ପୃଷ୍ଠା:Bikalpa Biswa.pdf/୧୧୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆପଦ ବିପଦ ବା ରୋଗରେ ପଡ଼ିଲେ କେହି ସାହାଭରସା ନାହାନ୍ତି (୧୦) ଛୋଟ ପିଲାଙ୍କୁ ମୂଲ ଲାଗିବାକୁ ପଡ଼ୁଛି (୧୧) ଏକାକୀ ପିତା, ଏକାକୀ ମାତା (୧୨) ଅର୍ଥାଭାବରୁ ଅପ୍ରିୟ କାର୍ଯ୍ୟପାଇଁ ବାଧ୍ୟ ବାଧକତା, ଯେପରିକି ହାତରେ ଅନ୍ୟର ପାଇଖାନା ସଫା ଓ ମୁଣ୍ଡରେ ମଳ ବହନ କରିନେବା (୧୩) ବର୍ଷକରୁ ନ ମାସ ଖାଦ୍ୟ ଅଭାବ ଓ (୧୪) ଜମି, ଜଳ, ଜଙ୍ଗଲ ଭଳି ଗ୍ରାମର ସାଧାରଣ ସମ୍ପଦ ଉପରେ ଅତ୍ୟଧିକ ନିର୍ଭରଶୀଳତା । ବିଶ୍ୱ ସ୍ୱାସ୍ଥ୍ୟ ଓ ଖାଦ୍ୟ ସଂଗଠନ ଏହା ସହ ଯୋଡିଛନ୍ତି “କଠୋର ବା ଘୋର ଦାରିଦ୍ର୍ୟ” (ଅଲଟ୍ରା ପଭର୍ଟି) । ‘କଠୋର’ ଦାରିଦ୍ର୍ୟଗ୍ରସ୍ତ ବ୍ୟକ୍ତି ନିଜ ଆୟର ଶତକଡ଼ା ଅଶୀ ଭାଗ ଖାଦ୍ୟପାଇଁ ଖର୍ଚ୍ଚ କଲେ ମଧ୍ୟ ନିଜ ଆବଶ୍ୟକତାର କେବଳ ୨୦ ଭାଗ ଖାଦ୍ୟ ପାଇଥାନ୍ତି । ଜାତି ଧର୍ମ ନିର୍ବିଶେଷରେ ଦେଶର ସମ୍ପତ୍ତି ଓ ଆୟ ଉପରେ ଏହି ବର୍ଗ ଓ ଗୋଷ୍ଠୀଙ୍କର ପ୍ରଥମ ଅଧିକାର ।

ଆଞ୍ଚଳିକ ବୈଷମ୍ୟ ତଦନ୍ତ କମିଶନଙ୍କ ଅନ୍ତରୀଣ ରିପୋର୍ଟ ଅନୁସାରେ ଓଡ଼ିଶାର ୩୧୪ଟି ବ୍ଲକ୍ ମଧ୍ୟରୁ ୮୬ଟି ବ୍ଲକ୍ ପଛୁଆ । ପୁଣି ଏହି ଅତି ପଛୁଆ ବ୍ଲକ୍‌ରେ କେଉଁମାନେ ଘୋର ଦାରିଦ୍ର୍ୟରେ ଅଛନ୍ତି ସେମାନଙ୍କୁ ଚିହ୍ନଟ କରିବା ଆବଶ୍ୟକ । ଏପରିକି ବିକଶିତ ଓ ବିକାଶଶୀଳ ବ୍ଲକ୍‌ରେ ମଧ୍ୟ ଘୋର ଦାରିଦ୍ର୍ୟ ପକେଟ୍ ସବୁ ରହିଛି ଯେଉଁଠି ଏବେ ବି ଲୋକେ ଭୋକ ଉପାସରେ ରହୁଛନ୍ତି । ଏମାନଙ୍କୁ ଠାବ କରିବା କଷ୍ଟକର ନୁହେଁ । ଗାଁର ସବୁ ଲୋକେ ସେମାନଙ୍କୁ ଜାଣନ୍ତି । ତିନି ଚାରି ହଜାର ଟଙ୍କାର ମାଇକ୍ରୋ କ୍ରେଡ଼ିଟ୍‌ଦ୍ୱାରା ଏମାନଙ୍କ ଅବସ୍ଥା ସୁଧୁରିବ ନାହିଁ । ୟୁନୁସ୍ ନିଜେ ସ୍ୱୀକାର କରିଛନ୍ତି ଯେ ପ୍ରତି ଶହେ ଜଣରେ କେବଳ ୫୮ ଜଣ ଅଣୁ ଋଣ ମାଧ୍ୟମରେ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠି ପାରୁଛନ୍ତି । ଯେଉଁ ଅଞ୍ଚଳରେ ରାସ୍ତାଘାଟ ଭଲ ଅବସ୍ଥାରେ ନାହିଁ, ଶିକ୍ଷା, ସ୍ୱାସ୍ଥ୍ୟ ସେବା ଅକାମୀ, ସହର, ବଜାର ନାହିଁ, ସେଠି ଘୋର ଦରିଦ୍ରଙ୍କ ସଂଖ୍ୟା ଅଧିକ ।

ଏ ବିଷୟରେ ଗଭୀର ଚିନ୍ତା ଆଲୋଚନା ଆବଶ୍ୟକ, ନୂଆ ପନ୍ଥା ଅନ୍ୱେଷଣ ଆବଶ୍ୟକ । ଦାରିଦ୍ର୍ୟପାଇଁ ମ୍ୟୁଜିୟମ ଆହୁରି ଅନେକ ଦୂର ଓ ରାସ୍ତା ଅନେକ ଲମ୍ବା ।

୨୨ ଫେବୃଆରୀ, ୨୦୦୭

ବିକଳ୍ପ ବିଶ୍ୱ ୧୧୫