ପୃଷ୍ଠା:Bikalpa Biswa.pdf/୧୧୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରଖିବାପାଇଁ ଏକ ସ୍ଲୋଗାନ୍ ଦିଆଯାଏ - “ସାତୁ ଦେଶା, ସାତୁ ବଂଶା, ସାତୁ ବାହାଷା” ଅର୍ଥାତ୍ ଆମେ ସମସ୍ତେ ଏକଦେଶୀ, ଏକବଂଶୀ ଓ ଏକଭାଷୀ । ମଧ୍ୟପ୍ରାଚ୍ୟର ମୁସ୍‌ଲିମ୍ ଦେଶମାନେ ଭାଷା ଓ ସଂସ୍କୃତି କାରଣରୁ ଅଲଗା ଅଲଗା ରହିଛନ୍ତି । ଏବେ ତୁର୍କୀ ପାର୍ଲିଆମେଣ୍ଟ ସେଠାରେ ରହୁଥବା କୁର୍ଦ ଜାତିର ଲୋକଙ୍କୁ ନିଜ ଭାଷାରେ ପାଠ ପଢ଼ିବାକୁ ଅଧିକାର ଦେଇଛନ୍ତି । ପୂର୍ବରୁ ଏଇ ଅଧିକାର କାଢ଼ି ନିଆଯାଇଥିଲା ।

ମଣିଷ ଏକ ସାମାଜିକ ପ୍ରାଣୀ - ଏକଥା ସମସ୍ତଙ୍କୁ ଜଣା । କିନ୍ତୁ ମଣିଷର ଦ୍ୱିତୀୟ ସଂଜ୍ଞା ହେଲା, ସେ ଏକ ଭାଷା ବା କଥା କହୁଥିବା ପ୍ରାଣୀ (ସ୍ପିକିଙ୍ଗ ଆନିମଲ) । ଯେଉଁ ଭାଷା ଓ ସାହିତ୍ୟ ସୃଷ୍ଟିପାଇଁ ମାନବ ସମାଜକୁ ହଜାର ହଜାର ବର୍ଷ ଲାଗିଥିଲା ସେ ଭାଷାମାନଙ୍କର ବର୍ତ୍ତମାନର ଅବସ୍ଥା ଉଦ୍‌ବେଗଜନକ । “ଏଥ୍‌ନୋଲଗ୍ : ଲାଙ୍ଗୁଏଜ୍ ଅଫ୍ ଦି ୱାର୍ଲଡ୍” ରିପୋର୍ଟ ଅନୁସାରେ ବିଭିନ୍ନ ସମୟରେ ସୃଷ୍ଟି ହୋଇଥିବା ପୃଥିବୀର ୬୯୧୨ ଭାଷା ମଧ୍ୟରୁ ଏସିଆ ମହାଦେଶ ହେଉଛି ସର୍ବାଧିକ ୨,୨୬୯ ଭାଷାର ଜନନୀ ଏବଂ ସବୁଠାରୁ କମ୍ ସଂଖ୍ୟକ ଭାଷା - ୨୩୯ - ସୃଷ୍ଟି ହୋଇଥିଲା ୟୁରୋପରେ । ଏସିଆ ପଛକୁ ଆଫ୍ରିକାରେ ସୃଷ୍ଟି ହୋଇଥିଲା ୨,୦୯୨ ଭାଷା । ଉଭୟ ଆମେରିକାରେ ୧୦୦୨ ପ୍ରକାର ଏବଂ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୧,୩୧୦ ପ୍ରକାର ଭାଷା ଥିଲା । ଏମାନଙ୍କ ମଧ୍ୟରୁ ଅଧିକାଂଶ ମରି ହଜିଗଲାଣି । କାରଣ ‘ସ୍ପିକିଂ ଆନିମଲ୍’ମାନେ ଆଉ ସେ ଭାଷା କହୁନାହାନ୍ତି - ତେଣୁ ଅନୁବାଦର ଆବଶ୍ୟକତା ପଡ଼ୁନାହିଁ । ଅଷ୍ଟ୍ରେଲିଆର ଆଦିମ ଅଧିବାସୀ କହୁଥିଲେ ୪୦୦ ପ୍ରକାର ଉପଭାଷା । ଏବେ ମାତ୍ର ୨୨ଟି ବଞ୍ଚିଛନ୍ତି । ଭାରତରେ ଓଡ଼ିଆମାନଙ୍କର ବଡ଼ ଅଭ୍ୟାସ ହେଲା- ‘ଯେ ଦେଶ ଯାଇ ନିଜର ଭାଷା ଭୁଲି ଯାଇ ସେ ଭାଷା କହି’ (ସେ ଫଳ ଖାଇ ନୁହେଁ) । ତେଣୁ ଓଡ଼ିଆ ଭାଷା ଉପରେ ଚଡ଼କ ଆଗ ପଡ଼ିପାରେ । ସୌଭାଗ୍ୟବଶତଃ ଏବେ ସୁଦୂର ଆମେରିକାର କାଲିଫର୍ଣ୍ଣିଆ ରାଜ୍ୟରେ ପ୍ରବାସୀ-ବିଦେଶୀ ଓଡ଼ିଆମାନେ ଏକାଠି ହୋଇ ଏକ ଓଡ଼ିଆ ଭାଷା ଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା କରି ତା ନାଁ ଦେଇଛନ୍ତି - “ଚାଲ ଆମେ ଓଡ଼ିଆ ଶିଖିବା ।” ବିଦେଶ ଯାଇ ନୂଆ ଭାଷା ଶିଖିବା ଭଲ କଥା, କିନ୍ତୁ ମାତୃଭାଷାକୁ ଭୁଲି କରି ନୁହେଁ । ଏବେ କାନାଡ଼ିଆନ୍ ବୈଜ୍ଞାନିକମାନେ କହିଲେଣି, ଅଧିକ ଭାଷା କହିବା ଅଧିକ ସ୍ୱାସ୍ଥ୍ୟକର । ଏହାଦ୍ୱାରା ମସ୍ତିଷ୍କରେ ଅଧିକ ରକ୍ତ ସଂଚାଳନ ହୁଏ ଏବଂ ଆଲ୍‌ଜିମର୍ ଓ ଡିମେନ୍‌ସିଆ ଭଳି ଭୁଲା ରୋଗରୁ ରକ୍ଷା ମିଳେ ।

ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ କ୍ଷୁଦ୍ର ରାଜ୍ୟ ପାପୁଆ ନିଉ ଗିନି

ବିକଳ୍ପ ବିଶ୍ୱ ୧୧୯