ପୃଷ୍ଠା:Bikalpa Biswa.pdf/୧୧୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏବେ ପୃଥିବୀର ୬୫୦୦ ଭାଷାଙ୍କ ମଧ୍ୟରୁ ପ୍ରତି ପନ୍ଦର ଦିନରେ ଗୋଟିଏ ଲେଖାଏଁ ଭାଷାର ଅପମୃତ୍ୟୁ ଘଟୁଛି । ଭାଷାବିତ୍‌ମାନଙ୍କ ମତରେ ଯେଉଁ ଉପଭାଷା ବା ଡାଏଲେକ୍ଟରେ ଲକ୍ଷେରୁ ଅଧିକ ଲୋକ କଥାଭାଷା ହେଉଥିବେ, ସେ ସବୁ କିଛି ସମୟ ପାଇଁ ବଞ୍ଚି ରହିବେ କିନ୍ତୁ ଏହି ଭାଷା କହୁଥିବା ଲୋକେ ଯଦି ବିଭିନ୍ନ ଓ ବିଚ୍ଛିନ୍ନ ଅଞ୍ଚଳରେ ରହିବେ ତେବେ ଭାଷାକୁ ବଞ୍ଚାଇବା କଷ୍ଟକର ହେବ । ଭାରତରେ ଭୋଜପୁରୀ, ମୈଥିଳୀ, ସାନ୍ତାଳୀ, ସିନ୍ଧୀ ଭାଷାର ଏଇ ଅବସ୍ଥା । କ୍ଷୁଦ୍ର ମିଜୋରାମ ରାଜ୍ୟରେ ପ୍ରତି ଦଶ କିଲୋମିଟରରେ ଲୋକଭାଷା ବଦଳି ଯାଇଥାଏ । ନାଗାଲାଣ୍ଡ ଲୋକେ ନିଜ ମାତୃଭାଷା ଭୁଲି ଇଂରାଜୀରେ କଥା ହୁଅନ୍ତି । ଏହି ପ୍ରକ୍ରିୟାରେ ଆଜି ସୁଦ୍ଧା ପୃଥିବୀର ୩୪୫୦ଟି ଭାଷା ନିଜର ଅସ୍ତିତ୍ୱ ହରାଇବାକୁ ବସିଲେଣି । ଇଂରାଜୀ ଭାଷା ବଞ୍ଚିବା ଓ ବ୍ୟାପିବାର ଐତିହାସିକ କାରଣ ସମସ୍ତଙ୍କୁ ଜଣା । କିନ୍ତୁ ଅନ୍ୟ ଏକ ମୁଖ୍ୟ କାରଣ ହେଲା, ଏହା ଏକ ସ୍ମାର୍ଟ ବା ଚତୁର ଭାଷା । ଏହାର ଶବ୍ଦ କୋଷ ଅନ୍ୟ ଭାଷାମାନଙ୍କରୁ ଶବ୍ଦ ସବୁ ନେଇ ନିଜ ଭିତରେ ମିଶାଇବାରେ ପାରଙ୍ଗମ । ଆଜିର ପରିସ୍ଥିତରେ ଯେଉଁ ଭାଷା ସ୍ଥାଣୁ, ସେ ଭାଷା ବଞ୍ଚିବାର ଆଶା କମ୍ ।

ଭାଷା କେବଳ ଭାବ ଆଦାନ ପ୍ରଦାନର ମାଧ୍ୟମ ନୁହେଁ, ଏହା ଇତିହାସ, କଳା, ସଂସ୍କୃତି, ସାହିତ୍ୟ, ଜୀବନଶୈଳୀ, ସଭ୍ୟତା ଓ ଆତ୍ମସମ୍ମାନର ମୂଳ ଆଧାର । ସେଥିଲାଗି ପଚାଶରୁ ଅଧିକ ଦେଶରେ ରହୁଥିବା ଇହୁଦୀମାନେ ଯେତେବେଳେ ମାତୃଭୂମିକୁ ଫେରି, ଇସ୍ରାଏଲ୍ ପ୍ରତିଷ୍ଠା କଲେ; ସେମାନେ ପ୍ରଥମେ ଭୁଲି ଯାଇଥିବା ନିଜ ମାତୃଭାଷା ‘ହିବ୍ରୁ’କୁ ନୂଆ ଜୀବନ ଦେଇ ରାଷ୍ଟ୍ରଭାଷାର ସ୍ଥାନ ଦେଲେ । ଚତୁର୍ଦ୍ଦଶ ଶତାବ୍ଦୀ ପୂର୍ବରୁ ଇଂରେଜମାନେ ପରାଧୀନ ଥିବାରୁ ନିଜ ଭାଷାରେ ଲେଖିବାକୁ ଡରୁଥିଲେ । ଫ୍ରାନ୍‌ସ ଲୋକେ ଆତ୍ମସମ୍ମାନରେ ଆଞ୍ଚ ଆସିବ ଭାବି ଇଂରାଜୀ କୁହନ୍ତି ନାହିଁ । ସେହି ଭାଷା ଆଜି ବିଶ୍ୱଭାଷା ହୋଇ ଠିଆ ହୋଇଛି ।

ଭାରତରେ ଭାଷାକୁ ଭିତ୍ତି କରି ରାଜ୍ୟ ପୁନର୍ଗଠନ କରାହୋଇଛି । ପୂର୍ବ ପାକିସ୍ଥାନର ଲୋକେ, ଇସ୍‌ଲାମ୍ ନୁହେଁ, ବଙ୍ଗଳା ଭାଷାକୁ ନିଜର ପ୍ରକୃତ ପରିଚୟ କହି, ବିଦ୍ରୋହ କରି ପାକିସ୍ଥାନଠାରୁ ଅଲଗା ହୋଇ ବାଂଲାଦେଶ ପ୍ରତିଷ୍ଠା କଲେ । ପଡ଼ୋଶୀ ଶ୍ରୀଲଙ୍କାରେ ତାମିଲ୍‌ଭାଷୀ ଲୋକେ ସିଂହଳ ଭାଷୀ ଲୋକଙ୍କଠାରୁ ଅଲଗା ହେବାପାଇଁ ଗତ ୩୦ ବର୍ଷ ହେଲା ସଂଗ୍ରାମ କରି ଆସୁଛନ୍ତି । ସୁଦୂର କାନାଡ଼ାରେ ଫ୍ରେଞ୍ଚ୍ ଭାଷୀ କ୍ୟୁବେକ୍ ଅଞ୍ଚଳ ଇଂରାଜୀ ଭାଷୀ କାନାଡ଼ାଠାରୁ ଅଲଗା ହୋଇ ସ୍ୱତନ୍ତ୍ର ଦେଶର ମର୍ଯ୍ୟାଦା ଦାବି କରିଆସୁଛି । ଇଣ୍ଡୋନେସିଆର ପ୍ରାୟ ୧୫ ହଜାର ଦ୍ୱୀପ ଉପ‌ଦ୍ୱୀପ ଗୁଡିକୁ ଏକାଠି

୧୧୮ ବିକଳ୍ପ ବିଶ୍ୱ