ପୃଷ୍ଠା:Bikalpa Biswa.pdf/୧୨୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରହୁଥିବା ୨୦ଟି ମହାନଗରୀ ଅଛନ୍ତି । ବିଶ୍ୱର ସବୁଠାରୁ ବଡ଼ ମହାନଗର ହେଲା ଜାପାନ୍‌ର ଟୋକିଓ । ଏହାର ଜନସଂଖ୍ୟା ତିନି କୋଟି ପଚାଶ ଲକ୍ଷ । ସମଗ୍ର କେନିଆ ଦେଶର ଜନସଂଖ୍ୟା (୩ କୋଟି ୪୦ ଲକ୍ଷ) ଠାରୁ ଦଶଲକ୍ଷ ଅଧିକ । ତା’ତଳକୁ ନ୍ୟୁୟର୍କ ଓ ମେକ୍ସିକୋ ସିଟି (କୋଟିଏ ନବେ ଲକ୍ଷ), ସାଓପଲୋ ଓ ମୁମ୍ବାଇ (କୋଟିଏ ଅଶୀଲକ୍ଷ) - ଏମିତି କୋଡିଏଟି । ୨୦୧୫ ମସିହାରେ ମୁମ୍ବାଇ ମହାନଗରୀ ନ୍ୟୁୟର୍କକୁ ଟପି ପୃଥିବୀର ଦ୍ୱିତୀୟ ଜନୁବହୁଳ ମହାନଗରୀ ହେବ । କିନ୍ତୁ ଶତକଡ଼ା ୫୧ ଭାଗ ସହରାଞ୍ଚଳ ଲୋକ ମହାନଗରରେ ନ ରହି ଛୋଟବଡ଼ ସହରମାନଙ୍କରେ ରହନ୍ତି । ଅଧିକାଂଶ ଗ୍ରାମାଞ୍ଚଳ ଏବେ ଇଂରାଜୀ କବି ୱର୍ଡ଼ୱର୍ଥଙ୍କ ‘ଡେଜର୍ଟେଡ୍ ଭିଲେଜ’ ପାଲଟିଲେଣି । କବି ସଚ୍ଚି ରାଉତରାୟଙ୍କ ‘ଛୋଟ ମୋର ଗାଁଟି’କୁ ପଚାଶ ବର୍ଷ ପରେ ଲୋକେ ଖୋଜିଲେ ମିଳିବା କଷ୍ଟକର ହେବ । ଭୂଗୋଳ ପୋଥି ପତରରେ ସତରେ ସେମାନଙ୍କ ନାଁ ନଥିବ ବା ସେମାନେ ସହରୀ ହୋଇଯାଇଥିବେ ବା ସହରରେ ମିଶି ଯାଇଥିବେ ।

କିନ୍ତୁ ଯେଉଁସବୁ ଦେଶରେ ବହୁ ବର୍ଷ ପୂର୍ବେ ଦୃତ ସହରୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ସେଥିରୁ ଅନେକ ଦେଶରେ ଏବଂ ବଡ଼ ବଡ଼ ସହରରେ ବିପରୀତ ସହରୀକରଣ ଆରମ୍ଭ ହେଲାଣି । ଡେନ୍‌ମାର୍କର କୋପେନ୍‌ହାଗେନ୍ ସହରରେ; ଜର୍ମାନୀର ହାନୋଭରରେ; ଇଟାଲୀର ଫ୍ଲୋରେନ୍ସ, ମିଲାନ୍, ରୋମ୍‌ରେ; ନେଦରଲାଣ୍ଡର ଆମଷ୍ଟରଡାମ୍ ଓ ରୋଟରଡାମରେ; ଆମେରିକାର ଡେଟ୍ରଏଟ୍ ଓ ନ୍ୟୁୟର୍କରେ; ଇଂଲଣ୍ଡର ଲଣ୍ଡନ, ଲିଭରପୁଲ ଓ ମାଞ୍ଚେଷ୍ଟରରେ; ଜାପାନ୍‌ର କ୍ୟୋଟୋ ସହରରେ ନାଗରିକଙ୍କ ସଂଖ୍ୟା ବୃଦ୍ଧି ଅନୁପାତ କମିବାରେ ଲାଗିଲାଣି । ଏସବୁ ଅଞ୍ଚଳରେ ଲୋକେ ଏବେ ଛୋଟ ସହର, ସହରତଳି ଓ ଗ୍ରାମ୍ୟ ପରିବେଶରେ ରହିବାକୁ ପସନ୍ଦ କରୁଛନ୍ତି । ଅନ୍ୟ ପକ୍ଷରେ ବହୁ ବିକାଶଶୀଳ ଦେଶରେ ସହରୀକରଣ ପ୍ରକ୍ରିୟା ଅପ୍ରତିହତ ରହିଛି । ବିଶେଷକରି ଯେଉଁ ଦେଶରେ ଗ୍ରାମାଞ୍ଚଳର ଲୋକେ କୃଷି ଉପରେ ନିର୍ଭର କରି ଚଳି ପାରୁନାହାନ୍ତି ଓ ସେଠାରେ ଅଣ କୃଷିଭିତ୍ତିକ ରୋଜଗାରର ସୁବିଧା ନାହିଁ, ସେଠି ଲୋକେ ଗାଁ ଛାଡ଼ି ସହରମୁଖୀ ହେଉଛନ୍ତି । ଭାରତରେ ଏହି ଗୋଷ୍ଠୀର ଲୋକଙ୍କଯୋଗୁଁ ସହରୀକରଣ ବଢ଼ିଚାଲିଛି । ଏହାଛଡ଼ା ସହରମାନଙ୍କରେ ଉଚ୍ଚମାନର ସଞ୍ଚାର ବ୍ୟବସ୍ଥା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ସୁବିଧା ମିଳୁଥିବାରୁ ଭାରତର ମଧ୍ୟବିତ୍ତ ଶ୍ରେଣୀ ସହର ପ୍ରତି ଆକୃଷ୍ଟ ହେଉଛନ୍ତି । ବଡ଼ ବଡ଼ କମ୍ପାନିମାନେ ମଧ୍ୟ ନୂଆ ସହର ସୃଷ୍ଟି କରନ୍ତି । ତା’ଛଡା ସରକାର ମଧ୍ୟ ନିଜ ସୁବିଧାପାଇଁ ସହରସବୁ ବସେଇଛନ୍ତି । ଇଂରେଜମାନେ ନୂଆଦିଲ୍ଲୀ ସହର ଗଢ଼ି କଲିକତାରୁ ଭାରତର ରାଜଧାନୀକୁ ଉଠାଇ ନେଇଥିଲେ । ନୂଆ

୧୨୪ ବିକଳ୍ପ ବିଶ୍ୱ