ପୃଷ୍ଠା:Bikalpa Biswa.pdf/୧୧୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତଳେ । ଉଦାହରଣ ସ୍ୱରୂପ, ୧୦୦ ଗ୍ରାମ ଚାଉଳର କ୍ୟାଲୋରି ବା ଖାଦ୍ୟ ଶକ୍ତି ହେଲା ୧୭୫ ଓ ୧୦୦ ଗ୍ରାମ ଡାଲି ଜାତୀୟ ଖାଦ୍ୟର କ୍ୟାଲୋରି ୩୨୦, ଚାରିଖଣ୍ଡ ରୁଟି ହେଲା ୩୦୦ କ୍ୟାଲୋରି । ପ୍ରତ୍ୟହ ୨୪୦୦ କ୍ୟାଲୋରି ପାଇବାକୁ ହେଲେ ପ୍ରତି ବ୍ୟକ୍ତି ପିଛା ମାସିକ ଆୟ ୭୦୦ ଟଙ୍କା ଦରକାର ବୋଲି ହିସାବ କରାଯାଇଛି । ଇଏ ହେଲା ଦାରିଦ୍ର୍ୟର ଭାରତୀୟ ସଂଜ୍ଞା ।

ଯୁକ୍ତରାଷ୍ଟ୍ର ଆମେରିକାରେ ଯେଉଁ ବ୍ୟକ୍ତିଙ୍କର ମାସକୁ ଆୟ ୧୦୦୯ ଡଲାରରୁ କମ୍ (୪୭ ହଜାର ଟଙ୍କା) ସେ ଦରିଦ୍ର । ବିଶ୍ୱବ୍ୟାଙ୍କ୍ ହିସାବରେ ଯାହାଙ୍କର ଦୈନିକ ଆୟ ୪୭ ଟଙ୍କାରୁ କମ୍ ସେ ଅତ୍ୟନ୍ତ ଦରିଦ୍ର ଏବଂ ଯେ ପ୍ରତ୍ୟହ ୯୪ ଟଙ୍କା ରୋଜଗାର କରନ୍ତି ସେ ସାମାନ୍ୟ ଦରିଦ୍ର । ଅତ୍ୟନ୍ତ ଦାରିଦ୍ର୍ୟ ହେତୁ ପୃଥିବୀରେ ପ୍ରତିିଦିନ ୨୦ ହଜାର ଲୋକ ମୃତ୍ୟୁମୁଖରେ ପଡ଼ିଥାନ୍ତି । ସେଥିରୁ ୮୦୦ ପିଲା ମ୍ୟାଲେରିଆଯୋଗୁଁ, ୫୦୦୦ ଲୋକ ଯକ୍ଷ୍ମାଯୋଗୁଁ ଓ ୭୦୦୦ ଲୋକ ଏଡ଼୍‌ସ ଯକ୍ଷ୍ମା ଡାଇରିଆ ଓ ଅନ୍ୟାନ୍ୟ ମାରାତ୍ମକ ରୋଗାକ୍ରାନ୍ତ ହୋଇ ମରିଥାନ୍ତି । କ୍ରମାଗତ କ୍ଷୁଧାର୍ତ୍ତ ଦୁର୍ବଳ ଶରୀରକୁ ଏହି ରୋଗମାନେ ଶୀଘ୍ର ଆକ୍ରମଣ କରନ୍ତି । ୨୦୦୬ ମସିହା ସୁଦ୍ଧା ପୃଥିବୀର ଅତ୍ୟନ୍ତ ଦରିଦ୍ରଙ୍କ ସଂଖ୍ୟା ହେଲା ୧୦୧ କୋଟି ୬୦ ଲକ୍ଷ । ସେଥିରୁ ଭାରତ ସମେତ ଦକ୍ଷିଣ ଏସିଆରେ ୪୩ କୋଟି ୭୦ ଲକ୍ଷ, ଆଫ୍ରିକା (ସବ୍-ସାହାରା) ୩୦ କୋଟି ୩୦ ଲକ୍ଷ, ପୂର୍ବ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୨୧ କୋଟି ୪୦ ଲକ୍ଷ, ୟୁରୋପ୍‌ରେ ଏକ କୋଟି ଲୋକ ଏବଂ ଲାଟିନ୍ ଆମେରିକା, କାରିବିୟାନ୍ ଅଞ୍ଚଳରେ ୪ କୋଟି ୭୦ ଲକ୍ଷ ଦରିଦ୍ର ବସବାସ କରୁଛନ୍ତି ।

ଦାରିଦ୍ର୍ୟ କହିଲେ ଆମେ କ’ଣ ବୁଝୁ ? ବିଶ୍ୱ ସାମାଜିକ ବିକାଶ ସମ୍ମିଳନୀ ଏ ବିଷୟରେ ପାଞ୍ଚଦିନ କାଳ ଆଲୋଚନା କରି ମଧ୍ୟ କୌଣସି ନିଶ୍ଚିତ ସିଦ୍ଧାନ୍ତରେ ପହଞ୍ଚି ପାରିଲେ ନାହିଁ । ଶେଷ ଇସ୍ତାହାରରେ କୁହାଗଲା - ସବୁ ପ୍ରଗତିର ଲକ୍ଷ୍ୟ ଓ କେନ୍ଦ୍ର ମଣିଷ । କିନ୍ତୁ ଏସିଆ ଓ ଆଫ୍ରିକାର ମଣିଷମାନେ ଏକାଠି ବସି ଦାରିଦ୍ର୍ୟର ୧୪ ପ୍ରକାର ରୂପ ବର୍ଣ୍ଣନା କରିଛନ୍ତି । ସେଗୁଡିକ ହେଲା (୧) ଶାରୀରିକ ଓ ମାନସିକ ଅକ୍ଷମତା ଓ ସଦା ରୁଗ୍‌ଣ ଅବସ୍ଥା, (୨) ଜମି, ପଶୁ ସମ୍ପଦ ଓ କୃଷି ଉପକରଣର ଅଭାବ (୩) ମୃତ ଶରୀରକୁ ପୋଡ଼ିବା/ପୋତିବାପାଇଁ ପଇସା ଅଭାବ (୪) ପିଲାଙ୍କୁ ସ୍କୁଲ ପଠାଇବାକୁ ଘରେ ପଇସା ନାହିଁ (୫) ଖାଇବାପାଇଁ ପାଟି ବେଶୀ କାମ କରିବା ପାଇଁ ହାତ କମ୍ (୬) ଦୁର୍ଦ୍ଦିନରେ ସହାୟତାପାଇଁ ଘରେ ସମର୍ଥ ଲୋକଙ୍କ ଅଭାବ (୭) ଘର ଛପର, ମରାମତିପାଇଁ କ୍ଷମତା ନାହିଁ (୮) ନିଶା ଅଭ୍ୟାସରୁ ଉଦ୍ଧାରପାଇଁ ଉପାୟ ନାହିଁ (୯)

୧୧୪ ବିକଳ୍ପ ବିଶ୍ୱ