ପୃଷ୍ଠା:Arkakshetra konark.pdf/୨୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

୧୨୧୭ ଖ୍ରୀଷ୍ଟାବ୍ଦରେ କଳିଙ୍ଗବାହିୀ ପୂର୍ବ ଓ ଦକ୍ଷିଣ ଗୋଦାବରୀ ଅଞ୍ଚଳରୁ ଭେଳାନ୍ତି ଯୁଦ୍ଧନାୟକମାନଙ୍କୁ ବିତାଡ଼ିତ କରିଲେ । (ଦକ୍ଷାରମମ୍‍ ଅନୁଶାସନ) । ଏହାପରେ ଭେଙ୍ଗି ନରପତି ବିତାଡ଼ିତ ହେଲେ ଦକ୍ଷିଣ ଗୋଦାବରୀର ଆନ୍ଧ୍ର ଅଞ୍ଚଳରୁ । ପୁନର୍ଗଠିତ ବଂଶାବଳୀରୁ ଦେଖାଯାଏ, ଏହା ଅନଙ୍ଗଭୀମ ଦେବଙ୍କ ଶାସନକାଳରେ ପଡ଼ୁଛି ଏବଂ ନରସିଂହଦେବ ସିଂହାସନ ଗ୍ରହଣ କରିବାକୁ ଆହୁରି ୨୧ ବର୍ଷ ଅଛି ।

୧୨୩୭- ଗଣପତି କିନ୍ତୁ ଏ କୋଡ଼ିଏ ବର୍ଷ ଯୁଦ୍ଧ ଜାରି ରଖିଥିଲେ । ଏଇ ବର୍ଷ ଗଙ୍ଗମାନଙ୍କ ପକ୍ଷରୁ ଲଢ଼ୁଥିବା କୁଳତୁଙ୍ଗା ରାଜେନ୍ଦ୍ର ଚୋଡ଼ଙ୍କୁ ଗଣପତିଙ୍କ ସେନାନାୟକ ମାଲ୍ୟାଲା ହେମାଦ୍ରି ପରାଜିତ କଲେ ।

ପୁନର୍ଗଠିତ ବଂଶାବଳୀରୁ ଦେଖାଯାଏ, ଏ ଘଟଣାଗୁଡ଼ିକ ଘଟିଥିଲା ଅନଙ୍ଗଭୀମଦେବଙ୍କ ରାଜତ୍ୱ କାଳରେ । ଅନ୍ୟ ଗୋଟିଏ ସୂତ୍ରରୁ ମନେହୁଏ, ଯୁବକ ନରସିଂହଦେବ ଏ ଯୁଦ୍ଧରେ ଭାଗ ନେଇଥିଲେ । ମାଦଳାପାଞ୍ଜି ଉଦ୍ଧାର କରି ଷ୍ଟେଲା କର୍ମରୀଶ୍‍ କହିଛନ୍ତି, ମାତ୍ର ୧୮ ବର୍ଷ ବୟସରେ ନରସିଂହଦେବ ପିତାଙ୍କ ବାହିନୀର ସର୍ବାଧିନାୟକ ହୋଇ ଯୁଦ୍ଧ କରିବାକୁ ଦକ୍ଷିଣକୁ ଯାଇଥିଲେ ଏବଂ ତିିନି ବର୍ଷ ପରେ ଫେରିଥିଲେ ବିପୁଳ ଧନ ସମ୍ପତ୍ତି ଧରି ।(୨୪) ଏ ପ୍ରସଙ୍ଗ ପରେ ଆଉଥରେ ଉଠିବ କିନ୍ତୁ ଏଠାରେ ଗୋଟିଏ ପ୍ରଶ୍ନ ଉଠୁଛି- କଳିଙ୍ଗ ସେନାଙ୍କୁ ହଟେଇ ଦିଆଗଲା ନା ସେମାନେ ହଟି ଆସିଲେ ? ଆଗକୁ ଇତିହାସ କହିବ, ଆଗେଇ ପଛେଇ ଯୁଦ୍ଧ କରିବା କୌଶଳରେ ନରସିଂହଦେବ ଅତି ଦକ୍ଷ ଥିଲ । ୧୮ ବର୍ଷର ଯୁବକ ତିିନି ବର୍ଷ ପରେ ୨୧ ବର୍ଷରେ ଉପନୀତ ହୋଇଥିବେ ଏବଂ ହୁଏତ ଅନଙ୍ଗଭୀମଦେବଙ୍କ ଅକାଳ ମୃତ୍ୟୁ (ପ୍ରତିଷ୍ଠିତ ହୋଇନାହିଁ) ଫେରି ଆସିବାକୁ ବାଧ୍ୟ କରିଥିବ ତାଙ୍କୁ । ମାଦଳାପାଞ୍ଜି ମତରେ ପ୍ରଥମ ନରସିଂହଦେବଙ୍କର ସିଂହାସନ ଆରୋହଣ ୧୨୩୭ ଖ୍ରୀଷ୍ଟାବ୍ଦରେ ।(୨୫) ଏହା ବର୍ତ୍ତମାନ ପ୍ରତିଷ୍ଠିତ; ୧୨୩୭ ଅଥବା ୧୨୩୮ ଗୋଟିଏ ବଡ଼ ବିବାଦ ନୁହେଁ ।

