ପୃଷ୍ଠା:Bikalpa Biswa.pdf/୧୧୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଭାଷା ଭାସି ଯାଉଛି

ଭବଜଳରେ ଭାଷାମାନେ ଭାସିଯିବା ପ୍ରକ୍ରିୟା ଆରମ୍ଭ ହେଲାଣି । ଏବେ ସମ୍ବାଦ ପୃଷ୍ଠାରେ ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବୀ ପ୍ରସନ୍ନ ନିଜର ଉଦ୍‌ବେଗ ପ୍ରକାଶ କରି ଲେଖିଛନ୍ତି, କୋୟା ଭାଷାର ଅନୁବାଦକ ନ ଥିବାରୁ ବିଚାରପତି, ମାଲକାନଗିରିିରୁ ଗିରଫ ହୋଇଥିବା କୋୟାଙ୍କର ବୟାନ ଲିପିବଦ୍ଧ କରିପାରିଲେ ନାହିଁ । ଅଭିଯୁକ୍ତକୁୁ ଦୁଇବର୍ଷ ଜେଲ୍‌ରେ ରହିବାକୁ ପଡ଼ିଲା । ଏହା କେବଳ କୋରାପୁଟ ଆଦିବାସୀଙ୍କର ବା କୋୟା ଭାଷାର ସମସ୍ୟା ନୁହେଁ ବରଂ ଏବେ ଏକ ଆନ୍ତର୍ଜାତିକ ସମସ୍ୟା । ପୃଥିବୀରେ ଯେଉଁ ୬୯୦୦ ପ୍ରକାର ଭାଷା ରହିଛି ସେଥିରୁ କେବଳ ଛଅଟି ବ୍ୟବହାର ହୁଏ ମିଳିତ ରାଷ୍ଟ୍ରସଙ୍ଘରେ । ସେଗୁଡିକ ହେଲେ ଆରବିକ୍, ଚାଇନିଜ୍, ଇଂଲିଶ୍, ଫ୍ରେଞ୍ଚ୍, ରସିଆନ୍, ସ୍ପାନିସ୍ ଭାଷା । ଭାରତରେ ଯେଉଁ ୧୮୫୦ ପ୍ରକାର ଭାଷା, ଉପଭାଷା ରହିଛି, ସେଥିରୁ ଶତକଡ଼ା ମାତ୍ର ଏକ ଭାଗରୁ ଅଧିକ (୨୨) ଭାଷାଙ୍କୁ ସରକାରୀ ମାନ୍ୟତା ମିଳିଛି । ତା’ଭିତରୁ ତିନିଟି - ହିନ୍ଦୀ, ଇଂରାଜୀ ଓ ରାଜ୍ୟଭାଷା/ମାତୃଭାଷାକୁ ସ୍ୱତନ୍ତ୍ର ସ୍ଥାନ ଦେଇ ତ୍ରିଭାଷୀ ଫର୍ମୁଲାଦ୍ୱାରା ବହୁଭାଷୀ ଭାରତରେ ଭାଷା ବିବାଦର ସମାଧାନ ଆପାତତଃ କରାଯାଇଛି । ଏହି ଫର୍ମୁଲାର ଦୁର୍ଗୁଣ ହେଲା ଯାହାଙ୍କର ମାତୃଭାଷା ଓ ରାଷ୍ଟ୍ରଭାଷାରେ ଫରକ୍ ନାହିଁ ସେମାନଙ୍କର ପ୍ରାଧାନ୍ୟ ବଢ଼ିଯାଇଛି ।

ଉଦାହରଣ ସ୍ୱରୂପ, ଭାରତରେ ୪୦ କୋଟି ଲୋକଙ୍କ ମାତୃଭାଷା ହେଉଛି ରାଷ୍ଟ୍ରଭାଷା ହିନ୍ଦୀ ଓ ଏହି କାରଣରୁ ହିନ୍ଦୀ-ଭାଷୀ ଅଞ୍ଚଳରେ ତ୍ରିଭାଷୀ ସୂତ୍ର କାମ କରୁନାହିଁ । ଏହି ଅଞ୍ଚଳର ଲୋକେ ତିନିଟି ଭାଷା ଶିଖିବାକୁ ଚାହୁଁନାହାନ୍ତି । ଫଳରେ ଅଣହିନ୍ଦୀ ଅଞ୍ଚଳରେ ହିନ୍ଦୀର ପ୍ରାଧାନ୍ୟ ବଢ଼ିଚାଲିଛି, କାରଣ ଏହା ସମସ୍ତଙ୍କର ରାଷ୍ଟ୍ରଭାଷା । ତେଣୁ ଏବେ ଓଡ଼ିଶାରେ କୋୟା ଭାଷାର ଦଶା ଯାହା, ଆଗାମୀ ଦୁଇଶହ ବର୍ଷ ମଧ୍ୟରେ ଓଡ଼ିଆ ଭାଷାର ସେଇ ଦଶା ହେବ । ଯେଉଁ ଭାଷାରେ କହିବା ଲୋକଙ୍କ

୧୧୬ ବିକଳ୍ପ ବିଶ୍ୱ