ପୃଷ୍ଠା:Bikalpa Biswa.pdf/୧୧୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରି ବୋହିଯିବ ।

ତେଣୁ ଦାରିଦ୍ର୍ୟ ନିରାକରଣର ପ୍ରଥମ ଆବଶ୍ୟକତା ହେଲା ଲୋକଙ୍କର ସକ୍ଷମତା ଓ ଶକ୍ତି ବଢ଼ାଇବା । ଏହି କାରଣରୁ ଗାଣତାନ୍ତ୍ରିକ ଦେଶମାନଙ୍କରେ ଦୁର୍ଭିକ୍ଷ ପଡ଼ିବା କଷ୍ଟକର । ଏହା ହେଲେ ସରକାର ଭୁଶୁଡ଼ି ପଡ଼େ । ସକ୍ଷମତା ଓ ଶକ୍ତି ବଢ଼ାଇବାର ଚାରିଟି ପରୀକ୍ଷିତ ଉପାୟ ଅଛି । ପ୍ରଥମ ଉପାୟଟି ହେଲା ପୁଷ୍ଟିକର ଖାଦ୍ୟ ଓ ସ୍ୱାସ୍ଥ୍ୟରକ୍ଷାର ବ୍ୟବସ୍ଥା । ଗ୍ରାମର ପ୍ରତ୍ୟେକ ବୟସ୍କ ବ୍ୟକ୍ତିଙ୍କୁ ୨୪୦୦ କ୍ୟାଲୋରି ଥିବା ଖାଦ୍ୟ ମିଳୁଥିବ ଓ ସେ ଘଣ୍ଟାକ ମଧ୍ୟରେ ନିକଟତମ ଡାକ୍ତରଖାନାକୁ ପାଦରେ ଚାଲି ପହଞ୍ଚି ପାରୁଥିବେ । ଦ୍ୱିତୀୟ ଉପାୟ ହେଲା ପ୍ରତ୍ୟେକ ଜନନୀଙ୍କର ଉତ୍ତମ ସ୍ୱାସ୍ଥ୍ୟ, ଧାଈଙ୍କ ସହାୟତାରେ ବା ସ୍ୱାସ୍ଥ୍ୟକେନ୍ଦ୍ରରେ ଶିଶୁ ଜନ୍ମ, ମାତୃ ଓ ଶିଶୁମୁତ୍ୟୁ ହାରରେ ହ୍ରାସ । ତୃତୀୟ ଉପାୟଟି ହେଲା ଗାଁର ସବୁ ପିଲାଙ୍କପାଇଁ ଉତ୍ତମ ଶିକ୍ଷା ଓ ତାଲିମ ବ୍ୟବସ୍ଥା । ଏବଂ ସର୍ବୋପରି ଜମିପାଇଁ ଜଳ ଓ ହାତକୁ କାମ । ଚତୁର୍ଥ ଉପାୟଟି ହେଲା ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ରୋଜଗାର ସମ୍ପର୍କୀୟ ସମସ୍ତ ଦାୟିତ୍ୱ ଗ୍ରାମପଞ୍ଚାୟତକୁ ହସ୍ତାନ୍ତର କରିବା । ଏହାଦ୍ୱାରା ଗ୍ରାମଶକ୍ତି ଓ ଲୋକଶକ୍ତି ବଢ଼ିବ ଏବଂ ଲୋକେ ନିଜ ନିଜ ଅଞ୍ଚଳର ଅବସ୍ଥା ସୁଧାରିବାକୁ ନିଜ ନିଜର ଚିନ୍ତା, ବିଚାର ଓ କାର୍ଯ୍ୟକ୍ରମ ନେଇ ଆଗେଇ ଆସିବେ । ସରକାର କେବଳ ରେଫରି କାମ କରିବେ । ଗ୍ରାମୀଣ ବ୍ୟାଙ୍କ ଭିକାରିମାନଙ୍କୁ ଭିକ୍ଷା ମାଗିବା ସଙ୍ଗେସଙ୍ଗେ ଅଳ୍ପ ଦାମ୍‌ର ଖୁଚୁରା ବିକ୍ରେତା ଦାୟିତ୍ୱ ଦେଇ ସଫଳତା ହାସଲ କରିଛି । ଗ୍ରାମର ଗରିବ ସ୍ତ୍ରୀ ଲୋକ ଗ୍ରାମୀଣ ଫୋନ୍ କିଣି ‘ପିସିଓ ’ ଖୋଲିଲେଣି । ଗ୍ରାମାଞ୍ଚଳର ଗରିବ ଲୋକଙ୍କ ଆବଶ୍ୟକତା ସହରୀ ଲୋକଙ୍କଠାରୁ ଅଲଗା । ଭାରତରେ ଗରିବଙ୍କ ସଂଖ୍ୟା ଯେତିକି ଆମେରିକାର ଲୋକସଂଖ୍ୟା ସେତିକି । ବହୁଦେଶୀୟ କମ୍ପାନୀମାନଙ୍କପାଇଁ ଗରିବ ହେଉଛନ୍ତି ଏକ ବଡ଼ ମାର୍କେଟ୍ । ଏହି ୨୫-୩୦ କୋଟି ଗରିବ ଖାଉଟିଙ୍କ ଆବଶ୍ୟକତା ପୂରଣପାଇଁ ପଞ୍ଚାୟତରେ ଉତ୍ପାଦନ-ବଣ୍ଟନ ବ୍ୟବସ୍ଥା କରାଯାଇପାରିବ । ବହୁଦେଶୀୟ କମ୍ପାନୀ ଗାଁ ଅର୍ଥନୀତିରେ ପଶିବାର କୌଣସି ଆବଶ୍ୟକତା ନାହିଁ । କୋଲା, ନୁଡୁଲ, ବର୍ଗର, ପିଜା ଖାଇବା ଶିଖେଇ ଦେଲେ ଗ୍ରାମ ସହର ହୋଇଯିବ ନାହିଁ । ସହରର ମୁଖ୍ୟ ସୁଖ ସୁବିଧା ଗାଁକୁ ମିଳିବା ଦରକାର ।

ଆମ ଦେଶରେ ଜାତି ଧର୍ମକୁ ନେଇ ଯେତିକି ଅଧିକ ବିବାଦ, ଗରିବୀକୁ ନେଇ ସେତିକି କମ୍ । କିନ୍ତୁ ଆନ୍ତର୍ଜାତିକ ସ୍ତରରେ ଦାରିଦ୍ର୍ୟ ଏକ ନିତିିଦିନିଆ ଚର୍ଚ୍ଚାର ବିଷୟ - ବିଭିନ୍ନ ମତ, ବିବାଦ, ବିଚାର, ସଂଜ୍ଞା । ଭାରତରେ ଗ୍ରାମାଞ୍ଚଳର ଯେଉଁ ପୂର୍ଣ୍ଣବୟସ୍କ ଲୋକଙ୍କୁ ୨୪୦୦ କ୍ୟାଲୋରିରୁ କମ୍ ଖାଦ୍ୟ ମିଳେ, ସେମାନେ ଦାରିଦ୍ର୍ୟ ସୀମାରେଖା

ବିକଳ୍ପ ବିଶ୍ୱ ୧୧୩