ନରସିଂହଦେବ ରାଜ୍ୟଭାର ନେବା ପରେ ଆକ୍ରମଣାତ୍ମକ ଯୁଦ୍ଧ କାର୍ଯ୍ୟ ତେଜି ଦେଲେ । ଲିଙ୍ଗରାଜ ମନ୍ଦିର ଗାତ୍ରରେ ଖୋଦିତ ଶିଳାଲିପିରୁ ଜଣାପଡ଼ୁଛି, ସିଂହାସନ ଆରୋହଣର ଚାରିବର୍ଷ ପରେ ଗୋଟିଏ ନିର୍ଣ୍ଣାୟକ ଯୁଦ୍ଧ ଜୟ କରିଥିଲେ ଲାଙ୍ଗୁଳା ନରସିଂହଦେବ ।(୨୬) କରୁଣାସାଗର ସେ ଯୁଦ୍ଧଜୟର ବର୍ଷ ଦେଇ ନାହାନ୍ତି କିନ୍ତୁ ପୂର୍ବାପର ପ୍ରତିଷ୍ଠିତ ଘଟଣା ଓ ସମୟକୁ ବିଚାରକୁ ନେଲେ ଏହା ୧୨୪୨ ଖ୍ରୀଷ୍ଟାବ୍ଦ ହେବା ସମ୍ଭବ, ଯାହାକୁ ଷ୍ଟେଲା କର୍ମରୀଶ୍‍ ଓ୍ୱରଙ୍ଗଲ୍‍ ଯୁଦ୍ଧ ରୂପେ ବର୍ଣ୍ଣନା କରିଛନ୍ତି ।(୨୭)

