ପୃଷ୍ଠା:Asha Tara Dekhiba.pdf/୨୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବା ଭାରତୀୟ ବର୍ଣ୍ଣନାକୁ ଚାହିଁ କରାଗଲା । ସହଜରେ ଚିହ୍ନି ହେଉଥିବା ଉଜଳ ତାରାଗୁଡିକର ଆରବ ନାଁକୁ ୟୁରୋପରେ ଗ୍ରହଣ କରାଗଲ। । ଏହି ଭାବରେ ତାରାମାନଙ୍କର ବର୍ଣ୍ଣନା ଥାଇ ‘ଆଲ୍‌ଫାନ୍‌ସୋଙ୍କ ସାରଣୀ’ ପ୍ରକାଶ ପାଇଲା । ଏଥିରେ ୪୮ଟି ତାରାମଣ୍ଡଳ ଓ ସେ ସବୁର ତାରାଗୁଡିକର ବିସ୍ତୃତ ବର୍ଣ୍ଣନା ରହିଲା ।

ଏହି ସମୟରେ ବିଜ୍ଞାନ, ବିଶେଷ କରି ଜ୍ୟୋତିର୍ବିଜ୍ଞାନ, ବେଶ୍ ଆଗେଇଲା । ସବୁ ଦେଶରେ ବୁଝା ପଡିଲା ଭଳି ନାଁ ନ ରହିବାରୁ ତାରା ଚିହ୍ନଟରେ ଅସୁବିଧା ହେଲା । ତେଣୁ ୧୯୨୮ ମସିହାରେ ତାରାମଣ୍ଡଳମାନଙ୍କର ଗୋଟିଏ ଆନ୍ତର୍ଜାତିକ ନାଁ ତାଲିକା କରାଗଲା । ଏଥିରେ ମୋଟରେ ୮୮ଟି ତାରାମଣ୍ଡଳ ରହିଲା । ପ୍ରତ୍ୟେକଙ୍କର ଲାଟିନ୍ ନାଁଟି ବୈଜ୍ଞାନିକ ନାଁ ହିସାବରେ ଗଣାହେଲା । ଇଂରାଜୀ ଓ ଅନ୍ୟାନ୍ୟ ଭାଷାରେ ମଧ୍ୟ ସାଧାରଣ ନାଁ ସବୁ ରହିଲା । ପ୍ରତି ତାରାମଣ୍ଡଳର ଆକାର, ସ୍ଥାନ ଓ ସୀମାରେଖାର ମାନଚିତ୍ର ମଧ୍ୟ ତିଆରି କରାଗଲା । ଦିନକୁ ଦିନ ଏହି ମାନଚିତ୍ରରେ ଅତି ଛୋଟ ତାରାମାନଙ୍କୁ ଯୋଡା ଯାଉଛି ।

ଏହି ଭାବରେ ଆମର ସାରା ଆକାଶକୁ ୮୮ ଟି ଅଞ୍ଚଳରେ ଭାଗ କରାଗଲା । ଠିକ୍ ଯେମିତି ପୃଥିବୀ ଉପରେ ଆମେ ବିଭିନ୍ନ ମହାଦେଶ, ଦେଶ,ସାଗରର କଳ୍ପନା କରିଛେ । ମାନଚିତ୍ରରେ ଥିବା ଜିଲ୍ଲା ବା ଦେଶର ସୀମାରେଖା ପ୍ରକୃତରେ ମାଟି ଉପରେ ପଡିନାହିଁ । ସେହିଭଳି ତାରାମାନଙ୍କୁ ଅଲଗା କରିବା ପାଇଁ ଆକାଶରେ ବି କିଛି ଗାର ଟଣା ହୋଇନାହିଁ । ସେସବୁ ରହିଛି ଆମ ମନ ଭିତରେ ଓ ବହିପତ୍ରରେ ।

[[ଫାଇଲ:|357px|page=23]]