ପୃଷ୍ଠା:Bikalpa Biswa.pdf/୧୪୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦୃଢ଼ ସ୍ୱେଚ୍ଛାସେବୀ ଆନ୍ଦୋଳନପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବାକୁ ନିଜର ସଂକଳ୍ପ ଘୋଷଣା କରିଛନ୍ତି । ଦେଶର ସାମାଜିକ, ଆର୍ଥିକ ପ୍ରଗତି ଓ ପରିବର୍ତ୍ତନରେ ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କର ଅମୂଲ୍ୟ ଅବଦାନକୁ ସ୍ୱୀକାର କରାଯାଇଛି । ଧାରା ୨.୨ରେ କୁହାଯାଇଛି ଯେ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନେ ସ୍ୱୟଂଶାସିତ, ସରକାରଙ୍କ ଅଧୀନସ୍ଥ ନୁହନ୍ତି, ତେଣୁ ସେମାନଙ୍କ ସ୍ୱାଧୀନତାରେ ସରକାର ହସ୍ତକ୍ଷେପ କରିବେ ନାହିଁ ବା ଏହାକୁ କ୍ଷୁର୍ଣ୍ଣ କରିବାପାଇଁ କୌଣସି ନୀତି, ନିୟମ, ଆଇନ୍ କାନୁନ୍ ପ୍ରଣୟନ କରାଯିବ ନାହିଁ । ତେବେ ଦାୟିତ୍ୱ ସହ କାର୍ଯ୍ୟ ସମ୍ପାଦନ ଓ ଆତ୍ମ ନିୟନ୍ତ୍ରଣ ପାଇଁ ଏମାନଙ୍କୁ ଉତ୍ସାହିତ କରାଯିବ । ସେହିପରି ସମାଜସେବୀ ସଂସ୍ଥା, ଚାରିଟେବୁଲ ଟ୍ରଷ୍ଟଙ୍କୁ ହଇରାଣ, ହରକତ କରୁଥିବ। ନିୟମାବଳୀକୁ ସରସ କରିବାପାଇଁ ରାଜ୍ୟ ସରକାରମାନଙ୍କୁ ଉତ୍ସାହିତ କରାଯିବ । ପ୍ରୋଜେକ୍ଟ ଫଣ୍ଡର ୮୫ ଭାଗ ସେହି ବର୍ଷ ଖର୍ଚ୍ଚ କରିବା ଆଉ ବାଧ୍ୟତାମୂଳକ ହେବ ନାହିଁ । ‘ଇନକମ୍ ଟ୍ୟାକ୍ସ’ ଓ ‘ଏଫ୍‌ସିଆରଏ' ସଂଶୋଧନ ଓ ସରଳୀକରଣ କରାଯିବ ।

ସ୍ୱେଚ୍ଛାସେବୀ ସଂସ୍ଥାରେ କାମ କରୁଥିବା ବିଶେଷଜ୍ଞମାନଙ୍କୁ ସରକାରୀ ଯୋଜନା ଓ ନୀତି ନିୟାମକ ସଂସ୍ଥାମାନଙ୍କରେ ପ୍ରତିନିଧିତ୍ୱ ଦିଆଯିବ । ସରକାରୀ ଅନୁଦାନ ଯେପରି ସହଜରେ ମିଳିପାରିବ ଏଥିପାଇଁ କେନ୍ଦ୍ର ସରକାର ରାଜ୍ୟ ସ୍ତରରେ ମେକାନିଜିମ୍ ସୃଷ୍ଟି କରିବେ । ଏଥିରେ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନଙ୍କ ପ୍ରତିନିଧିତ୍ୱ ରହିବ । ଏବେ ଯେପରି ଶିକ୍ଷାନୁଷ୍ଠାନ/ ବିଶ୍ୱବିଦ୍ୟାଳୟମାନଙ୍କୁ ଆକ୍ରେଡିଟେସନ୍ ଓ ଗ୍ରେଡିଂ କରାଯାଉଛି, ସେହିଭଳି ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ଗ୍ରେଡିଂ କରାଯିବ । ଏହା କେଉଁ ଭିତ୍ତିରେ ଓ କିଭଳି ହେବ, ତାହା ସରକାର ନାଗରିକ ସମାଜ, ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କର ପ୍ରତିନିଧିଙ୍କ ସହ ଆଲୋଚନା କରି ସ୍ଥିର କରିବେ । ଯେହେତୁ ସରକାର ସବୁ ଉନ୍ନୟନମୂଳକ କାମ କରିପାରିବେ ନାହିଁ, ସ୍ୱୟଂସେବୀ ଓ ସମାଜସେବୀ ସଂସ୍ଥାମାନଙ୍କ ଜରିଆରେ ତୃଣମୂଳ ସ୍ତରର ଉନ୍ନୟନ କାର୍ଯ୍ୟମାନ କରାଯିବ । କେଉଁ ସଂସ୍ଥାଙ୍କୁ କେଉଁ କାର୍ଯ୍ୟପାଇଁ କେତେ ଅନୁଦାନ ଦିଆଯାଉଛି, ଯେ ସମ୍ପର୍କିତ ସମସ୍ତ ସୂଚନା ୱେବସାଇଟ୍‌ରେ ରଖାଯିବ । କଲ୍ୟାଣମୂଳକ କାର୍ଯ୍ୟପାଇଁ ସାଧାରଣ ଜନତା ଦେଉଥିବା ଦାନ‌କୁ କରମୁକ୍ତ ରଖିବାପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରାଯିବ । ସରକାର ଓ ବେସରକାରୀ ଅନୁଷ୍ଠାନ ପରସ୍ପର ଶ୍ରଦ୍ଧା, ବିଶ୍ୱାସ ଓ ସମ୍ମାନ ଭିତ୍ତିରେ କାନ୍ଧକୁ କାନ୍ଧ ଓ ହାତକୁ ହାତ ମିଳାଇ ଦେଶର ସମୂହ ପ୍ରଗତି ଓ ସାମାଜିକ ପରିବର୍ତ୍ତନପାଇଁ କାମ କରିବେ ।

ଏହି ରାଷ୍ଟ୍ରୀୟ ନୀତି ଏକ ସ୍ୱାଗତଯୋଗ୍ୟ ପକ୍ଷେପ । ଏହାଦ୍ୱାରା ଶାସନ ଓ ସ୍ୱୟଂସେବୀ ଅନୁଷ୍ଠାନମାନଙ୍କ ମଧ୍ୟରେ ସମ୍ପର୍କର ଉତ୍ତାପ କମିବ । ରାଜ୍ୟ ସରକାରମାନେ

ବିକଳ୍ପ ବିଶ୍ୱ ୧୪୩