ପୃଷ୍ଠା:Arkakshetra konark.pdf/୨୨୬

ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ମଣ୍ଡପ ବାଡ଼ର ଖୋଲା ଅଂଶ ଉପରେ ଥିବା ଲିଣ୍ଟେଲ୍‍ ବର୍ତ୍ତମାନ ପଡ଼ିରହିଛି ବେଢ଼ା ଭିତର ଉତ୍ତର-ପୂର୍ବ ଦିଗର ବଟଗଛ ମୂଳେ । (ରେଖାଚିତ୍ର-୮ରେ ୧୦ ଚିହ୍ନିତ ସ୍ଥାନ, ପୃଷ୍ଠା-୧୦୬)ବଡ଼ ମନ୍ଦିରର ଦ୍ୱାର ବନ୍ଧ ଉପର ପଟିରେ ଯେପରି କାର୍ଯ୍ୟ ସବୁ ଅଛି, ଏଥିରେ ମଧ୍ୟ ସେହିପରି ଅଛି । କାର୍ଯ୍ୟ ଦୁଇଟିର ଫଟୋ ଚିତ୍ର ୮୭-"କ' ଓ "ଖ'ରେ ଉପସ୍ଥାପନ କରାଗଲା (ପୃଷ୍ଠା-୨୨୪) । ୮୭(କ) ବଡ଼ମନ୍ଦିରର କାର୍ଯ୍ୟ ଏବଂ ୮୭(ଖ) ନାଟମନ୍ଦିରର ଲିଣ୍ଟେଲ୍‍ । ଦୁଇଟିଯାକ କାର୍ଯ୍ୟ ଶାସ୍ତ୍ରାନୁମୋଦିତ ଏବଂ ଅତି ସୁନ୍ଦର । କିନ୍ତୁ ମଧ୍ୟସ୍ଥ ପଟ ଉପରେ ଥିବା ମୂର୍ତ୍ତିମାନଙ୍କ ଅବୟବ, ପୋଷାକ ଏବଂ ସହଚରମାନଙ୍କରେ (ଯଥା ସବା ତଳ ଲକ୍ଷ୍ମୀ ପଟ) ଫରକ ଅଛି । କିନ୍ତୁ କରୁଣାସାଗରଙ୍କ ମତ, ଏହା ଜଗମୋହନର ଉତ୍ତର କିମ୍ବା ଦକ୍ଷିଣ ଦ୍ୱାରବନ୍ଧ ଉପର କାର୍ଯ୍ୟ ।(୨୯୩) ଚାରିଟି କାରଣରୁ ଏ ମତ ଗ୍ରହଣୀୟ ମନେ ହେଉ ନାହିଁ । ଉତ୍ତର ଦିଗର ଉପର ଦ୍ୱାରବନ୍ଧର କିଛି ଅଂଶ ଏବେ ମଧ୍ୟ ଅଛି । ଫଟୋ-୫୬, ପୃଷ୍ଠା-୧୮୧ ଦେଖନ୍ତୁ । (୧) ବଟ ଗଛ ମୂଳେ ଯାହା ପଡ଼ିଛି ତାହା ଖଣ୍ଡିତ ଅଂଶଠାରୁ ଟିକିଏ ବଡ଼ ହେବ । (୨) ଦକ୍ଷିଣ ଦିଗର ଦ୍ୱାରର ଦୁଇପଟ ବନ୍ଧ ତସ୍କରମାନେ ନେଇଗଲେ ଏବଂ ମୁଣ୍ଡଟି ସମୁଦ୍ର ଦିଗକୁ ନ ବୋହି ଓଲଟା ଆଣି ବଟ ଗଛ ମୂଳେ ଛାଡ଼ି ଗଲେ, ଏହା ବିଶ୍ୱାସଯୋଗ୍ୟ ନୁହେଁ । (୩) ଦକ୍ଷିଣ ଦ୍ୱାର ନୂଆ ପଥରରେ ସିଲ୍‍ କରାଯିବାର ବହୁ ପୂର୍ବରୁ ଯେଉଁ ଫଟୋ ତୋଳା ହୋଇଥିଲା (ଫଟୋ:୧୧-କ, ପୃଷ୍ଠା-୮୦) ସେଥିରେ ଦ୍ୱାରବନ୍ଧର ଦାଣ୍ଡି ଓ ମୁଣ୍ଡି କିଛି ନାହିଁ । (୪)ଅନ୍ୟ କାରଣ ଛାଡ଼ି ଦେଲେ ମଧ୍ୟ ଜଗମୋହନ ପୂର୍ବଦ୍ୱାର ବନ୍ଧ ଯେତେ କ୍ଷୟ ହୋଇଛି (ଫଟୋ:୫୧-ଖ, ପୃଷ୍ଠା-୧୭୫) (ମୁଗୁନି ପଥର-ଅଳ୍ପ ହେଲେ ମଧ୍ୟ) ସେ ତୁଳନାରେ ଏ ଦ୍ୱାର ବନ୍ଧ ଅନେକ ନିଖୁଣ ଅଛି । ତଥାପି କରୁଣାସାଗରଙ୍କ ଭଳି ଜଣେ ପଣ୍ଡିତ ବ୍ୟକ୍ତିଙ୍କ ମତାମତ ଅଗ୍ରାହ୍ୟ କରିବା ପୂର୍ବରୁ ଗଛ ମୂଳେ ପଡ଼ିଥିବା ଲିଣ୍ଟେଲ୍‍ ଓ ଜଗମୋହନ ପୂର୍ବ-ଉତ୍ତର ଦ୍ୱାର ଉପରେ ଥିବା ପୂର୍ଣ୍ଣ ଓ ଖଣ୍ଡିତ ଲିଣ୍ଟେଲ୍‍ର ସଂପୂର୍ଣ୍ଣ ମାପ କରି ଯୋଡ଼ ମିଳେଇ ପରୀକ୍ଷା କରିବା ପ୍ରୟୋଜନ ।

