ପୃଷ୍ଠା:Bikalpa Biswa.pdf/୧୩୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପରେ ବିକଳ୍ପ ସନ୍ତାନ ଲୁଇସ୍‌ଙ୍କୁ ମଧ୍ୟ ନିଜ ସନ୍ତାନପାଇଁ ବିକଳ୍ପ ମାତା ପିତା ଖୋଜିବାକୁ ପଡ଼ିବ । ଏହି ପ୍ରକ୍ରିୟାରେ କ୍ରମଶଃ ମାତାପିତା ଓ ସନ୍ତାନଙ୍କ ମଧ୍ୟରେ ଦୂରତ୍ୱ ଆହୁରି ବଢ଼ିଯିବ ।

ଏହି ଅବସ୍ଥା ଭାରତରେ ବି ଦେଖାଗଲାଣି । ବିକଳ୍ପ ମାତା ପିତା ଆଉ ଏକ ଲଘୁ ଆଲୋଚନା ବା ଥଟ୍ଟା ପରିହାସର ବିଷୟ ନୁହେଁ । ଏହା ଆଜିର ବାସ୍ତବତା । ୧୯୫୦-୬୦ ମସିହାରେ ଯଦି ଜଣେ ଗ୍ରାଜୁଏଟ୍ ଯୁବକ ଅନ୍ୟ ଏକ ଗ୍ରାଜୁଏଟ୍ ଯୁବତୀଙ୍କୁ ବିବାହ କରୁଥିଲେ, ଲୋକେ ଥଟ୍ଟାରେ କହୁଥିଲେ “ପୁଅ ବିଏ କୁ ବୋହୂ ବିଏ - ରୋଷେଇ କରିବ କିଏ ?” ଏବେ ସେ ଅବସ୍ଥା ବା ବ୍ୟବସ୍ଥା ନାହିଁ । ଯୌଥ ପରିବାର ଭାଙ୍ଗିଗଲାଣି - ପୁଅ ବୋହୂ ଉଭୟେ ଚାକିରି କରି ଦୂରାନ୍ତରେ ରହୁଛନ୍ତି । ଶାଶୂ-ଶ୍ୱଶୁର ବି ଆଉ ପିଲାଙ୍କ ପାଖରେ ରହିବାକୁ ପସନ୍ଦ କରୁନାହାନ୍ତି । ତେଣୁ ପିଲା ପାଳିବା ପୂରା ଦାୟିତ୍ୱ ବାପ ମା’ଙ୍କ ଉପରେ ପଡ଼ୁଛି, ଦୂରରେ ରହୁଥିବାରୁ ଦୁର୍ବଳ ଯୌଥ ପରିବାର ଏହି କାମରେ ସହଯୋଗ କରିପାରୁନାହାନ୍ତି । କେତେକ ବାପା ମା ‘ଶିଶୁ ପାଳନ’ ପୁସ୍ତକ ପଢ଼ି ଏହି ଜ୍ଞାନକୁ କାମରେ ଲଗାଇବାକୁ ଚେଷ୍ଟା କରୁଛନ୍ତି - ତେଣୁ ପୋଥି ବାଇଗଣ ଓ ବାଡ଼ି ବାଇଗଣ ଭଳି ଜ୍ଞାନ ଓ କର୍ମ ମଧ୍ୟରେ ଫରକ ରହୁଛି ।

ଯେଉଁ ମା’ମାନେ ପ୍ରଫେସନାଲ୍ କ୍ୟାରିଅର୍‌କୁ ଆଗ ସଜାଡ଼ି ବିଳମ୍ବରେ ବିବାହ କରୁଛନ୍ତି, ସେମାନଙ୍କ ପକ୍ଷରେ ପିଲା ପାଳିବା ଆହୁରି କଷ୍ଟକର ହେଉଛି । ଏମାନେ ଛୋଟ ପିଲାଙ୍କଯୋଗୁଁ ନା ରାତିରେ ଭଲ କରି ଶୋଇ ପାରୁଛନ୍ତି, ନା ଠିକ୍ ଭାବରେ ଚାକିରି କାମ ତୁଲାଇ ପାରୁଛନ୍ତି । ତେଣୁ ଏମାନଙ୍କ ମଧ୍ୟରୁ ଅନେକ ଦ୍ୱିତୀୟ ସନ୍ତାନ ଚାହୁଁନାହାନ୍ତି । ଏପରିକି ପ୍ରଥମ ସନ୍ତାନମାନେ ମଧ୍ୟ ମା’ଙ୍କଠାରୁ ଯେଉଁ ସମୟ ପାଇବା କଥା ପାଉନାହାନ୍ତି । ଅନେକ କ୍ଷେତ୍ରରେ ବାପା ଅଫିସ୍ ଗଲା ବାଟରେ ପିଲା ବେକରେ ଘର ଚାବି ବାନ୍ଧି ଦେଇ ସ୍କୁଲରେ ଛାଡ଼ି ଦେଉଛନ୍ତି ଓ ସ୍କୁଲ ବସ୍ ସେମାନଙ୍କୁ ଘର ପାଖରେ ଛାଡ଼ି ଦେଉଛି । ଏଇ ପିଲାଏ ନିଜେ ବେକବନ୍ଧା ଚାବି ଖୋଲି ଶୂନ୍ୟ ଗୃହରେ ପ୍ରବେଶ କରନ୍ତି ଓ ପ୍ୟାରେଣ୍ଟ ଫେରିବା ପର୍ଯ୍ୟନ୍ତ ଟିଭି ଖୋଲି - ଦେଖି ସମୟ କାଟନ୍ତି । ଏବଂ ଟିଭିରେ ଯାହା ଦେଖନ୍ତି ତାକୁ ସତ ଭାବି ସେହିଭଳି ବ୍ୟବହାର କରନ୍ତି । ତେଣୁ ଟିଭିକୁ ଏବେ ବିକଳ୍ପ ମାତା ବୋଲି କୁହାଯାଉଛି ।

ପ୍ରତ୍ୟେକ ମାତା-ପିତା ନିଜ ପିଲାଙ୍କର ମଙ୍ଗଳ ଓ ଉନ୍ନତି ଚାହାନ୍ତି । ତେଣୁ ଯେଉଁ କାମ ନିଜେ କରିବାକୁ ସମୟ ନାହିଁ, ସେଇ ସବୁ କାମକୁ ଅନ୍ୟଦ୍ୱାରା କରାଇବାକୁ ବାଧ୍ୟ ହୁଅନ୍ତି । ଯେଉଁ ମା’ମାନଙ୍କର ରୋଜଗାର କମ୍ ସେମାନେ ଏବେ ଏକାଠି ହୋଇ ଓ

୧୩୦ ବିକଳ୍ପ ବିଶ୍ୱ