ପୃଷ୍ଠା:Bikalpa Biswa.pdf/୧୦୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୃତ୍ରିମ ଉପାୟରେ ବଞ୍ଚାଇ ରଖିବା କେତେଦୂର ଯଥାର୍ଥ, ସେ ବିଷୟରେ ଏବେ ସାରା ବିଶ୍ୱରେ ବିତର୍କ ଚାଲିଛି ।

ୟୁରୋପ ଓ ଆମେରିକାରେ କାଥଲିକ୍ ଚର୍ଚ୍ଚମାନେ ଏହାର ଘୋର ବିରୋଧ କରୁଥିବା ବେଳେ ‘ଇଉଥାନ୍‌ସା’, ‘ମର୍ସିକିଲିଂ’ ଏବଂ ଡାଇଙ୍ଗ୍ ଉଇଥ୍ ଡିଗ୍‌ନିଟି ଆନ୍ଦୋଳନର ସମର୍ଥକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ପର୍ଯ୍ୟନ୍ତ ଡାକ୍ତରମାନଙ୍କ ମଧ୍ୟରେ ଏ ବିଷୟରେ ବିଭିନ୍ନ ମତ ରହିଛି । କାରଣ ସ୍ୱଜନ ଓ ଚିକିତ୍ସା କରୁଥିବା ଡାକ୍ତରଙ୍କ ବିନା ସହଯୋଗରେ ରୋଗୀ ଚାହୁଁଥିଲେ ମଧ୍ୟ ମରିବା ଅଧିକାର କାର୍ଯ୍ୟକାରୀ ହୋଇପାରିବ ନାହିଁ । ଅନେକ ଡାକ୍ତର ଭାବନ୍ତି, ଜୀବନ ଯଦି ଦେଇ ନ ପାରିବେ, ଜୀବନ ନେବାରେ କେମିତି ସହଯୋଗ କରିବେ ? ଆଉ କେତେକଙ୍କ ଧାରଣା ଯେ ଜାଣିଶୁଣି ଲାଇଫ୍ ସପୋର୍ଟ ନ ଦେବା ବା କାଢ଼ି ନେବା ହତ୍ୟା ସହ ସମାନ । ପରିବାର ଓ ଆତ୍ମୀୟ ସ୍ୱଜନଙ୍କ ଦ୍ୱନ୍ଦ୍ୱ ଓ ଧର୍ମସଙ୍କଟ ଏହାଠାରୁ ଅଧିକ ।

ଯାହାଙ୍କର ବଞ୍ଚିବା ଆଶା ଆଦୌ ନାହିଁ, ବା ଯେଉଁମାନଙ୍କ ମସ୍ତିଷ୍କ ମୃତ (ବ୍ରେନ୍ ଡେଡ୍) ଅବା ଯିଏ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି; ସେମାନଙ୍କର ସମ୍ମାନ ସହ ମରିବା ଅଧିକାର ଅଛି କି ନାହିଁ ଏ ବିଷୟରେ କିଏ ନିଷ୍ପତ୍ତି ନେବ ? ଡାକ୍ତରଖାନାର ଇଣ୍ଟେନ୍ସିଭ୍ କେଆର୍ ୟୁନିଟ୍‌ରେ କେତେ ମାସ, କେତେ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ରଖାଯାଇ ପାରିବ ? ଏ ବାବରେ ଯେଉଁ ଖର୍ଚ୍ଚ ଆବଶ୍ୟକ, ତାକୁ ଗରିବ ରୋଗୀଙ୍କ ପରିବାର କିପରି ବହନ କରିବେ ଓ ସର୍ବସ୍ୱାନ୍ତ ହେବାକୁ ବଞ୍ଚିପାରିବେ ? ମୃତ୍ୟୁ ଶଯ୍ୟାରେ ଶାୟିତ ରୋଗୀ ନିଜେ ଚିକିତ୍ସିତ ହେବାକୁ ମନା କଲେ କ’ଣ ହେବ ?

ଆଚାର୍ଯ୍ୟ ବିନୋବା ଭାବେ ଉପବାସ ରହି, ଔଷଧ ଇଞ୍ଜେକ୍‌ସନ୍ ନେବାକୁ ମନା କରିଦେଇ; ଡାକ୍ତର, ସାଙ୍ଗ, ସାଥୀ, ତକ୍ରାଳୀନ ପ୍ରଧାନମନ୍ତ୍ରୀ ଓ ଦେଶବାସୀଙ୍କ ଅନୁରୋଧକୁ ଉପେକ୍ଷା କରି ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଆମରଣ ଅନଶନକୁ ଗାନ୍ଧୀ ଏକ ନୈତିକ ଓ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରୁଥିଲେ । ସ୍ୱାଧୀନତାର ପରବର୍ତ୍ତୀ କାଳରେ ରାମୁଲୁ ଆମରଣ ଅନଶନ କରି ମୃତ୍ୟୁବରଣ କଲା ପରେ ଆନ୍ଧ୍ରପ୍ରଦେଶ ସୃଷ୍ଟି ହେଲା । ସେହିପରି ଅନେକ ଲୋକ ଶାନ୍ତିରେ ଓ ସମ୍ମାନ ସହ ଶେଷ ନିଃଶ୍ୱାସ ତ୍ୟାଗପାଇଁ ଉଇଲ୍ ଜରିଆରେ ଇଚ୍ଛା ପ୍ରକାଶ କଲେଣି । ସେମାନଙ୍କ ଶେଷ ଇଚ୍ଛା କିପରି ପୂରଣ କରାଯିବ ? ଯଦି ଫାଶି ଦଣ୍ଡରେ ଦଣ୍ଡିତ ବ୍ୟକ୍ତିଙ୍କ ଶେଷ ଇଚ୍ଛା ପୂରଣ କରାଯାାଉଛି, ନିଶ୍ଚିତ ମୃତ୍ୟୁ, ନିଷ୍ଫଳ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଅଧିକାର ମାଗୁଥିବା ରୋଗୀଙ୍କୁ ଆମେ କ’ଣ ଉତ୍ତର ଦେବା ?

ବିକଳ୍ପ ବିଶ୍ୱ ୧୦୩