ପୃଷ୍ଠା:Bikalpa Biswa.pdf/୧୪୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ରୋଗଶଯ୍ୟାରେ ବିଶ୍ୱର କ୍ଷୁଦ୍ରତମ ଗଣତନ୍ତ୍ର

ଏହା ବିଶ୍ୱର ସବୁଠାରୁ ଛୋଟ ଗଣତନ୍ତ୍ର ଓ କ୍ଷୁଦ୍ରତମ ଜନମଙ୍ଗଳ ରାଷ୍ଟ୍ର । ମଣିଷ ସମାଜର ମୂଳଦୁଆ । ଏଠି ଦେଶର ଭବିଷ୍ୟତ ନାଗରିକମାନେ ଜନ୍ମ ନିଅନ୍ତି, ବଢ଼ନ୍ତି, ସମସ୍ତେ ମିଳିମିଶି ରହନ୍ତି, ଜାତି, ଧର୍ମ, ବର୍ଣ୍ଣ ଭାଷା, ଆଞ୍ଚଳିକତା, ଭେଦଭାବ ନାହିଁ, ସମସ୍ତେ ସାମ୍ୟବାଦୀ, ଶକ୍ତି ଅନୁସାରେ ପରିଶ୍ରମ କରନ୍ତି, ଉତ୍ପାଦନ, ଅର୍ଜନ, ଆବଶ୍ୟକତା ଅନୁସାରେ ବଣ୍ଟା ହୁଏ । ଏଠି ସମର୍ଥ, ଅସମର୍ଥ, ପିଲା, ବୁଢ଼ା, ସ୍ତ୍ରୀ, ପୁରୁଷ, ସୁସ୍ଥ-ଅସୁସ୍ଥ ସମସ୍ତଙ୍କ ପାଇଁ ସ୍ଥାନ ଅଛି । ଏଠି ମତାନ୍ତର, ମନାନ୍ତର, ବିରୋଧ, ବାଦ, ବିବାଦ, ବିଷାଦ ବି ଅଛି । ଏ ସବୁର ସମାଧାନ ପାଇଁ ଚୌକି, ମାଇକ୍ ଭଙ୍ଗା ଫୋପଡ଼ା ଯାଏ ନାହିଁ, ଏକାଠି ବସି ସବୁ ସମ୍ମତିଦ୍ୱାରା ତୁଟାଯାଏ । ଏହି ଛୋଟ ଜନମଙ୍ଗଳ ରାଷ୍ଟ୍ର, ନିଜ ଗୋଡ଼ରେ ଠିଆ ହେଲା ପର୍ଯ୍ୟନ୍ତ ଏଠାରେ ରହୁଥିବା ନାଗରିକଙ୍କ ଖାଦ୍ୟ, ବସ୍ତ୍ର, ଆଶ୍ରୟ, ଶିକ୍ଷା, ସ୍ୱାସ୍ଥ୍ୟର ସମସ୍ତ ଦାୟିତ୍ୱ ନେଇଥାଏ, ସମସ୍ତଙ୍କପାଇଁ ଅଲଗା ଅଲଗା ଲକ୍ଷ୍ମଣରେଖା ନିର୍ଦ୍ଧାରିତ ଥାଏ । ଏଠି ସଭିଙ୍କୁ ସ୍ନେହ, ପ୍ରେମ, ସ୍ୱାଧୀନତା, ସୁରକ୍ଷା ମିଳିଥାଏ । ବିଶ୍ୱର ଏହି କ୍ଷୁଦ୍ରତମ ଜନମଙ୍ଗଳ ରାଷ୍ଟ୍ରର ନାଁ ହେଲା ‘ପରିବାର’ ବା ‘ଫ୍ୟାମିଲି’ । ଯେଉଁ ‘ପରିବାର’ ଆଜି ପର୍ଯ୍ୟନ୍ତ ମାନବ ସମାଜ, ସଂସ୍କୃତି ଓ ସଭ୍ୟତାକୁ ବଞ୍ଚାଇ ରଖିଛି, ସେ ଏବେ ଘୋର ସଂକଟର ସମ୍ମୁଖୀନ । ଅର୍ଥନୈତିକ ଦୃଷ୍ଟିରୁ ଉନ୍ନତ ଦେଶମାନଙ୍କରେ ପରିବାର ପ୍ରାୟ ଭାଙ୍ଗି ରୁଜି ଗଲାଣି । ଆମ ଦେଶରେ ଏହା ଦିନକୁ ଦିନ ଦୁର୍ବଳ ହେଉଛି ।

ଭାରତରେ ଗତ ୬୦ ବର୍ଷ ଭିତରେ ଛାଡ଼ପତ୍ର ସଂଖ୍ୟା ୧୦ ଗୁଣରୁ ଅଧିକ ହେଲାଣି । ମହାନଗରମାନଙ୍କରେ ଅନୁପାତ ସବୁଠୁ ଅଧିକ । ଇଂଲଣ୍ଡରେ ବିବାହିତ

ବିକଳ୍ପ ବିଶ୍ୱ ୧୪୫