ପୃଷ୍ଠା:Bikalpa Biswa.pdf/୧୪୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କିଭଳି ଭାବରେ ଏହି ନୀତିକୁ କାର୍ଯ୍ୟକାରୀ କରିବେ ତା’ଉପରେ ଏହାର ସଫଳତା ନିର୍ଭର କରିବ । ଆଗାମୀ ବର୍ଷମାନଙ୍କରେ ସ୍ୱୟଂସେବୀ ଅନୁଷ୍ଠାନମାନେ ନିଜ କାର୍ଯ୍ୟ ପ୍ରଣାଳୀଯୋଗୁଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବେ । କାରଣ ଏବେ ଜନମଙ୍ଗଳ ଅପେକ୍ଷା ଜନଶକ୍ତି ଉପରେ ଏବଂ ଜନସ୍ୱାର୍ଥ ବିରୋଧୀ ନୀତି ଉପରେ ଏମାନେ ବେଶି ଗୁରୁତ୍ୱ ଦେଉଛନ୍ତି । ବଜାରୀକରଣର ଲାଭଖୋର ପ୍ରବୃତ୍ତି, ଶାସନତନ୍ତ୍ରର କ୍ଷମତା ଲୋଭ ଓ ଜନବିରୋଧୀ ନୀତିର ବିରୋଧ କରିବାକୁ ହେଲେ - ଆଗେ ନିଜେ ନିଜକୁ ସଜାଡ଼ିବାକୁ ହେବ । ନିଜ ଅନୁଷ୍ଠାନର ପରିଚାଳନା, ଅର୍ଥ ବିନିଯୋଗ ପଦ୍ଧତିକୁ ନିର୍ମଳ ଓ ସ୍ୱଚ୍ଛ ରଖିବାକୁ ହେବ । ଅନୁଷ୍ଠାନକୁ ବ୍ୟକ୍ତିଗତ, ବ୍ୟକ୍ତିକୈନ୍ଦ୍ରିକ, ପାରିବାରିକ କରିବା ମୋହ ଛାଡ଼ିବାକୁ ପଡ଼ିବ, ଦୁର୍ନୀତିଗ୍ରସ୍ତ ହୋଇ ଯାଇଥିବା ଅନୁଷ୍ଠାନମାନଙ୍କୁ ବିରୋଧ ଓ ବାଚ୍ଛନ୍ଦ କରିବାକୁ ପଡ଼ିବ । ଅନୁଷ୍ଠାନର ନୀତି ନିୟାମକ ପ୍ରକ୍ରିୟାକୁ ଅଧିକ ଗଣତାନ୍ତ୍ରିକ କରିବାକୁ ହେବ ।

ଗଣତାନ୍ତ୍ରିକ ବ୍ୟବସ୍ଥାରେ ନିର୍ବାଚିତ ପ୍ରତନିଧିମାନେ ଭୋଟରଙ୍କ ପ୍ରତି ଉତ୍ତରଦାୟୀ, ସରକାର, ପାର୍ଲାମେଣ୍ଟ ଓ ଆସେମ୍ଲିକୁ ଉତ୍ତରଦାୟୀ, ବ୍ୟୁରୋକ୍ରାସି ଲୋକପ୍ରତିନିଧି ଓ ମନ୍ତ୍ରୀଙ୍କୁ ଉତ୍ତରଦାୟୀ । ଏହି ଉତ୍ତରାୟିତ୍ୱ ପାଳନ କରି ନ ପାରିଲେ ଲୋକେ, ପ୍ରତିନିଧି ଓ ସରକାର - ଉଭୟଙ୍କୁ ବଦଳାଇ ଦିଅନ୍ତି । ସେହିପରି ସ୍ୱୟଂସେବୀ ଅନୁଷ୍ଠାନମାନେ କାହା ପ୍ରତି ଉତ୍ତରଦାୟୀ - ଏଭଳି ପ୍ରଶ୍ନ ଉଠିଲାଣି । ଯେତେବେଳେ ଏକ ସ୍ୱୟଂସେବୀ ସଂସ୍ଥା ପଞ୍ଜୀକରଣ ହୁଏ, ପଞ୍ଜୀକୃତ ବାଇ ଲ ରେ ସଂସ୍ଥା କାହା ପ୍ରତି ଉତ୍ତରଦାୟୀ ଓ କିପରି ପରିଚାଳିତ ହେବ ସେ କଥା ସ୍ପଷ୍ଟ ଭାବରେ ଉଲ୍ଲେଖ ଥାଏ - ଏକଥା ଅଧିକାଂଶ ଲୋକ ଜାଣିନଥିବାରୁ ଏଭଳି ପ୍ରଶ୍ନ ଉଠୁଛି । ତେବେ ଏହି ପ୍ରଶ୍ନ‌କୁ ଏଡ଼ାଇ ଦେଇ ହେବ ନାହିଁ । କାରଣ ଏହା ସହ ସମାଜରେ ସଂସ୍ଥାର ପ୍ରତିଛବି ପ୍ରଶ୍ନ ଜଡ଼ିତ, ବିଶେଷ କରି ଯେଉଁ ଲୋକଙ୍କ ଭିତରେ ସଂସ୍ଥା କାମ କରୁଛି, ସେମାନଙ୍କର ସଂସ୍ଥା ଉପରେ ଧାରଣା ବିଶେଷ ଗୁରୁତ୍ୱପୂର୍ଣ୍ଣ । ଏ ସମ୍ପର୍କରେ ଆତ୍ମସମୀକ୍ଷାର ସମୟ ଆସିଲାଣି । ସ୍ୱୟଂସେବୀ ସଂସ୍ଥାମାନଙ୍କପାଇଁ ରାଷ୍ଟ୍ରୀୟ ନୀତିରେ ମଧ୍ୟ ଏକଥା ଉଲ୍ଲେଖ କରାଯାଇଛି । ରାଜ୍ୟ ଓ ରାଷ୍ଟ୍ର ସ୍ତରରେ ସ୍ୱୟଂସେବୀ ଅନୁଷ୍ଠାନମାନେ ଏପର୍ଯ୍ୟନ୍ତ ସର୍ବସମ୍ମତ ଫୋରମ୍ ଗଢ଼ି ପାରି ନାହାନ୍ତି । ଆଜି ଏହାର ଆବଶ୍ୟକତା ସବୁଠୁ ବେଶି । ଯେଉଁମାନେ ଲୋକଙ୍କୁ ଏକାଠି କରିବାରେ ପାରଙ୍ଗମ, ଏବେ ନିଜକୁ ଏକାଠି କରନ୍ତୁ, ନିଜ ଘରକୁ ସଜାଡନ୍ତୁ ଏବଂ ଉଭୟ ସରକାର ଓ ବଜାରକୁ ବିକାଶର ନୂତନ ଦିଗ୍‌ଦର୍ଶନ ଦିଅନ୍ତୁ ।

୧୭ ମେ , ୨୦୦୭

୧୪୪ ବିକଳ୍ପ ବିଶ୍ୱ