ପୃଷ୍ଠା:Bikalpa Biswa.pdf/୧୪୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସ୍ୱେଚ୍ଛାସେବା, ନାଗରିକ ସମାଜ ଓ ସରକାର

ସରକାର ଓ ବଜାର ଏହି ଦୁଇଟି ହେଲେ କ୍ଷମତା ଓ ଅର୍ଥର ପ୍ରତନିଧି ଓ ପ୍ରତୀକ । ଏହି ଦୁଇ ମହାଶକ୍ତି ଛଡ଼ା ତୃତୀୟ ମହାଶକ୍ତି ହେଲା ନାଗରିକ ସମାଜ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ । ଏହି ତ୍ରିଶକ୍ତିଙ୍କର ବିଚାର, ଆଚରଣରେ ସମନ୍ୱୟ ଓ ପରସ୍ପର ସମ୍ପର୍କ ଉପରେ ଦେଶର ଉନ୍ନତି ନିର୍ଭରଶୀଳ । ଏକ ବେସରକାରୀ ହିସାବରୁ ଜଣାଯାଏ ଯେ ସ୍ୱୟଂସହାୟକ ଗୋଷ୍ଠୀକୁ ଛାଡ଼ିଦେଲେ ଭାରତରେ ପ୍ରାୟ କୋଡ଼ିଏ ଲକ୍ଷ ପଞ୍ଜୀକୃତ ସୋସାଇଟି ଓ ଟ୍ରଷ୍ଟ ଅଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ପ୍ରାୟ ୩ ଲକ୍ଷରୁ ଅଧିକ ଯୁବକ ସଙ୍ଘ ଓ ମହିଳା ମଣ୍ଡଳ, ଏହାଛଡ଼ା ପ୍ରାଇଭେଟ୍ ସ୍କୁଲ ଓ ଚିକତ୍ସ।ଳୟ, ଧାର୍ମିକ ଅନୁଷ୍ଠାନ, ଯୋଗ, ଆଧ୍ୟାତ୍ମିକ ସଂସ୍ଥା, ଜନକଲ୍ୟାଣ ଓ ସେବା ଅନୁଷ୍ଠାନ ଇତ୍ୟାଦି । ଏହି ୨୦ ଲକ୍ଷ ମଧ୍ୟରୁ ସ୍ୱେଚ୍ଛାସେବୀ ସଂସ୍ଥା ଓ ସାମାଜିକ ଆନ୍ଦୋଳନମାନଙ୍କର ସଂଖ୍ୟା ଶତକଡ଼ା ୧୦ ଭାଗରୁ ଅଧିକ ନୁହେଁ । ସେହିଭଳି ଏହି ୨୦ ଲକ୍ଷ ବେସରକାରୀ ଅନୁଷ୍ଠାନ ଓ ସଂସ୍ଥା ମଧ୍ୟରୁ ମାତ୍ର ୨୦ ହଜାର ବିଦେଶୀ ଅନୁଦାନପାଇଁ ପଞ୍ଜୀକୃତ ଏବଂ କେବଳ ୧୦ ହଜାର ସଂସ୍ଥାଙ୍କୁ ସରକାରୀ ଅନୁଦାନ ମିଳିଥାଏ । ବିଦେଶୀ ଅନୁଦାନ ପାଇଥିବା ପଞ୍ଜୀକୃତ ସଂସ୍ଥା ମଧ୍ୟରୁ ଅଧିକାଂଶ ଧାର୍ମିକ ଅନୁଷ୍ଠାନ । ଯୋଜନା କମିଶନଙ୍କ ଅଧ୍ୟୟନ (୨୦୦୨) ଅନୁସାରେ ୧୩ ହଜାର ବେସରକାରୀ ସଂସ୍ଥାଙ୍କୁ ସରକାରୀ ଅନୁଦାନ ମିଳେ ଏବଂ ବିଦେଶରୁ ଯେତେ ଅନୁଦାନ ଆସେ ସେଥିରୁ ଶତକଡ଼ା ୯୫ ଭାଗରୁ ଅଧିକ ପାଆନ୍ତି ସ୍ୱୟଂ ସରକାର । ଚାରଟି ଏଡ୍ ଫାଉଣ୍ଡେସନ୍‌ଙ୍କ ହିସାବ ଅନୁସାରେ ଭାରତରେ ପ୍ରାୟ ୩୦ ହଜାର ସ୍ୱେଚ୍ଛାସେବୀ ସଂସ୍ଥା ଅତ୍ୟନ୍ତ ସକ୍ରିୟ । ଏମାନଙ୍କ ମଧ୍ୟରୁ ଶତକଡ଼ା ୮୦ ଭାଗ ହେଉଛନ୍ତି ଛୋଟ ଛୋଟ ଅନୁଷ୍ଠାନ, ଏମାନଙ୍କର ୨ ବା ୩ ଜଣ କର୍ମୀ ଏବଂ ବାର୍ଷିକ ବଜେଟ୍ ୫୦ ହଜାରରୁ ୫ ଲକ୍ଷ ଟଙ୍କା ଭିତରେ ।

ବିକଳ୍ପ ବିଶ୍ୱ ୧୪୧