ପୃଷ୍ଠା:Bikalpa Biswa.pdf/୧୧୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏବେକାର ଚିତ୍ର ଦୁଇଟି ସ‌ଦ୍ୟ ଘଟଣାରୁ ସ୍ପଷ୍ଟ । ପାଞ୍ଚପଡା ପଞ୍ଚାୟତର ଦେଉଳି ଗାଁର ଏକ ଦରିଦ୍ର ପରିବାର କାମ ନ ପାଇ ଆତ୍ମହତ୍ୟା କଲେ । (ଏମିସ୍, ୧୦-୧୨-୨୦୦୬, ଚାନ୍ଦବାଲି) ଏହି ଘଟଣାର ଦୁଇଦିନ ପରେ ହିଞ୍ଜିଳିଠାରେ ଦୁରାରୋଗ୍ୟ ବ୍ୟାଧି ପୀଡ଼ିତ ସ୍ୱାମୀଙ୍କ ଚିକିତ୍ସା କରି ନପାରି ସ୍ତ୍ରୀ ଦଉଡ଼ି ଦେଲେ । ରାଜ୍ୟରେ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ୍ କାର୍ଯ୍ୟକାରୀ ହେଉଛି; ପଲ୍ଲୀସଭା, ପଞ୍ଚାୟତ ଅଛନ୍ତି; ତେବେ ବି ଏପରି ଘଟଣାମାନ ଘଟୁଛି । କେବିକେ ଜିଲ୍ଲାମାନଙ୍କରେ ଅବସ୍ଥା ଆହୁରି ଖରାପ । କାହାକୁ ଦୋଷ ଦେବା ? ସରକାରୀ ଅବହେଳା କଥା ସମସ୍ତେ ଜାଣନ୍ତି, କିନ୍ତୁ ପଲ୍ଲୀସଭା ଓ ପଞ୍ଚାୟତର ପ୍ରଥମ ଦାୟିତ୍ୱ - କ୍ଷୁଧା ଓ ଦାରିଦ୍ର୍ୟ ଦୂରୀକରଣ । ନବଗଠିତ ଯୋଜନା ବୋର୍ଡ ଏହି ଆହ୍ୱାନ ଗ୍ରହଣ କରି ସରକାରୀ ଯୋଜନାଗୁଡିକୁ ପୁନର୍ବିଚାର କରନ୍ତୁ ଓ ରାଜ୍ୟକୁ ନୂତନ ଦିଗ୍‌ଦର୍ଶନ ଦିଅନ୍ତୁ । ଏବେ ଏକାଦଶ ପଞ୍ଚବାର୍ଷିକ ଯୋଜନାପାଇଁ ରାଷ୍ଟ୍ରୀୟ ସ୍ତରରେ ବିଚାର ଆଲୋଚନା ସରି କାମ ଆରମ୍ଭ ହେଲାଣି । ୨୦୧୨ ରେ ଦ୍ୱାଦଶ ଓ ୨୦୧୭ରେ ତ୍ରୟୋଦଶ ଯୋଜନା ହେବ । ଏ ସମ୍ପର୍କରେ ଯୋଜନା କମିଶନ୍ ଏକ ‘ଆପ୍ରୋଚ୍ ପେପର୍’ ପ୍ରସ୍ତୁତ କରିଛନ୍ତି ଏବଂ ଏଥିରେ ଦେଶର ଦାରିଦ୍ର୍ୟକୁ କିପରି ଆହୁରି କମାଇ ହେବ (ନିରାକରଣ ନୁହେଁ) ସେଥିପାଇଁ ବିଭିନ୍ନ ପ୍ରସ୍ତାବ ରଖିଛନ୍ତି । ଅର୍ଥନୀତିରେ ଦଶ ପ୍ରତିଶତ ବୃଦ୍ଧି ଓ କୃଷିରେ ଚାରି ପ୍ରତିଶତ ବୃଦ୍ଧିର ଲକ୍ଷ୍ୟ ରଖାଯାଇଛି । ଏହାଦ୍ୱାରା ମୁଣ୍ଡ ପିଛା ଆୟ ଦୁଇଗୁଣ ବଢ଼ିଯିବ ବୋଲି ଆକଳନ କରାଯାଇଛି ।

