଣତଃ ଘଡ଼ଚକଡ଼ଠାରୁ ଅନ୍ତତଃ ତିନି ଚାରି ଫୁଟ ତଳେ ମୁଦି ହୋଇଯାଏ ଏବଂ ସେଠାରେ ଲୁହା କଡ଼ି ବିଛେଇ ଉପରକୁ ନିଦା କରି ଗଢ଼ାଯାଏ । ଘଡ଼ଚକଡ଼ ଉପରକୁ ବେକୀ, ଅମଳା, କଳସ ଇତ୍ୟାଦି ସମସ୍ତ କର୍ମକୁ ମସ୍ତକ କୁହାଯାଏ । ଏହାକୁ ବାସ୍ତୁ ବିଜ୍ଞାନୀ ଲୋଡ୍‍ ଷ୍ଟୋନ୍‍ କହିଥାଆନ୍ତି । ଏହାର କାର୍ଯ୍ୟ କର୍‍ବେଲ୍‍ ବଳୟଗୁଡ଼ିକୁ ସ୍ଥାନଚ୍ୟୁତ ନ ହେବାକୁ ଦେବା । କୌଣସି କ୍ରମେ ଏହାକୁ ପୋଲା କରାଯାଇ ପାରିବ ନାହିଁ ।

ପ୍ରାୟ ସମସ୍ତ ଐତିହାସିକ, ରେଖ ଓ ପୀଢ଼ ମଧ୍ୟରେ ଏକାଧିକ Ceiling (ଶାସ୍ତ୍ରୀୟ ପରିଭାଷାରେ 'ମୁଦ') କଥା କହିଥାଆନ୍ତି । କିନ୍ତୁ କେହି ତାହା ଭିତରକୁ ପ୍ରବେଶ କରିବାକୁ ସାହସ କରୁ ନଥିଲେ । କାରଣ, କିଛିଟା ସଂସ୍କାର, କିଛିଟା ଭୟା କିଛି ବର୍ଷ ପୂର୍ବେ ପୁରୀ ମନ୍ଦିରର ଗର୍ଭଗୃହ ମଧ୍ୟରେ ଅମ୍ଳଜାନ ଅଭାବରୁ କେତେକ ଯାତ୍ରୀ ଅଚେତ ହୋଇଯାଆନ୍ତି । ନିରାକରଣ ପାଇଁ, ଠାକୁର ମାଉସୀମା ଘରେ ଥିବା ସମୟରେ ଏ.ଏସ୍‍.ଆଇ.ର ଅଧିକାରୀମାନେ ଆଲୋକ ଓ ସରଞ୍ଜାମ ଧରି ଭିତରକୁ ପ୍ରବେଶ କରନ୍ତି । ସେଇ ଅବସରରେ ମୁଦଗୁଡ଼ିକର ଜରିବ କରି ଗୋଟିଏ ପୂର୍ଣ୍ଣାଙ୍ଗ ସେକ୍‍ସନ୍‍ ଡ୍ରଇଂ ତିଆରି କରାଯାଏ । ଚିତ୍ରଟିର ଗୋଟିଏ ଫଟୋକପି ଉପସ୍ଥାପିତ ହୋଇଛି ଚିତ୍ରସଂଖ୍ୟା-୪, ପୃଷ୍ଠା-୬୯ରେ । ମୋର ଉପରୋକ୍ତ ବକ୍ତବ୍ୟ ଚିତ୍ରରେ ସମର୍ଥିତ ହେଉଛି । ଚିତ୍ରଟିରେ ଦୁଇଟି ମୁଦ ଅଛି । କୋଣାର୍କ ବିମାନ ପୁରୀ ମନ୍ଦିରଠାରୁ ଅନେକ ଉଚ୍ଚ । ଆନୁପାତିକ ହାରରେ କୋଣାର୍କ ବିମାନ ମଧ୍ୟରେ ତିିଟି ମୁଦ ଥିବା ସମ୍ଭବ ମନେହୁଏ ।