ଫଟୋ-୮୮ (କ,ଖ) ଗୋଟିଏ ସିଲିଂର ଚିତ୍ର ଯାହା ନାଟ ମଣ୍ଡପ ଉପରେ ଥିବା ଅନୁମାନ କରାଯାଉଛି । ପ୍ରତ୍ନତାତ୍ତ୍ୱିକ ଦେବଳା ମିତ୍ର ଅନୁମାନ କରନ୍ତି, ଏହା ଗୋଟିଏ ପୀଢ଼ ମଣ୍ଡପ ଥିଲା ଏବଂ ବାଲି ଖୋଳିବା ସମୟରେ ପାଖରେ ପଡ଼ିଥିବା ଚନ୍ଦ୍ରାତପ, ଭିତର ସିଲିଂ ଥିଲା । ପଥରର ଚନ୍ଦ୍ରାତପଟି ବର୍ତ୍ତମାନ ବେଢ଼ାର ଉତ୍ତର-ପୂର୍ବ ପଟେ ଲୁହା କଡ଼ିମାନଙ୍କ ନିକଟରେ ପଡ଼ି ରହିଛି । ଏହା ଦେଖିବାକୁ କୋଣାର୍କ ମ୍ୟୁଜିୟମ୍‍ରେ ରକ୍ଷିତ ଗୋଟିଏ ବିଶାଳ ବିକଶିତ ପଦ୍ମଫୁଲ ଭଳି । ମନମୋହନ ଗାଙ୍ଗୁଲୀ ୧୯୦୦-୦୫ ଖ୍ରୀଷ୍ଟାବ୍ଦ ଖନନ ସମୟରେ ପୀଢ଼ ଅଂଶର ଭଙ୍ଗା ଖଣ୍ଡ ଧ୍ୱଂସସ୍ତୂପ ଭିତରେ ପଡ଼ିଥିବା କଥା ସ୍ମରଣ କରିଛନ୍ତି । (ଙ-୪୭୨) ଏହା ଗୋଟିଏ ୫ ଫୁଟ୍‍ ବ୍ୟାସର ଗୋଲ ବୃତ୍ତ, ଯାହାର ମଧ୍ୟବୃତ୍ତରେ ବସିଛନ୍ତି ସ୍ୱୟଂ ସୂର୍ଯ୍ୟଦେବ । ଦ୍ୱିତୀୟ ବୃତ୍ତରେ ଅଛି ଆଠଟି ପଦ୍ମପାଖୁଡ଼ା ଓ ତୃତୀୟ ବୃତ୍ତରେ ଷୋଳଟି ପଦ୍ମପାଖୁଡ଼ା ଉପରେ ନୃତ୍ୟବାଦ୍ୟରତା ଷୋଳଟି ନର୍ତ୍ତକୀ । ଏଠାରେ ମଧ୍ୟ ଅବୟବ ଗଠନରେ ଲାଳିତ୍ୟ ଫୁଟୁ ନାହିଁ ।

