ପୃଷ୍ଠା:Bikalpa Biswa.pdf/୧୩୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ତୃତୀୟ ମହାଶକ୍ତି, ଚତୁର୍ଥ ବିଶ୍ୱ

ଦୁଇ ହଜାର ଏକ ମସିହାରେ ବିଶ୍ୱସ୍ତରରେ ଓ ରାଜ୍ୟ ସ୍ତରରେ ଦୁଇଟି ପରସ୍ପର ବିରୋଧୀ ଘଟଣା ଚିନ୍ତାଶୀଳ ବ୍ୟକ୍ତିଙ୍କୁ ବିସ୍ମିତ କରିଦେଇଥିଲା । ଏକ ପକ୍ଷରେ ମିଳିତ ଜାତିସଙ୍ଘ ଅନୁସାରେ ୨୦୦୧ ମସିହାକୁ ‘ଆନ୍ତର୍ଜାତିକ ସ୍ୱେଚ୍ଛାସେବୀ ବର୍ଷ’ ଭାବରେ ଘୋଷଣା କରାଗଲା ବେଳକୁ ଅପର ପକ୍ଷରେ ଠିକ୍ ସେହି ବର୍ଷ ଏପ୍ରିଲ୍ ୯ ତାରିଖରେ ଓଡ଼ିଶା ବିଧାନସଭାରେ ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କୁ ସରକାରୀ ନିୟନ୍ତ୍ରଣ ଅଧୀନସ୍ଥ କରିବା ପାଇଁ ପ୍ରସ୍ତାବ ପାସ୍ ହୋଇଗଲା । ଓଡ଼ିଶାରେ ଜନଶକ୍ତି ଓ କଲ୍ୟାଣପାଇଁ କାମ କରୁଥିବା ବ୍ୟକ୍ତି ଓ ସଂସ୍ଥାମାନଙ୍କପାଇଁ ଏହା ଥିଲା ଏକ କଳାଦିବସ, କିନ୍ତୁ ବିଶ୍ୱର ଅନ୍ୟତ୍ର ୨୦୦୧ ଥିଲା ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ମାନବ କଲ୍ୟାଣପାଇଁ ଶାନ୍ତି, ସେବା, ସହଯୋଗ, ସ୍ୱୀକୃତି ଓ ସମର୍ଥନର ବର୍ଷ । ‘କର୍ମୀ’ମାନଙ୍କୁ ‘କର୍ମଚାରୀ’ଙ୍କ କବଳକୁ ଓ ନାଗରିକ ସମାଜକୁ ସରକାରଙ୍କ ଅଧୀନକୁ ଆଣିବାପାଇଁ ସରକାରଙ୍କ ଉଦ୍ୟମ ଓଡ଼ିଶାର ବହୁ ନିଷ୍ଠାପର ବ୍ୟକ୍ତି ଓ ଅନୁଷ୍ଠାନଙ୍କୁ ବ୍ୟଥିତ କରିଥିଲା ।

ଏହା ବୁଝିବା ଦରକାର ଯେ ନିଷ୍ଠାପର ବ୍ୟକ୍ତି, ଅନୁଷ୍ଠାନ ଓ ‘ନାଗରିକ ସମାଜ’ର ସହଯୋଗ ବିନା ଉନ୍ନୟନ ଯୋଜନାମାନ ବିଫଳ ହୁଏ ଓ ଦେଶ ଦୁର୍ବଳ ହୋଇଯାଏ । ଓଡ଼ିଶାରେ ମହାବାତ୍ୟା, ମହାରାଷ୍ଟ୍ର ଓ ଗୁଜୁରାଟରେ ଭୂମିକମ୍ପ, କାରଗିଲ୍‌ରେ ବିଦେଶୀ ଆକ୍ରମଣ ବେଳେ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ସର୍ବ ପ୍ରଥମେ ସାହାଯ୍ୟ ଓ ସମର୍ଥନ ନେଇ ଆଗେଇ ଆସିଥିଲେ । ଜନଶକ୍ତି ସଦାବେଳେ ରାଜଶକ୍ତିଠାରୁ ବଳିଷ୍ଠ, ଅଧିକ ସମ୍ବେଦନଶୀଳ ଓ ଅଧିକ ସୃଜନଶୀଳ । ତେଣୁ ମହାତ୍ମାଗାନ୍ଧୀ ସ୍ୱାଧୀନତା ପରେ କଂଗ୍ରେସ ଦଳକୁ ଭାଙ୍ଗି ଦେଇ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଢ଼ିବାକୁ ପରାମର୍ଶ ଦେଇଥିଲେ । କଂଗ୍ରେସ ଦଳ ଏହି ପ୍ରସ୍ତାବକୁ ଗ୍ରହଣ କଲା ନାହିଁ କିନ୍ତୁ ସ୍ୱାଧୀନତା ପରବର୍ତ୍ତୀ କାଳରେ ଦେଶର ବିଭିନ୍ନ ଅଞ୍ଚଳରେ ହଜାର ହଜାର ସାମାଜିକ ଅନୁଷ୍ଠାନ ଗଢ଼ି ଉଠିଲା । ବହୁ

ବିକଳ୍ପ ବିଶ୍ୱ ୧୩୭