ପୃଷ୍ଠା:Bikalpa Biswa.pdf/୧୨୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସହରୀକରଣର ସୁଅ- ଭାରତ ହେବ ‘ଇଣ୍ଡିଆ’

ଏବେ ଆମ ଦେଶରେ ଛୋଟ ବଡ଼ ହୋଇ ପ୍ରାୟ ସାଢେ ସାତଲକ୍ଷ ଗାଁ ଅଛି । ଓଡ଼ିଶାରେ ଗାଁ ସଂଖ୍ୟା ହେଲା ୫୧,୦୫୮ ଓ ପ୍ରାୟ ୮୫ ଭାଗ ଲୋକ ରହନ୍ତି ଗାଁରେ । ଭାରତ ଏକ ଗ୍ରାମପ୍ରଧାନ ଦେଶ ଓ ଏହାର ଆତ୍ମା ଗାଁ ବୋଲି ଗାନ୍ଧିଜୀ ସହରୀ ଲୋକଙ୍କୁ ବାରମ୍ବାର ମନେ ପକାଇ ଦେଉଥିଲେ । ଗ୍ରାମ ସ୍ୱରାଜ ଥିଲା ତାଙ୍କର ସ୍ୱପ୍ନ ଓ ତାକୁ ସାକାର କରିବାପାଇଁ ଗ୍ରାମପଞ୍ଚାୟତ ଗଢ଼ାହେଲା । ସମ୍ବିଧାନକୁ ସଂଶୋଧନ କରି ପଞ୍ଚାୟତମାନଙ୍କୁ ଅଧିକ କ୍ଷମତା ଦିଆଗଲା । କେନ୍ଦ୍ରରେ ଓ ପ୍ରତି ରାଜ୍ୟରେ ପଞ୍ଚାୟତିରାଜ ମନ୍ତ୍ରାଳୟ ପ୍ରତିଷ୍ଠା କରାଗଲା । କିନ୍ତୁ, ଆସନ୍ତା ୨୫-୩୦ ବର୍ଷ ମଧ୍ୟରେ ଭାରତ ଆଉ ଗ୍ରାମ ପ୍ରଧାନ ଦେଶ ହୋଇ ରହିବ ନାହିଁ, ଭାରତ ହୋଇଯିବ ଇଣ୍ଡିଆ, ଏକ ସହରପ୍ରଧାନ ଦେଶ । ଓଡ଼ିଶା, ବିହାର, ହିମାଚଳ ପ୍ରଦେଶ ଓ ଆସାମ - ଏଇ ଚାରୋଟି ରାଜ୍ୟ ଗ୍ରାମପ୍ରଧାନ ଦେଶର ଶେଷ ପରିଚୟ ହୋଇ ରହିବେ - ଆସନ୍ତା ପଚାଷ ବର୍ଷ ପର୍ଯ୍ୟନ୍ତ ।

ରେଜିଷ୍ଟ୍ରାର୍ ଜେନେରାଲ୍, ଜନଗଣନା କାର୍ଯ୍ୟାଳୟଦ୍ୱାରା ଏକ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୬ ମସିହା ସୁଦ୍ଧା ଭାରତର ଅନେକ ଅଂଶ ସହରପ୍ରଧାନ ହୋଇଯିବ । ସେତେବେଳକୁ ଦେଶରେ ପ୍ରତି ଶହେ ଜଣରେ ୩୮ ଜଣ ରହୁଥିବେ ସହରରେ । କିନ୍ତୁ ତା’ପୂର୍ବରୁ ୨୦୦୨ ମସିହାରେ ‘ଗୋଆ’ ରାଜ୍ୟ ଭାରତର ପ୍ରଥମ ସହରୀ ପ୍ରଦେଶ ହୋଇ ସାରିଲାଣି । ଗୋଆରେ ଏବେ ୫୦ ଭାଗରୁ ଅଧିକ ଲୋକ ସହରାଞ୍ଚଳରେ ରହୁଛନ୍ତି ଏବଂ ୨୦୨୬ ମସିହାରେ ଏଠାରେ ପ୍ରାୟ ୭୮ ଭାଗ ଲୋକ ସହରୀ ହୋଇଯିବେ । ସେହିପରି ୨୦୦୩ ରୁ ମିଜୋରାମ ମଧ୍ୟ ସହରପ୍ରଧାନ ରାଜ୍ୟ

୧୨୨ ବିକଳ୍ପ ବିଶ୍ୱ