ଯୁଦ୍ଧ କିନ୍ତୁ ସେହିଠାରେ ବନ୍ଦ ହେଲା ନାହିଁ । ଗୋଟିଏ ବଡ଼ ଯୁଦ୍ଧରେ ଗଣପତିଙ୍କ ବିଶ୍ୱସ୍ତ ମିତ୍ର ଗୋଦାବରୀ ତୀରରୁ କଳିଙ୍ଗ ସେନାଙ୍କୁ ହଟେଇ ଦେଲେ । ଏ ଯୁଦ୍ଧ ଠିକ୍‍ କେବେ ଘଟିଥିଲା କରୁଣାସାଗର ନିର୍ଣ୍ଣୟ କରି ନାହାନ୍ତି, କିନ୍ତୁ ଦକ୍ଷାରମମ୍‍ ଅନୁଶାସନ ଅନୁଯାୟୀ ୧୨୬୨ ଖ୍ରୀଷ୍ଟାବ୍ଦରେ, ପାଣ୍ଡ୍ୟା ଓ କଳିଙ୍ଗସେନାଙ୍କ ସଣ୍ଢୁଆସି ଆକ୍ରମଣରେ ଗଣପତି ଅଧିକୃତ ଅଞ୍ଚଳରୁ ହଟିଗଲେ । ପ୍ରସଙ୍ଗତଃ ଏଠାରେ କୁହାଯାଇପାରେ, ନରସିଂହଦେବ ପାଣ୍ଡ୍ୟା ରାଜାଙ୍କ କନ୍ୟାଙ୍କୁ ବିବାହ କରିଥିଲେ ।(୨୮) ନରସିଂହଦେବଙ୍କ ବିମାତା ପୁତ୍ର ଦଣ୍ଡାୟକ, ନରସିଂହଦେବଙ୍କ ତରଫରେ ଯୁଦ୍ଧ କରି କାଞ୍ଚିରେ ବିଜୟ ସ୍ତମ୍ଭ ପୋତିଲେ କିନ୍ତୁ ମଦୁରାର ଜଟାବର୍ମନ ପାଣ୍ଡ୍ୟା ୧୨୫୦ ଖ୍ରୀଷ୍ଟାବ୍ଦଠାରୁ ୧୨୬୦ ମଧ୍ୟରେ କାଞ୍ଚି ଅଧିକାର କରିନେଲେ ।(୨୯)

ନରସିଂହଦେବଙ୍କ ଶାସନର ଏକାଦଶ ବର୍ଷରେ ଲିଖିତ ଗୋଟିଏ ଶିଳାଲିପି ଅନୁଯାୟୀ ସେ ଏକାଦଶ ରୁଦ୍ରଙ୍କ ପୂଜାପାଇଁ ଚୋଡ଼ ଦେଶ, ପାଣ୍ଡ୍ୟାଦେଶ ଓ କାଞ୍ଚି ଦେଶରେ ଜମି ଦାନ କରିଥିଲେ । ୧୨୫୦ ଖ୍ରୀଷ୍ଟାବ୍ଦ ପରେ ଦକ୍ଷିଣରେ ନରସିଂହଦେବଙ୍କ ରାଜନୈତିକ ଶତ୍ରୁ କେହି ରହିଲେ ନାହିଁ ଯଦିଓ ଗଣପତି ୧୨୬୧ଖ୍ରୀଷ୍ଟାବ୍ଦ ଯାଏ ବଞ୍ଚିଥିଲେ; ସେ ଯଥେଷ୍ଟ ଦୁର୍ବଳ ହୋଇ ଯାଇଥିଲେ । ଦକ୍ଷିଣରୁ ଦେଶ ପ୍ରତି ଭୟ ରହିଲା ନାହିଁ ।

ମାଦଳାପାଞ୍ଜିମତେ ନରସିଂହଦେବ ୧୨ ବର୍ଷ ଯୁଦ୍ଧ ଜାରି ରଖିଥିଲେ । ତାଙ୍କ ରାଜ୍ୟ ଭାର ଗ୍ରହଣ ୧୨୩୮ ଖ୍ରୀଷ୍ଟାବ୍ଦ ହେଲେ ବାରବର୍ଷ ମିଶି ହେଉଛି ୧୨୫୦ ଖ୍ରୀଷ୍ଟାବ୍ଦ । ଯଦିଓ ମାଦଳାପାଞ୍ଜି କହୁଛି କଳିଙ୍ଗ ସେନା ରାମେଶ୍ୱରମ୍‍ ସେତୁବନ୍ଧ ଯାଏ ଦଖଲ ନେଇ ଯାଇଥିଲେ, ତାହା ଟିକେ ଅତିରଞ୍ଜିତ । ନିର୍ଣ୍ଣାୟକ ଯୁଦ୍ଧଗୁଡ଼ିକ କିନ୍ତୁ ପ୍ରତିଷ୍ଠିତ ହେଉଛି ନରସିଂହଦେବଙ୍କ ଅକଳିତ ରାଜତ୍ୱ କାଳରେ ।

