ପୃଷ୍ଠା:Bikalpa Biswa.pdf/୧୪୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏଥିରୁ ଜଣାପଡେ଼ ପଞ୍ଜୀକୃତ ଅନୁଷ୍ଠାନମାନଙ୍କ ମଧ୍ୟରୁ ମାତ୍ର ଶତକଡ଼ା ୭ ଭାଗ ସଂସ୍ଥା ସରକାରୀ ଓ ବିଦେଶୀ ଅନୁଦାନ ପାଇଥାନ୍ତି ବା ପ୍ରତି ଶହେ ଅନୁଷ୍ଠାନରୁ ୯୩ଟି ଅନୁଷ୍ଠାନ କୌଣସି ଅନୁଦାନ ଉପରେ ନିର୍ଭରଶୀଳ ନୁହଁନ୍ତି ଏବଂ ଯେଉଁ ୭ ଭାଗ ଅନୁଷ୍ଠାନ ସରକାରୀ ଅନୁଦାନ ପାଆନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶକୁ ସରକାର ନିଜେ ଡାକି ଅନୁଦାନ ଦେଇଥାନ୍ତି, କାରଣ ଏମାନଙ୍କ ସହଯୋଗ ବିନା ସରକାରୀ ଯୋଜନା କାର୍ଯ୍ୟକାରୀ ହୋଇପାରେ ନାହିଁ । ଗତ ୫୦ ବର୍ଷ ଭିତରେ ପରିବେଶ ସୁରକ୍ଷା, ନିରକ୍ଷରତା ଦୂରୀକରଣ, ମାନବ ଅଧିକାର, ମହିଳା ସଶକ୍ତୀକରଣ, ପଛୁଆ ବର୍ଗର ଉତ୍ଥାନ, ସମାଜ ଓ ଶାସନ ସଂସ୍କାର, କର୍ମନିଯୁକ୍ତି, ଗରିବୀ ଦୂରୀକରଣ ଏବଂ ସର୍ବୋପରି ଧର୍ମ ନିରପେକ୍ଷତା, ଜାତୀୟ ସଂହତି ଓ ଗଣତନ୍ତ୍ର ସୁରକ୍ଷାପାଇଁ ଯେତେ ନୂଆ ଆଇନ୍ କାନୁନ୍ ଓ ନୀତି ପ୍ରଣୟନ କରାଯାଇଛି, ସେସବୁ ନାଗରିକ ସମାଜ ଓ ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କର ମିଳିତ ବିଚାର ଓ ଜନ ଆନ୍ଦୋଳନର ଫଳ । ଉଦାହରଣ ସ୍ୱରୂପ ପଞ୍ଚାୟତ ଓ ସ୍ୱାୟତ୍ତ ଶାସନ ସଂସ୍ଥାମାନଙ୍କୁ ଅଧିକ କ୍ଷମତା ଦେବାପାଇଁ ୭୩ ଓ ୭୪ତମ ସମ୍ବିଧାନ ସଂଶୋଧନ ପଛରେ ସ୍ୱେଚ୍ଛାସେବୀ ସଂସ୍ଥା ଓ ନାଗରିକ ସମାଜର ୪୦ ବର୍ଷ ସଙ୍ଘର୍ଷର ଇତିହାସ ରହିଛି । ଓଡ଼ିଶାରେ ପ୍ରାକୃତିକ ଓ ଖଣିଜ ସମ୍ପଦର ସୁରକ୍ଷାପାଇଁ, ଜନସ୍ୱାର୍ଥ ଓ ରାଜ୍ୟସ୍ୱାର୍ଥପାଇଁ, ନିର୍ମଳ ଶାସନପାଇଁ, ସୂଚନା ଅଧିକାରପାଇଁ ଚାଲିଥିବା ସଙ୍ଘର୍ଷର ଆଗ ଧାଡ଼ିରେ ଅଛନ୍ତି ସ୍ୱେଚ୍ଛାସେବୀ ସଂସ୍ଥାମାନେ । ବହୁ ଉଦୀୟମାନ, ଉଚ୍ଚ ଶିକ୍ଷାପ୍ରାପ୍ତ ବ୍ୟକ୍ତି ସରକାରୀ ଚାକିରିର ଲୋଭ ତ୍ୟାଗ କରି ଦୂରଦୂରାନ୍ତର ବଣ ଜଙ୍ଗଲ ମଧ୍ୟରେ ରହି କାମ କରୁଛନ୍ତି । ଅମୃତଭାଣ୍ଡରେ ବୁନ୍ଦାଏ ବିଷ ପଡ଼ିଲେ ଯେପରି ସମଗ୍ର ଭାଣ୍ଡଟି ଦୂଷିତ ହୋଇଯାଏ, ଅତି ଅଳ୍ପ ସଂଖ୍ୟକ ଅନୁଷ୍ଠାନଙ୍କର କାର୍ଯ୍ୟକଳାପଦ୍ୱାରା ଆଜି ସମଗ୍ର ଭଲ୍ୟୁଣ୍ଟାରୀ ସେକ୍ଟରକୁ ବଦନାମର ବୋଝ ଉଠାଇବାକୁ ପଡ଼ୁଛି । ସବୁଠାରୁ ଦୁର୍ଭାଗ୍ୟର କଥା ଯେ ଯେଉଁମାନଙ୍କର ଲୋକ ଅନୁଷ୍ଠାନ ସମ୍ପର୍କରେ ଜ୍ଞାନ କମ୍, ଅଧ୍ୟୟନ ଶୂନ ଏବଂ ଅବଦାନ ନଗଣ୍ୟ, ସେହିମାନେ ଏହି ‘ଆନ୍ଦୋଳନ’ ଉପରେ ଅତିରଞ୍ଜିତ, ଅବିଚାରିତ, ଆକ୍ଷେପମୂଳକ ଲଘୁମନ୍ତବ୍ୟ ଦେବାରେ ସବୁଠୁ ଆଗରେ ଅଛନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଜଣା ନାହିଁ ଯେ ଏବେ କର୍ପୋରେଟ୍ ସେକ୍ଟର ମୋଟା ଦରମା ଦେଇ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କରେ କାମ କରୁଥିବା ଦକ୍ଷ ଓ ଅଭିଜ୍ଞ ପ୍ରଫେସନାଲମାନଙ୍କୁ ନେଇ ଯାଉଛନ୍ତି ଏବଂ ଦେଶର ପ୍ରଧାନମନ୍ତ୍ରୀ ଓ ଶାସନ କମିଶନ ସବୁ ଉନ୍ନୟନ କାର୍ଯ୍ୟରେ ବାରମ୍ବାର ସିଭିଲ ସୋସାଇଟିର ସହଯୋଗ ଭିକ୍ଷା କରୁଛନ୍ତି ।

ଏହି ଉଦ୍ଦେଶ୍ୟରେ ଏବେ ଭଲ୍ୟୁଣ୍ଟାରୀ ସେକ୍ଟରପାଇଁ ଏକ ରାଷ୍ଟ୍ରୀୟ ନୀତି ପ୍ରଣୟନ କରାଯାଇଛି । ଏହି ନୀତିର ପ୍ରଥମ ଧାରାରେ ସରକାର, ଦେଶ ଏକ ସ୍ୱାଧୀନ, ସୃଜନଶୀଳ,

୧୪୨ ବିକଳ୍ପ ବିଶ୍ୱ