ପୃଷ୍ଠା:Bikalpa Biswa.pdf/୧୩୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ୟୁରୋପୀୟ ଦେଶମାନେ ଯେଉଁ ଅର୍ଥନୈତିକ ଛତା ତଳେ, ୪୦ ବର୍ଷ ଧରି ଏକାଠି ହୋଇଛନ୍ତି, ସିଏ ହେଲା ‘ୟୁରୋପିଆନ୍ ଇକୋନୋମିକ୍ କମ୍ୟୁନିଟି’ ବା ‘ଇଇସି’ । ଦକ୍ଷିଣ-ପୂର୍ବ ଏସୀୟ ଦେଶମାନେ ଗଢ଼ିଛନ୍ତି ‘ଆସିଆନ୍’ ଓ ଆଫ୍ରିକୀୟ ଦେଶମାନେ ପରସ୍ପରର ସହଯୋଗପାଇଁ ପ୍ରତିଷ୍ଠା କରିଛନ୍ତି ‘ଆଫ୍ରିକାନ୍ ୟୁନିଅନ୍’ ।

ସେହିପରି ବ୍ରିଟିଶ୍ ସାମ୍ରାଜ୍ୟର ଅଂଶ ଥିବା ୫୪ଟି ଦେଶ ଏକାଠି ହୋଇ ଗଢ଼ିଛନ୍ତି ‘କମନୱେଲ୍‌ଥ' ବା ରାଜ୍ୟଗୋଷ୍ଠୀ । ଦକ୍ଷିଣ ଏସିଆର ୭ଟି ଦେଶଙ୍କ ସହଯୋଗ ସଂସ୍ଥା ହେଲା ‘ସାର୍କ’ - କିନ୍ତୁ ପ୍ରକୃତ ସହଯୋଗ ଅଭାବରୁ ସାର୍କ ଦୁର୍ବଳ ରହିଛି । ଅପର ପକ୍ଷରେ ‘ୟୁରୋପିଆନ୍ ଇକୋନୋମିକ୍ କମ୍ୟୁନିଟି’ ଓ କମିଶନ୍ (ଇଇସି) ଅର୍ଥନୈତିକ ମଞ୍ଚକୁ ରାଜନୈତିକ ମଞ୍ଚ କରି ଏବେ ଗଢ଼ିଛନ୍ତି ୟୁରୋପୀୟାନ୍ ପାର୍ଲାମେଣ୍ଟ । ଏହି ପାର୍ଲାମେଣ୍ଟର ନିଷ୍ପତ୍ତି ଅନୁସାରେ ସଭ୍ୟ ଦେଶମାନଙ୍କରେ ‘ୟୁରୋ’ ନାମକ ସାଧାରଣ ମୁଦ୍ରା ଦଶ ବର୍ଷ ହେଲା ପ୍ରଚଳନ ହେଲାଣି । ଏହି ମେଣ୍ଟର ୨୭ଟି ସଭ୍ୟ ଦେଶ ପରସ୍ପର ସହଯୋଗର ସୁଫଳ ପାଇବା ସହ ଅନ୍ୟ ଦେଶମାନଙ୍କୁ ସାହାଯ୍ୟ କରୁଛନ୍ତି ଓ ବିଶ୍ୱ ରାଜନୀତିକୁ ବେଶ୍ ପ୍ରଭାବିତ କରୁଛନ୍ତି । ୧୯୫୮ ରେ ପ୍ରତିଷ୍ଠିତ ଏହି ମେଣ୍ଟର ସଭ୍ୟ ସଂଖ୍ୟା ଆରମ୍ଭରେ ଥିଲା ଛଅ । ପରେ ଏହାର ବିରାଟ ସଫଳତାଦ୍ୱାରା ଆକୃଷ୍ଟ ହୋଇ ୟୁରୋପ୍‌ରେ ଆଉ ୨୧ଟି ଦେଶ ପର୍ଯ୍ୟାୟକ୍ରମେ ଏଥିରେ ସାମିଲ ହୋଇଛନ୍ତି । ଇଇସି ସହଯୋଗ ଏକତା ଓ ସମୃଦ୍ଧିର ଏକ ଜ୍ୱଳନ୍ତ ଉଦାହରଣ । ନାଟୋ, ସିଆଟୋ ଭଳି ସାମରିକ ମେଣ୍ଟ ନ ଗଢ଼ି ବିକାଶପାଇଁ ମେଣ୍ଟ ସର୍ବଦା ସ୍ୱାଗତଯୋଗ୍ୟ ।

ଏହି ସବୁ ଆନ୍ତର୍ଜାତିକ ଗୋଷ୍ଠୀମାନଙ୍କରେ ‘ବ୍ରିକ୍’ ସମ୍ପର୍କରେ ପ୍ରବଳ ଆଗ୍ରହ ଓ କୌତୂହଳ ସୃଷ୍ଟି କରିଛି ରିପୋର୍ଟ ନଂ ୯୯ । ଏହି ରିପୋର୍ଟ ବା ପେପର ଅନୁସାରେ ୨୦୫୦ ମସିହା ବେଳକୁ ‘ବ୍ରିକ୍’ ଦେଶମାନଙ୍କର ସମୂହ ସମ୍ପତ୍ତି ‘ଜି-ଛଅ’ ଦେଶଙ୍କ ସମ୍ପତ୍ତି ଓ ଆୟକୁ ଟପିଯିବ । ତା’ର କୋଡ଼ିଏ ବର୍ଷ ପୂର୍ବରୁ ଧନୀ ‘ଜି-ଛଅ’ ଓ ‘ବ୍ରିକ୍’ ର ଜିଡିପି ସମାନ ହୋଇଯିବ ଏବଂ ୨୦୨୫ ମସିହା ବେଳକୁ ଭାରତ ବିଶ୍ୱର ତୃତୀୟ ଅର୍ଥନୈତକି ମହାଶକ୍ତି ହୋଇ ଠିଆ ହେବ । ୨୦୩୦ ମସିହା ବେଳକୁ ଭାରତ; ଫ୍ରାନ୍‌ସ, ଜର୍ମାନୀ, ଇଟାଲୀକୁ ଓ ୨୦୩୨ ମସିହାରେ ଜାପାନ୍‌କୁ ଟପିବ ଏବଂ ପରେ ପରେ ଅନ୍ୟ ଧନୀ ଦେଶମାନଙ୍କ ପାଖରେ ଠିଆ ହେବ । ‘ଜି-ସେଭେନ୍’ ପରେ ଆସିଯିବ ‘ନେକ୍ସଟ୍ ଇଲେଭେନ୍’ - ଅର୍ଥାତ୍ ଆଉ ଏଗାରଟି ଦେଶ । ଏମାନେ ହେଲେ ବାଂଲାଦେଶ, ଇଜିପ୍ଟ, ଇଣ୍ଡୋନେସିଆ, ଇରାନ୍, କୋରିଆ, ମେକ୍ସିକୋ, ନାଇଜେରିଆ, ପାକିସ୍ଥାନ, ଫିଲିପାଇନ୍ସ, ତୁର୍କୀ ଓ ଭିଏତ୍‌ନାମ । ଏକବିଂଶ ଶତାବ୍ଦୀରେ ଏହି ୧୫ଟି ଦେଶ ବିଶ୍ୱ

ବିକଳ୍ପ ବିଶ୍ୱ ୧୩୩