ପୃଷ୍ଠା:Bikalpa Biswa.pdf/୧୨୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବିକଳ୍ପ ମାତାପିତା ଓ କଳ ଚାକର

ଆଧୁନିକ ସମାଜରେ ମାତା ଓ ପିତାଙ୍କର ସଂଜ୍ଞା ଓ ଅର୍ଥ ବଦଳି ଗଲାଣି । ପାଶ୍ଚାତ୍ୟ ଦେଶମାନଙ୍କରେ ଏବେ ପିଲାଏ ମାତା, ପିତାଙ୍କୁ ‘ବାୟୋଲଜିକାଲ୍ ଫାଦର୍’ କହୁଛନ୍ତି । ମାତା ବା ପିତାଙ୍କ ଦ୍ୱିତୀୟ ପାଳିତ ବା ଚତୁର୍ଥ ପତ୍ନୀଙ୍କଠାରୁ ଜାତ ସନ୍ତାନଙ୍କୁ ଅଧା ଭାଇ, ଚଉଠା ଭଉଣୀ ବୋଲି ପରିଚୟ ଦିଆଯାଉଛି । ଯଦି ମାତାଙ୍କର ପତିଙ୍କ ନମ୍ବର ଅଷ୍ଟମ ଓ ପିତାଙ୍କ ପତ୍ନୀଙ୍କ ନମ୍ବର ଦଶମ, ତେବେ ପିଲାଙ୍କପାଇଁ ବାପ ମା ଥିବା ନ ଥିବାରେ କୌଣସି ଫରକ ପଡ଼ୁନାହିଁ । ଭାରତରେ ଜନନୀ ଓ ଜନ୍ମଭୂମିକୁ ସ୍ୱର୍ଗଠାରୁ ବଡ଼ ଏବଂ ପିତାଙ୍କୁ ଧର୍ମ ଓ ପରମାତ୍ମାଙ୍କ ସହ ତୁଳନା କରାଯାଉଥିଲା । ମା’ମାନେ ପିଲାମାନଙ୍କୁ ଲାଳନପାଳନ କରିବା ସମୟରେ ଏବଂ ଏପରି କି ଗର୍ଭାବସ୍ଥାରେ ମଧ୍ୟ ଯେଉଁ ଷୋହଳ ପ୍ରକାର କଷ୍ଟ ସହିଥାନ୍ତି ତା’କୁ ‘ମାତୃ ଷୋଡ଼ଶୀ’ ବୋଲି କୁହାଯାଏ ଏବଂ ପିଲାଙ୍କ ବାହାଘର ସମୟରେ ବେଦି ଉପରେ ପଢ଼ି ଶୁଣାଇ ଦିଆଯାଏ । ଗର୍ଭଧାରଣଠାରୁ ଖୁଆଇ ପିଆଇ ବଡ଼ କଲା ପର୍ଯ୍ୟନ୍ତ ତ୍ୟାଗର ବର୍ଣ୍ଣନା ଏଥିରେ ଅଛି । କାରଣ ବାହାଘର ପରେ ପିଲାମାନେ ନୂଆ ସଂସାର ଗଢ଼ନ୍ତି, ତେଣୁ ପୁରୁଣା ସଂସାର ତାଙ୍କପାଇଁ କେତେ ତ୍ୟାଗ କରିଛି ଓ କଷ୍ଟ ସହିଛି ସେକଥା ମାତୃ ଷୋଡ଼ଶୀ ମାଧ୍ୟମରେ ମନେ ପକାଇ ଦିଆଯାଏ ବେଦି ଉପରେ, ଅଗ୍ନି ଓ ବନ୍ଧୁ ପରିଜନଙ୍କ ସମ୍ମୁଖରେ । ପରୋକ୍ଷରେ ସୂଚନା ଦିଆଯାଏ କି, ସେମାନେ ଯେତେବେଳେ ନିଜେ ମାତା ପିତା ହେବେ, ଯେପରି ନିଜ ଦାୟିତ୍ୱ ଭୁଲି ନଯାନ୍ତି । ସେହିପରି ଭାରତୀୟ ପରମ୍ପରାରେ ଜନ୍ମଦାତାଙ୍କ ଛଡ଼ା ଚାରିଜଣ ବ୍ୟକ୍ତିଙ୍କୁ ପିତା ସ୍ୱରୂପ ବୋଲି କୁହାଯାଏ । ଯେ ଉପନୟନ ସଂସ୍କାର କରନ୍ତି, ଯେ ବିଦ୍ୟାଦାନ କରନ୍ତି, ଯେ ଅନ୍ନ‌ଦାତା ଓ ଯେ ଭୟ ଓ ବିପଦରୁ ରକ୍ଷା କରନ୍ତି । ଏହିପରି ଜନ୍ମଦାତାଙ୍କୁ ମିଶାଇ ପଞ୍ଚପିତାମାତା ସଦା ସ୍ମରଣୀୟ ।

ବିକଳ୍ପ ବିଶ୍ୱ ୧୨୭


୧୨୭