ପୃଷ୍ଠା:Bikalpa Biswa.pdf/୧୩୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବ୍ୟକ୍ତି ଓ ସଂସ୍ଥା ଦେଶର ଅଗମ୍ୟ ପଛୁଆ ଅଞ୍ଚଳରେ ପଶି ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଭିନ୍ନ ଉନ୍ନୟନ କାମପାଇଁ ଲୋକଙ୍କୁ ଏକଜୁଟ କଲେ । ସାକ୍ଷରତା ମିଶନ ଭଳି ସରକାରୀ ଅଭିଯାନକୁ ଲୋକଙ୍କ ପାଖକୁ ନେଇଗଲେ, ଲୋକ ବିରୋଧୀ ଯୋଜନାପାଇଁ ସରକାରଙ୍କୁ ତାଗିଦ କଲେ; ପରିବେଶ ସୁରକ୍ଷା, ମହିଳା ସଶକ୍ତୀକରଣ ଓ ମାନବ ଅଧିକାର ସୁରକ୍ଷା ପାଇଁ ସମାଜ ଓ ସରକାରଙ୍କୁ ଗୋଟିଏ ମଞ୍ଚରେ ଠିଆ ହେବାପାଇଁ ବାଧ୍ୟ କଲେ, ଲକ୍ଷ ଲକ୍ଷ ଯୁବକ, ଯୁବତୀଙ୍କୁ ତାଲିମ ଦେଇ ନିଜ ଗୋଡ଼ରେ ଠିଆ କରାଇଲେ, ଅଣୁ ଋଣ ମାଧ୍ୟମରେ ୩୦ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଗଢିଲେ, ସମ୍ପୂର୍ଣ୍ଣ କ୍ରାନ୍ତି ଓ ନବନିର୍ମାଣ ଭଳି ଆନ୍ଦୋଳନ‌ଦ୍ୱାରା ସରକାର ବଦଳାଇ ଦେଲେ - ଏମିତି କେତେ କ’ଣ ! ତା ସାଙ୍ଗକୁ ଏନ୍‌ସିସି, ଏନ୍ଏସ୍ଏସ୍, ସ୍କାଉଟସ୍ - ଗାଇଡ୍ସ ଓ ନେହେରୁ ଯୁବକେନ୍ଦ୍ର ଭଳି ସଂସ୍ଥାରେ ଏବେ ୨ କୋଟି ସ୍ୱୟଂସେବୀ ବିନା ପଇସାରେ ସମାଜସେବା କାର୍ଯ୍ୟ କରି ଆସୁଛନ୍ତି ।

ଯେପରି ସବୁ ରାସ୍ତା ଅଙ୍କା ବଙ୍କା ନୁହେଁ ବା ସବୁ ଗଛ ସିଧା ସଳଖ ନୁହଁନ୍ତି, ସେହିପରି ସବୁ ପଞ୍ଜୀକୃତ ଅନୁଷ୍ଠାନ ଅସାଧୁ ନୁହଁନ୍ତି । ତା ହୋଇଥିଲେ ରାମକୃଷ୍ଣ ମିଶନ୍ ବା ରେଡକ୍ରସ, ଗ୍ରାମୀଣ ବ୍ୟାଙ୍କ, ଅକ୍ସଫାମ୍, କେୟାର ଭଳି ଅନେକ ସାମାଜିକ ଅନୁଷ୍ଠାନ ଆଜି ନଥାନ୍ତେ ଏବଂ ବୁଦ୍ଧ, ଗାନ୍ଧୀ, ମାର୍ଟିନ୍ ଲୁଥର, କିଙ୍ଗ ଓ ନେଲସନ୍ ମାଣ୍ଡେଲା, ମଦର ଟେରେସାଙ୍କ ଭଳି ବ୍ୟକ୍ତିମାନେ ବିଶ୍ୱର ବିବେକ-ପୁରୁଷ ଭାବେ ସମ୍ମାନିତ ହେଉନଥାନ୍ତେ । ସମାଜ ଓ ସଭ୍ୟତାର ପ୍ରଗତି ଓ ପରିବର୍ତ୍ତନରେ ସରକାରଙ୍କ ଅପେକ୍ଷା ନାଗରିକ ସମାଜ, ବେସରକାରୀ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କ ଅବଦାନ ସବୁଠାରୁ ଅଧିକ ।

ଏମାନେ ସରକାରଙ୍କୁ ପ୍ରଭୁ ଓ ନିଜକୁ ଭୃତ୍ୟ ବୋଲି ଭାବନ୍ତି ନାହିଁ । ସରକାରଙ୍କ ଆର୍ଥିକ ସାହାଯ୍ୟ ଉପରେ ନିର୍ଭରଶୀଳ ନୁହଁନ୍ତି । ଅପର ପକ୍ଷରେ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସଫଳତାପାଇଁ ସରକାର ଏମାନଙ୍କର ସାହାଯ୍ୟ, ସମର୍ଥନ ଲୋଡ଼ିଥାନ୍ତି । ରାଷ୍ଟ୍ରୀୟ ଓ ଆନ୍ତର୍ଜାତିକ କ୍ଷେତ୍ରରେ ମାନବ କଲ୍ୟାଣ ଓ ଅଧିକାରପାଇଁ ଆୟୋଜିତ ସବୁ ସଭା, ସମ୍ମିଳନୀରେ ସ୍ୱେଚ୍ଛାସେବୀ ସଂସ୍ଥା ଓ ନାଗରିକ ସମାଜ ବା ସିଭିଲ ସୋସାଇଟିକୁ ଆମନ୍ତ୍ରିତ କରାଯାଏ । ବିଶ୍ୱ ସମ୍ମିଳନୀର ଘୋଷଣା ପତ୍ରରେ ସେମାନଙ୍କ ମତାମତକୁ ଗୁରୁତ୍ୱ ଦିଆଯାଏ । ଏହିସବୁ ଦୃଷ୍ଟିରୁ ସ୍ୱେଚ୍ଛାସେବୀ ସଂସ୍ଥା ଓ ନାଗରିକ ସମାଜକୁ “ଚତୁର୍ଥ ବିଶ୍ୱ” ବୋଲି କୁହାଯାଏ । ଏବେ ମିଳିତ ରାଷ୍ଟ୍ରସଙ୍ଘରେ “ଚତୁର୍ଥ ବିଶ୍ୱ”ର ଉପଯୁକ୍ତ ପ୍ରତିନିଧିତ୍ୱପାଇଁ ଏକ ବିକଳ୍ପ ଜେନେରାଲ ଆସେମ୍ଲିପାଇଁ ଲବି ଆରମ୍ଭ ହେଲାଣି । ସେହିଭଳି ରାଷ୍ଟ୍ର ଓ ରାଜ୍ୟ ସ୍ତରରେ ବିକଳ୍ପ ପାର୍ଲାମେଣ୍ଟ ଓ ବିଧାନ ସଭା ପାଇଁ ବିଚାର ଆଲୋଚନା ଚାଲିଲାଣି । ରାଜନୈତିକ ଦଳମାନେ ସର୍ବଦା ଦେଶର ସ୍ୱାର୍ଥ ଠାରୁ ଦଳର

୧୩୮ ବିକଳ୍ପ ବିଶ୍ୱ