ପୃଷ୍ଠା:Bikalpa Biswa.pdf/୧୨୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କାରଖାନା ଦୂଷିତ କରିଥାନ୍ତି । ବାୟୁମଣ୍ଡଳକୁ ଦୂଷିତ କରିବାରେ ସହରରେ ଚାଲୁଥିବା ଗାଡ଼ି ମଟର ହେଉଛନ୍ତି ମୁଖ୍ୟ ଆସାମୀ । ସହରରେ ଥିବା ବସ୍ତି ବା ସ୍ଲମ୍‌ରେ ଲୋକେ ଅତ୍ୟନ୍ତ କଠୋର ଓ ଦୟନୀୟ ଜୀବନଯାପନ କରନ୍ତି । ଗାଁରୁ ଲୋକ ଆସି ସହରକୁ ଗଢ଼ନ୍ତି, ବଢ଼ାନ୍ତି, କିନ୍ତୁ ସହର ସେମାନଙ୍କୁ ମଶା, ମାଛି ଭଳି ବ୍ୟବହାର କରେ । ଗାଁ ଅପେକ୍ଷା ସହରର ମଇଳା ଓ ଆବର୍ଜନା ଅତ୍ୟନ୍ତ ଅଧିକ । ଧ୍ୱନି ପ୍ରଦୂଷଣ ପାଇଁ ସହରମାନେ ବିଖ୍ୟାତ । ଗ୍ରାମାଞ୍ଚଳରେ ପ୍ରତି ବର୍ଗ କିଲୋମିଟରରେ ୩ ଶହରୁ ୫ ଶହ ଲୋକ ରହୁଥିବା ବେଳେ ସହରରେ ସେତିକି ଜାଗାରେ ରହନ୍ତି ଦେଢ଼ ଲକ୍ଷ ଲୋକ । ଗାଁରେ ସାମାଜିକ ଭେଦଭାବ ଯେତିକି, ସହରରେ ସାମାଜିକ ଶୂନ୍ୟତା ତାଠାରୁ ଅଧିକ । ସହରର ବେଶ ପୋଷାକ, ଫେସନ୍, ଚାଲିଚଳନ, ଖାଦ୍ୟପେୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମର କୁପ୍ରଭାବ ଗାଁ ଲୋକଙ୍କ ଉପରେ ପଡ଼ିଥାଏ । ଜଣେ ସହରୀ ୧୨୫ ଗୁଣରେ ଅଧିକ ପ୍ରଦୂଷଣ କରିଥାନ୍ତି ।

ଆସନ୍ତା ୧୦ ବର୍ଷ ମଧ୍ୟରେ ପୃଥିବୀର ସବୁଠାରୁ ଅଧିକ ସହରୀ ରହିବେ ଭାରତରେ । ସେତେବେଳକୁ କେବଳ ମହାନଗରୀ ଦିଲ୍ଲୀର ଜନସଂଖ୍ୟା ହେବ ଦୁଇକୋଟି ତେରଲକ୍ଷ । ବମ୍ବେ, କୋଲକାତା, କାନପୁର, ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ ଭଳି ବଡ଼ ବଡ଼ ସହରରେ ପାଣି ଓ ବିଜୁଳି ସଙ୍କଟ ଦେଖାଦେବ । ଉଦାହରଣ ସ୍ୱରୂପ ଦିଲ୍ଲୀର ଶତକଡ଼ା ୬୮ ଭାଗ ବାସିନ୍ଦା ଉତ୍କଟ ଜଳସଙ୍କଟ ଦେଇ ଗତି କରିବେ, ଅଧେ ଲୋକଙ୍କୁ ବିଜୁଳି ମିଳିବ ନାହିଁ, ୭୧ ଭାଗ ଆବର୍ଜନା ସଫା ହୋଇପାରିବ ନାହିଁ ଏବଂ ଯାନବାହନର ଗତି ହେବ ଘଣ୍ଟାକୁ ଛ କିଲୋମିଟର । ୩୬ଟି ନଗରରେ ବାୟୁମଣ୍ଡଳ ପ୍ରଦୂଷଣ ହେତୁ ପ୍ରତିିଦିନ ୧୧୦ ଜଣ ନାଗରିକ ଅକାଳ ମୃତ୍ୟୁବରଣ କରିବେ ।

ଏସବୁ ସତ୍ତ୍ୱେ ସହରୀକରଣ ପ୍ରକ୍ରିୟା ଜାରି ରହିବ । ଗାଁମାନଙ୍କରେ ସହରୀୟ ସୁବିଧା ବ୍ୟବସ୍ଥା ହେଲେ ସେମାନେ ବି କ୍ରମଶଃ ସହର ପାଲଟିବେ । ଭାରତରେ ବିକାଶ ଚର୍ଚ୍ଚା ଗ୍ରାମକୈନ୍ଦ୍ରିକ ଥିଲା, ଏହା କ୍ରମେ ସହରକୈନ୍ଦ୍ରିକ ହେବ, କାରଣ ସହରରେ ଅଳ୍ପ ଜାଗାରେ ଅଧିକ ଭୋଟର ରହିବେ ।

୨୨ ମାର୍ଚ୍ଚ, ୨୦୦୭

୧୨୬ ବିକଳ୍ପ ବିଶ୍ୱ