ନରସିଂହଦେବଙ୍କ ସିଂହାସନ ଆରୋହଣର କିଛିବର୍ଷ ପୂର୍ବରୁ ଉତ୍ତର ସୀମାନ୍ତରେ ମୁସଲମାନ ଆକ୍ରମଣର ସଜବାଜ ଚାଲିଥିଲା । ୧୨୦୫ ଖ୍ରୀଷ୍ଟାବ୍ଦରେ ମହମ୍ମଦ-ଇ-ବଖ୍‍ତିଆର୍‍ ଦୁଇଜଣ ଅମୀରଙ୍କୁ ଓଡ଼ିଶା ଆକ୍ରମଣ କରିବାକୁ ପଠାଇଲେ । ସମୟଟା ଥିଲା ରାଜାରାଜଙ୍କ ଶାସନ କାଳର ଶେଷ ଏବଂ ଅନଙ୍ଗଭୀମଙ୍କ ଶାସନକାଳର ଆରମ୍ଭ । (ପୁର୍ଗଠିତ ବଂଶାବଳୀ ଦ୍ରଷ୍ଟବ୍ୟ) । ଯୁଦ୍ଧ କିନ୍ତୁ ହେଲା ନାହିଁ । ବାଟରେ ବଖ୍‍ତିୟାରଙ୍କ ମୃତ୍ୟୁ ଖବର ପାଇ ଅମୀରମାନେ ଫେରିଗଲେ ।(୩୦) ଏହା ପରେ ମଧ୍ୟ ମୁସଲମାନ ଆକ୍ରମଣ ହୋଇଥିଲା । କିନ୍ତୁ ଅନଙ୍ଗଭୀମଦେବ ଦୃଢ଼ତାର ସହିତ ତାହା ପ୍ରତିହତ କରିଥିଲୋ(୩୧)

ନରସିଂହଦେବ ଶାସନଭାର ନେବା ପରେ ମୁସଲମାନଙ୍କ ବିରୋଧରେ ଆକ୍ରମଣାତ୍ମକ ରଣକୌଶଳ ଗଢ଼ିଲେ । ସେ ଯୁଗରେ ଜଣେ ହିନ୍ଦୁ ରାଜା ପକ୍ଷରେ ଏହା ଅଚିନ୍ତନୀୟ ଥିଲା । ତବ୍‍କ୍ୱିତ-ଇ-ନସିରୀ ମତେ (ପୃ-୭୩୮) ସେ ଯୁଦ୍ଧ ଚାଲିଥିଲା ୨୧ ଜୁନ ୧୨୪୩ ଠାରୁ ୯ ଜୁନ ୧୨୪୪ ଯାଏ । ବଙ୍ଗ ଦେଶର ମୁସଲମାନ ଶାସକ, ଏପରି ଆକ୍ରମଣ କଥା ଚିନ୍ତା ମଧ୍ୟ କରି ନ ଥିବେ । କଳିଙ୍ଗସେନା ଲକ୍ଷ୍ମଣାବତୀ ଅଞ୍ଚଳକୁ ଦଖଲ କରିନେଲା । ବଙ୍ଗ ଦେଶର କ୍ଷିପ୍ତ ଶାସକ ତୁଘ୍ରିଲ୍‍-ଇ-ତୁଘନ ଖାନ୍‍ ୧୬ ଏପ୍ରିଲ ୧୨୪୪ରେ, ଓଡ଼ିଶା ସୀମାନ୍ତ କଟାସିନ ଆଡେ଼ ମାଡ଼ି ଆସିଲେ ।

୨୦ . ଅର୍କକ୍ଷେତ୍ର କୋଣାର୍କ