ଜଗମୋହନର ପୀଢ଼ ମଧ୍ୟରେ କେତୋଟି ମୁଦ ଥିଲା ତାହାର କୌଣସି ତଥ୍ୟ ନାହିଁ । ଅନ୍ତତଃ ଗୋଟିଏ ମୁଦ ଥିବା କଥା ରାଜେନ୍ଦ୍ର ଲାଲ୍‍ ଅନୁମାନ କରିଥିଲେ ।(୨୧୭) ୧୯୦୨ ସାଲର ସଂରକ୍ଷଣ ସମୟରେ ଜଗମୋହନ ଅଭ୍ୟନ୍ତରର ଯେଉଁ ଫଟୋ ତୋଳା ହୋଇଥିଲା ସେଥିରୁ ମନେହୁଏ ଅନ୍ତତଃ ଆହୁରି ଗୋଟିଏ ମୁଦ ପୀଢ଼ ମଧ୍ୟରେ ଥିଲା । (ଫଟୋ-୧୫ ଦ୍ରଷ୍ଟବ୍ୟ) ଏଠାରେ ଗୋଟିଏ ବିଷୟ କହିବା ପ୍ରୟୋଜନ ଯେ ଜଣେ ଅଭିଜ୍ଞ ଇଂଜିିୟରଙ୍କ ମତରେ ଚିତ୍ରଟି ତୈଳଚିତ୍ର । ସେ କିଛି ଗଠନଗତ ବୈଷମ୍ୟ ଧରି ପାରିଛନ୍ତି । ତୈଳଚିତ୍ର ମଧ୍ୟ ବାସ୍ତବତା ଭିତ୍ତିରେ ହୋଇଥାଏ ଯଦିଓ ସେଥିରେ ଇଂଜିିୟରିଂ ଡ୍ରଇଂର ପ୍ରାମାଣିକତା ନଥାଏ ।

ପ୍ରାମାଣିକ ଚିତ୍ର ଆଙ୍କିବା ପାଇଁ, ବିଭାଗ, ଉପବିଭାଗମାନଙ୍କର ଯେଉଁ ସବୁ ତଥ୍ୟ ପ୍ରୟୋଜନ ତାହା ବହୁଳାଂଶରେ ପୂରଣ କରିଛନ୍ତି ଶ୍ରୀଯୁକ୍ତ ମନମୋହନ ଗାଙ୍ଗୁଲୀ ତାଙ୍କ ରଚିତ Orissa and her heritage ଗ୍ରନ୍ଥରେ (Chapter V & X) ଭୁବନେଶ୍ୱର, ପୁରୀ ଓ କୋଣାର୍କର ମନ୍ଦିରଗୁଡ଼ିକର ଟିକିିଖି ମାପ କରି ଗାଙ୍ଗୁଲୀ କେତେକ କାର୍ଯ୍ୟକାରୀ ଅନୁପାତ କାଢ଼ିଥିଲେ । (ପୃଷ୍ଠା- ୧୦୬ଠାରୁ ୧୧୨) ଦେଖନ୍ତୁ । ସୂତ୍ରଗୁଡ଼ିକ କେତେଦୂର ନିର୍ଭରଯୋଗ୍ୟ ତାହା ମଧ୍ୟ କେତେକ ଶାସ୍ତ୍ରୀୟ ସୂତ୍ରରେ ମିଳେଇ ଦେଖିଛନ୍ତି । ଏ ଉପାୟରେ କୋଣାର୍କ ବିମାନର ଅଦୃଶ୍ୟ ଅଂଶଗୁଡ଼ିକର

ମାପ ସ୍ଥିର କରିବା ପରେ ସେ ମାପଗୁଡ଼ିକର ସମଷ୍ଟିଗତ ଉଚ୍ଚତା ଏବଂ ଖୋର୍ଦ୍ଧା ନରସିଂହଦେବଙ୍କ କରିଥିବା ଜରୀବର ମାପ ମିଳେଇ ଦେଖିଛନ୍ତି ।

୧୦୨ . ଅର୍କକ୍ଷେତ୍ର କୋଣାର୍କ