ପୃଷ୍ଠା:Bikalpa Biswa.pdf/୧୪୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭବିଷ୍ୟତରେ ପରିବାର ଏକ ଆଇନ୍ ଯୁଦ୍ଧର କ୍ଷେତ୍ର ହେବାକୁ ଯାଉଛି । ବହୁ ପୁରୁଷ ଏଥିପାଇଁ ସତର୍କ ହେଲେଣି । ପୁରୁଷମାନଙ୍କ ବିବାହ - ବିମୁଖତାର ଏହା ଅନ୍ୟ ଏକ କାରଣ । ବାହାଘର ଓ ପରିବାରକୁ ସହଜରେ ଭାଙ୍ଗିବାକୁ ଯେତେ ଆଇନ୍ ହେଲାଣି, ଗଢ଼ିବାକୁ ସେତେ ଆଇନ୍ ନାହିଁ ।

ସମାଜ ସ୍ତ୍ରୀ ଓ ପୁରୁଷଙ୍କପାଇଁ ଯେଉଁ ‘ସ୍ତ୍ରୀ-କ୍ଷେତ୍ର’ ଓ ‘ପୁରୁଷ-କ୍ଷେତ୍ର’ ନିର୍ଦ୍ଧାରଣ କରିଥିଲା ସେଥିରୁ ସ୍ତ୍ରୀମାନେ କ୍ରମେ ନିର୍ଦ୍ଧାରିତ ‘ସ୍ତ୍ରୀ-କ୍ଷେତ୍ର’ରୁ ମୁକୁଳିବାରେ ଅଧିକ ସକ୍ଷମ ହେଲେଣି । କିନ୍ତୁ ପୁରୁଷମାନେ ଏବେ ବି ‘ପୁରୁଷ-କ୍ଷେତ୍ର’ର ମାନସିକତାରେ ବାନ୍ଧି ହୋଇ ରହିଛନ୍ତି । ପରିବାରର ଭରଣ ପୋଷଣ ଦାୟିତ୍ୱ, ରୋଜଗାର, ପିଲାଙ୍କ ଶିକ୍ଷା, ବିବାହ ଓ ଗୁରୁତ୍ୱପୂର୍ଣ୍ଣ ପାରିବାରିକ ନିଷ୍ପତ୍ତି କେବଳ ‘ପୁରୁଷ-କ୍ଷେତ୍ର’ ବୋଲି ସମାଜ ବିଚାର କରେ । ‘ଯୋରୁକାଗୁଲାମ’, ‘ମାଇଚିଆ, ମର୍ଦ୍ଦାଙ୍ଗି’, ‘କାପୁରୁଷତା’, ‘ହେନ୍‌ପେକ୍‌ଡ’ ଇତ୍ୟାଦି ଶବ୍ଦ ଓ ସଂଜ୍ଞା ପୁରୁଷ ଉଦ୍ଦେଶ୍ୟରେ ବ୍ୟବହାର କରାଯାଏ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ କେବଳ ‘ପୁରୁଷ’ ହେବା ଉଦ୍ୟମରେ ପୁରୁଷର ଜୀବନ କଟିଯାଏ - ପୁତ୍ର, ଭ୍ରାତା, ପିତା, ସ୍ୱାମୀ, ପିତାମହପାଇଁ ନିର୍ଦ୍ଧିଷ୍ଟ ଦାୟିତ୍ୱ ଓ କର୍ତ୍ତବ୍ୟର ବୋଝ ଉଠାଇବାକୁ ପଡ଼େ । ଏହା ନ କଲେ ତଥାକଥିତ ପୌରୁଷରେ ଆଞ୍ଚ ଲାଗେ ।

ସେହିଭଳି ସ୍ତ୍ରୀମାନେ ପୁରୁଷଙ୍କ ସ୍ଥାନ ନେବାକୁ ଚେଷ୍ଟା କଲେ ସେମାନଙ୍କୁ ‘ଅଣ୍ଡିରାଚଣ୍ଡୀ’ କୁହାଯାଏ । ପିଲା ଜନ୍ମ କରିବା, ରୋଷେଇ କରିବା, ପିଲା ପାଳିବା, ବାସନ ମାଜିବା, ଲୁଗା କାଚିବା, ସିଲେଇ କରିବା, ବଡ଼ି, ପାମ୍ପଡ଼ ତିଆରି କରିବା ଏବଂ ମଥାରେ ସିନ୍ଦୂର, ହାତରେ କାଚ ଥାଉ ଥାଉ ସ୍ୱାମୀଙ୍କ ପୂର୍ବରୁ ସଂସାର ତ୍ୟାଗ କରିବା ହେଉଛି ତଥାକଥିତ ‘ସ୍ତ୍ରୀ-କ୍ଷେତ୍ର’ । ଏସବୁ ନିୟମ ଏବେ ଓଲଟପାଲଟ ହେଉଥିବାରୁ ପରିବାର ଏକ ସାମାଜିକ ପରିବର୍ତ୍ତନ ଦେଇ ଗତି କରୁଛି । ଦଶ ହଜାର ବର୍ଷ ପୁରୁଣା ପାରିବାରିକ ବ୍ୟବସ୍ଥା ଆଉ ପାରମ୍ପରିକ ଢାଞ୍ଚାରେ ଚାଲିପାରିବ ନାହିଁ । ସେଥିପାଇଁ ନୂଆ ନୀତି, ନିୟମ, ଆଚାର, ବ୍ୟବହାର ଏପରିକି ନୂଆ ସଂଜ୍ଞା ତିଆରି ହେଲାଣି ଓ ଏମାନଙ୍କୁ ନେଇ ବ୍ୟବସାୟ ଚାଲିଲାଣି ।

ବାରମ୍ବାର ବିବାହ ଓ ବିଚ୍ଛେଦ ପରେ ଚିତ୍ରତାରକା ଏଲିଜାବେଥ୍ ହର୍ଲେ ଓ ମଡେଲ୍ ଅରୁଣ ନାୟାରଙ୍କର ଭାରତୀୟ ରୀତିରେ ଅନୁଷ୍ଠିତ ସଦ୍ୟ ବିବାହର ବଜାର ମୂଲ୍ୟ ହେଲା ଚାରି ମିଲିଅନ୍ ପାଉଣ୍ଡ ବା ୩୨ କୋଟି ଟଙ୍କା । ୬ ମାସ ଭିତରେ ସେମାନେ ଯଦି ପୁଣି ମନ ପରିବର୍ତ୍ତନ କରନ୍ତି ଓ ପୁନର୍ବିବାହ କରନ୍ତି ତାହାର ବଜାର ମୂଲ୍ୟ ଆହୁରି ଅଧିକ ହୋଇପାରେ । ବିବାହ ଓ ପରିବାର ହାଟ ବଜାରରେ କିଣା ବିକାର ବିଷୟ ନ

୧୪୮ ବିକଳ୍ପ ବିଶ୍ୱ