ପୃଷ୍ଠା:Bikalpa Biswa.pdf/୧୩୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ପଞ୍ଚମ ଦଶକରେ ପ୍ରଥମ ଶ୍ରେଣୀ

ବିଖ୍ୟାତ ଅର୍ଥନୀତି ଅନୁସନ୍ଧାନକାରୀ ସଂସ୍ଥା ‘ଗୋଲ୍ଡମ୍ୟାନ୍ ସାଜ୍’ଙ୍କ ସଦ୍ୟ ପ୍ରକାଶିତ ରିପୋର୍ଟ ନମ୍ବର ୯୯ ଅନୁସାରେ ଆସନ୍ତା ୫୦ ବର୍ଷ ଭିତରେ ଚାରିଟି ଦେଶ ବିଶ୍ୱ ଅର୍ଥନୀତିକୁ ବିଶେଷ ଭାବରେ ପ୍ରଭାବିତ କରିବେ । ଏଇ ଦେଶମାନଙ୍କର ନାଁର ପ୍ରଥମ ଅକ୍ଷରକୁ ଯୋଡି ସଂକ୍ଷେପରେ ଯେଉଁ ନୂଆ ନାମକରଣ କରାଯାଇଛି - ତା ନାଁ ହେଲା ‘ବ୍ରିକ୍’ - ଅର୍ଥାତ୍ ବ୍ରାଜିଲ୍, ରୁଷିଆ, ଇଣ୍ଡିଆ ଓ ଚାଇନା । ବିଶ୍ୱଅର୍ଥନୀତି ଓ ବିକାଶ ମଞ୍ଚମାନଙ୍କରେ ‘ବ୍ରିକ୍’ର ଶକ୍ତି ବିଷୟରେ ଏବେ ସରଗରମ ଆଲୋଚନା ଆରମ୍ଭ ହେଲାଣି । ମେକ୍ସିକୋକୁ ମିଶାଇ କେତେକ ‘ବ୍ରିକ୍’କୁ କହିଲେଣି ‘ବ୍ରିମ୍’ । ଆଉ କେତେକ ସାଉଥ୍ ଆଫ୍ରିକା ଓ ସମଗ୍ର ସାଉଥ ଏସିଆକୁ ମିଶାଇ ଏହାକୁ ପଞ୍ଚଶକ୍ତି ନାମ ଦେଲେଣି । କିନ୍ତୁ ଯେଉଁ ଭାରତକୁ ଦଶ ବର୍ଷ ତଳେ ବିଭିନ୍ନ ଅର୍ଥନୈତିକ ଗୋଷ୍ଟୀ ହୀନ ଦୃଷ୍ଟିରେ ଖେୁଥିଲେ ସେହି ଦେଶ ଏବେ ବିଶ୍ୱ ଅର୍ଥନୀତି କ୍ଷେତ୍ରରେ ଚହଳ ସୃଷ୍ଟି କରିଛି । ସେହିପରି ଯେଉଁ ଭାରତକୁ ବିକଶିତ ଦେଶ ହେବାପାଇଁ ଆଉ ଦେଢ଼ଶହ ବର୍ଷ ଲାଗିବ ବୋଲି କୁହାଯାଉଥିଲା - ଏବେ ସେ ସମୟସୀମା ୪୦ ବର୍ଷକୁ କମି ଆସିଲାଣି । ବିଭିନ୍ନ ଅର୍ଥନୈତିକ ଗୋଷ୍ଟୀରେ ଏହା ଏବେ ଏକ ବିଶେଷ ଚର୍ଚ୍ଚାର ବିଷୟ ।

ପୃଥବୀରେ ବିକଶିତ ଓ ବିକାଶଶୀଳ ଦେଶମାନେ ନିଜ ନିଜର ସ୍ୱାର୍ଥରକ୍ଷାପାଇଁ ବିଭିନ୍ନ ଗୋଷ୍ଟୀ ବା ଗ୍ରୁପ୍ ତିଆରି କରିଛନ୍ତି । ବଡ଼ ବଡ଼ ଧନୀ ଦେଶମାନଙ୍କର ଏକ ଛୋଟ ଗୋଷ୍ଠୀର ନାଁ ହେଲା ‘ଜି-ଛଅ’ ବା ଜି-ସିକସ୍ । ଏହି ଛଅଟି ଦେଶ ହେଲେ - ଇଂଲଣ୍ଡ, ଫ୍ରାନ୍‌ସ, ଜର୍ମାନୀ, ଇଟାଲୀ, ଜାପାନ୍ ଓ ଯୁକ୍ତରାଷ୍ଟ୍ର ଆମେରିକା । କାନଡ଼ା ଏ ଦଳରେ ମିଶିବା ପରେ ଏବେ ଏହି ଗୋଷ୍ଟୀକୁ କୁହାଯାଉଛି ଗ୍ରୁପ୍ ସେଭେନ୍ । କୋଡ଼ିଏଟି ବିକାଶଶୀଳ ଦେଶ ମିଶି ଗଢ଼ିଛନ୍ତି ‘ଗ୍ରୁପ୍ -୨୦’ । ଗ୍ରୁପ୍ ସେଭେନ୍‌କୁ ଛାଡ଼ି ତିରିଶଟି ଉନ୍ନତ ଦେଶ ଅର୍ଥନୈତିକ ସହଯୋଗପାଇଁ ଗଢ଼ିଛନ୍ତି ଆଉ ଏକ ସଂସ୍ଥା (ଓଇସିଡି) ।

୧୩୨ ବିକଳ୍ପ ବିଶ୍ୱ