ପୃଷ୍ଠା:Bikalpa Biswa.pdf/୧୪୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ନେଇ ଲୋକସମ୍ବଳ ଉପରେ ନିର୍ଭର କରନ୍ତି । ବିଭିନ୍ନ ବର୍ଗରୁ ଅନ୍ୟକୁ ସାହାଯ୍ୟ କରିବାପାଇଁ ଉଦ୍‌ବୁଦ୍ଧ ବ୍ୟକ୍ତିମାନେ ଶ୍ରମ ଓ ଅର୍ଥଦାନ କରିଥାଆନ୍ତି । ଉଦାହରଣ ସ୍ୱରୂପ (ଅକ୍ଟୋବର ୨୦୦୬) ଗତ ବର୍ଷ ଆମେରିକାର ଦ୍ୱିତୀୟ କୁବେର ୱାରେନ୍ ବଫେଟ୍ ବିଶ୍ୱର ଗରିବ ଓ ଅସୁସ୍ଥ ଲୋକଙ୍କପାଇଁ ସ୍ୱେଚ୍ଛାସେବୀ ଅନୁଷ୍ଟାନ “ବିଲ୍ ଓ ମେଲିଣ୍ଡା ଗେଟ୍‌ସ” ଫାଇଣ୍ଡେସନ୍‌କୁ ୧୩୦ ହଜାର କୋଟି ଟଙ୍କା ଦାନ କରିଛନ୍ତି । ଭାରତରେ ପ୍ରତିବର୍ଷ ସମାଜସେବାପାଇଁ ସାଧାରଣ ବ୍ୟକ୍ତିଙ୍କର ଦାନ ୨୦ ହଜାର କୋଟିରୁ ଅଧିକ । ଚାରିଟବେଲ୍ ଟ୍ରଷ୍ଟମାନଙ୍କର ଦାନ ଏଥିରେ ଅନ୍ତର୍ଭୁକ୍ତ ନୁହେଁ । ୟୁଏନ୍ ସହାୟତାରେ ପ୍ରସ୍ତୁତ ଏକ ସର୍ବେକ୍ଷଣ ଅନୁସାରେ ପୃଥିବୀର ୧୯୭ ଦେଶ ଭିତରୁ କେବଳ ୨୨ଟି ଦେଶରେ କାମ କରିଥିବା ଏନ୍‌ଜିଓମାନଙ୍କୁ ଜନକଲ୍ୟାଣପାଇଁ ବେସରକାରୀ ଅନୁଷ୍ଠାନମାନେ ଦାନ କରିଛନ୍ତି ୪ ଲକ୍ଷ କୋଟିରୁ ଅଧିକ ଟଙ୍କା । ଏହାଦ୍ୱାରା ପ୍ରାୟ ୧ କୋଟି ୯୦ ଲକ୍ଷ ଲୋକ ଚାକିରି ପାଇଛନ୍ତି । ଓଡ଼ିଶାରେ ସରକାର ଯେତିକି ଅନୁଷ୍ଠାନ ଚଳାନ୍ତି, ନାଗରିକ ସମାଜ ତା’ଠାରୁ ୧୦ ଗୁଣ ଅଧିକ ଅନୁଷ୍ଠାନ ଚଲାନ୍ତି । ଏଥିପାଇଁ ଗାଁ ଗାଁ ରେ ସାମାଜିକ ପାଣ୍ଠି ଥାଏ ।

ଜଗତୀକରଣ ପରେ ଜନମଙ୍ଗଳ ରାଷ୍ଟ୍ରମାନେ ଦୁର୍ବଳ ହୋଇପଡ଼ିଲେଣି । ତେଣୁ ଜନହିତକର କାମପାଇଁ ଖର୍ଚ୍ଚ କମି କମି ଯାଉଛି । ଏହି ପରିପ୍ରେକ୍ଷୀରେ ସମାଜସେବୀ ଅନୁଷ୍ଠାନମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ବଢ଼ିଯାଇଛି । ଓଡ଼ିଶା ଭଳି ରାଜ୍ୟରେ ସେମାନଙ୍କର ଆବଶ୍ୟକତା ବେଶି ।

୩ ମେ, ୨୦୦୭

୧୪୦ ବିକଳ୍ପ ବିଶ୍ୱ