ହାରାହାରି ମୁଣ୍ଡପିଛା ଆୟ ବଢ଼ିଗଲେ ଦାରିଦ୍ର୍ୟ କମିଯିବ - ଏହି ଯୁକ୍ତିକୁ ଏବେ ନୂଆ ଅର୍ଥନୀତି ବିଶାରଦମାନେ ମାନୁ ନାହାନ୍ତି । ଦାରିଦ୍ର୍ୟର ଯେଉଁ ତିନିଟି ଦିଗ ରହିଛି - ସେଥିରୁ ଆୟ ବା ‘ଇନ୍‌କମ୍’ ଗୋଟିଏ ଦିଗ । ଅନ୍ୟ ଦୁଇଟି ହେଲା - ନ୍ୟୂନତମ ଆବଶ୍ୟକତା ଯଥା:- ଖାଦ୍ୟ, ବସ୍ତ୍ର ଓ ଆଶ୍ରୟ ଏବଂ ନ୍ୟୂନତମ ସକ୍ଷମତା ବା ସାମର୍ଥ୍ୟ (କ୍ୱାଲିଟି) ଯଥା:- ସ୍ୱାସ୍ଥ୍ୟ, ଶିକ୍ଷା ଇତ୍ୟାଦି । ଏହାଛଡା ଗ୍ରାମାଞ୍ଚଳର ଅବସ୍ଥା ଓ ପରିବେଶ । ସେଗୁଡିକ ହେଲା, ପ୍ରତ୍ୟେକ ଗ୍ରାମକୁ ସବୁଦିନିଆ ରାସ୍ତା, ବିଜୁଳି, ଟେଲିକମ୍ୟୁନିକେସନ୍, ସକ୍ରିୟ ବିଦ୍ୟାଳୟ ଓ କାମିକା ସ୍ୱାସ୍ଥ୍ୟକେନ୍ଦ୍ର । ମନେ ରଖିବାକୁ ହେବ ଯେ ଏ ସୁବିଧାଗୁଡିକ କେବଳ ଶ୍ରମଭିତ୍ତିକ ନୁହେଁ । ଗ୍ରାମ୍ୟ ସୁନିଶ୍ଚିତ ରୋଜଗାର ଯୋଜନାଟି ହେଲା ଶ୍ରମଭିତ୍ତିକ । ପକ୍କା ରାସ୍ତା, ବିଦ୍ୟାଳୟ, ବିଜୁଳି, ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣରେ ଯେଉଁ ଖର୍ଚ୍ଚ ହୁଏ ତା’ର ମାତ୍ର ଶତକଡ଼ା ତିରିଶ ଭାଗପାଇଁ ଶାରୀରିକ ଶ୍ରମ ଆବଶ୍ୟକ ହୁଏ ଓ ପ୍ରାୟ ସତୁରି ଭାଗ ‘ମ୍ୟାଟେରିଆଲ’ କିଣିବାରେ ଓ ମେସିନ୍ ବ୍ୟବହାରରେ ଯାଏ । ଶାରୀରିକ ଶ୍ରମରେ କେବଳ ମାଟି ରାସ୍ତାମାନ ତିଆରି ହେବ ଏବଂ ବର୍ଷାଋତୁରେ ଧୋଇଯିବ । ପୁଣି ନୂଆ ରାସ୍ତା, ଠିକାଦାର, କଣ୍ଟ୍ରାକ୍ଟର, ଏପରି ପଇସା ପାଣି

୧୧୨ ବିକଳ୍ପ ବିଶ୍ୱ