ଗୋଟିଏ ପ୍ରଶ୍ନ ବୋଧହୁଏ କାହାରି ମନକୁ ଛୁଇଁ ନାହିଁ । ପ୍ରାୟ ପାଞ୍ଚ ଫୁଟ୍‍ ବ୍ୟାସର ମୋଟ ପଥର କାର୍ଯ୍ୟ ଉଡ଼ି ଆସି କଡ଼ରେ ପଡ଼ିନଥିବା ଯେବେ ପ୍ରାକୃତିକ ଦୁର୍ଯେ୍ୟାଗରେ ମନ୍ଦିର ଭୁଶୁଡ଼ି ପଡ଼ିଲା, ତେବେ ସିଲିଂଟି ମଧ୍ୟ ଖଣ୍ଡ ଖଣ୍ଡ ହୋଇ ମଣ୍ଡପର କିଛି ଭିତରେ ଓ କିଛି ବାହାରେ ପଡ଼ି ଥାଆନ୍ତା । ସ୍ୱାଭାବିକ ଭାବେ ମୁହଁମାଡ଼ି ପଡ଼ିଥିଲେ ମଝିରେ ପଦ୍ମଫୁଲ ଉପରେ ସୂର୍ଯ୍ୟଦେବ ଫୁଲ ସହିତ ନିଶ୍ଚିହ୍ନ ହୁଅନ୍ତେ ଏବଂ ପ୍ରାନ୍ତଦେଶୀୟ ପାଖୁଡ଼ାଗୁଡ଼ିକର ଉଚ୍ଚ ଅଂଶଗୁଡ଼ିକ ଅକ୍ଷତ ରୁହନ୍ତା ନାହିଁ । ନବଗ୍ରହ ଶୀଳା ଯେଉଁ ଭାବେ ସ୍ଥାନାନ୍ତରିତ ହେଉଥିଲା । ମନେହୁଏ କିଉରିଓ ଶିକାରୀ ଏ ଅପୂର୍ବ ସୁନ୍ଦର ଶିଳ୍ପ କର୍ମଟି ସେହିପରି ଅପସାରଣ କରିବାର ବ୍ୟର୍ଥ ଚେଷ୍ଟା କରିଥିଲେ । ଏ ଦିଗରେ ଆହୁରି ଗବେଷଣା ହେବା ପ୍ରୟୋଜନ । ସାମଗ୍ରିକ ଭାବେ ନାଟମଣ୍ଡପର ଭାସ୍କର୍ଯ୍ୟକୁ ବିଚାର କଲେ ଏହା ପରିଷ୍କାର ଜଣାପଡ଼ୁଛି ଯେ ଏ ମଣ୍ଡପ ମୂଳ ମନ୍ଦିର ଗଢ଼ା ହେବାର ବହୁ ପରେ ଗଢ଼ାହୋଇଛି, ଯେଉଁଥିରେ ମୂଳ ମନ୍ଦିରର ତ୍ରୁଟିଶୂନ୍ୟ ପରିକଳ୍ପନାର ସମ୍ପୂର୍ଣ୍ଣ ଅଭାବା

...

୨୨୬ . ଅର୍କକ୍ଷେତ୍ର କୋଣାର୍କ