ପୃଷ୍ଠା:Bikalpa Biswa.pdf/୧୫୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବା ‘ବହୁ ପତ୍ନୀ ବ୍ୟବସ୍ଥା’ ନୁହେଁ, ଯେତେ ଇଚ୍ଛା ସେତେ ପତ୍ନୀ ଏକ ସ୍ୱୀକୃତ ପରମ୍ପରା । ନାଇଜେରିଆରେ ବିବାହିତ ପୁରୁଷଙ୍କ ନାଁ ପତ୍ନୀ ଓ ବିବାହିତ ମହିଳାଙ୍କୁ କୁହାଯାଏ ପତି । ଭାରତର କେତେକ ଅଞ୍ଚଳରେ ବହୁପତି ବ୍ୟବସ୍ଥା ଅଛି । ଏହିପରି ବିଭିନ୍ନ ଦେଶ ଓ ସଂସ୍କୃତିରେ ବିବିଧ ସଂଜ୍ଞା ଓ ଚାଲିଚଳଣି । ଏହା ସାଙ୍ଗକୁ କ୍ରମାଗତ ଭାବରେ ଯୌଥ ପରିବାରର ସଂଖ୍ୟାହ୍ରାସ, ସ୍ୱାମୀ-ସ୍ତ୍ରୀଙ୍କର ଭିନ୍ନ ଭିନ୍ନ ସ୍ଥାନରେ କାର୍ଯ୍ୟକ୍ଷେତ୍ର, ପରସ୍ପର ପ୍ରତି ସହନଶୀଳତାର ଅଭାବ, ଗଣମାଧ୍ୟମଦ୍ୱାରା ବିଦେଶଔ ସଂସ୍କୃତିର ପ୍ରଚାର ଓ ପ୍ରଭାବ ଇତ୍ୟାଦି କାରଣରୁ ପୃଥିବୀର ଏହି କ୍ଷୁଦ୍ରତମ ଗଣତନ୍ତ୍ର ଦୁର୍ବଳ ହୋଇଯାଉଛି ।

ଏକ ଜନମଙ୍ଗଳ ରାଷ୍ଟ୍ର ନିଜର ନାଗରିକଙ୍କପାଇଁ ଯେପରି ବିଭିନ୍ନ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଥାଏ, ସେହିପରି ଏକ ପରିବାର ନିଜର ସଦସ୍ୟଙ୍କ କଲ୍ୟାଣ ପାଇଁ ସମସ୍ତ ଦାୟିତ୍ୱ ନେଇଥାଏ । ଯେଉଁ ଦେଶରେ ପାରିବାରିକ ବ୍ୟବସ୍ଥା ସୁଦୃଢ଼ ସେଠି ସରକାରଙ୍କୁ ସୋସିଆଲ୍ ସେକ୍ଟରରେ କମ୍ ଖର୍ଚ୍ଚ କରିବାକୁ ପଡ଼ିଥାଏ, କାରଣ ପରିବାରମାନେ ନିଜ ନିଜ ବୋଝ ଉଠାଇଥାନ୍ତି । ଭାରତରେ ପରିବାର ଦୁର୍ବଳ ହେଲେ ସରକାରଙ୍କ ସମସ୍ତ ଧନରାଶି ପିଲା ଓ ବୁଢ଼ାଙ୍କପାଇଁ ଖର୍ଚ୍ଚ କରିବାକୁ ପଡ଼ିବ । ଦାରିଦ୍ର୍ୟ ନିରାକରଣ ଯୋଜନା ଭୁଶୁଡ଼ି ପଡ଼ିବ ।

ତେଣୁ ବିବାହ ଓ ପରିବାରର ସୁରକ୍ଷା ଏବଂ ସୁଦୃଢ଼ତାପାଇଁ ମିଳିତ ରାଷ୍ଟ୍ରସଙ୍ଘ ୧୯୯୪ ମସିହାକୁ ‘ଆନ୍ତର୍ଜାତିକ ପରିବାର ବର୍ଷ’ ଭାବରେ ଘୋଷଣା କରିଥିଲେ । ଏହାର ଦଶବର୍ଷ ପରେ ୨୦୦୪ ମସିହାରେ ପୁ’ଣି ଥରେ ‘ପରିବାର ବର୍ଷ’ ସମ୍ପର୍କୀୟ କାର୍ଯ୍ୟକ୍ରମ ସମୀକ୍ଷା କରାଯାଇଥିଲା । ଦୋହାଠାରେ ଅନୁଷ୍ଠିତ ଏହି ବିଶ୍ୱ ସମ୍ମିଳନୀରେ ଯେଉଁ ମୂଳନୀତିଗୁଡ଼ିକ ସର୍ବସମ୍ମତି ରୂପେ ଗୃହୀତ ହୋଇଥିଲା ତାହା ହେଲା:
- ପରିବାର ସମାଜର ମୌଳିକ ଅଙ୍ଗ, ଉନ୍ନୟନ କାର୍ଯ୍ୟରେ ପରିବାରର ସ୍ୱାତନ୍ତ୍ର୍ୟକୁ ସମର୍ଥନ ।
- ବିଭିନ୍ନ ଦେଶ ଓ ସଂସ୍କୃତି ଉପରେ ପର୍ଯ୍ୟବେଶିତ ପାରିବାରିକ ବ୍ୟବସ୍ଥା ପ୍ରତି ସମ୍ମାନ ।
- ପରିବାର ମଧ୍ୟରେ ପ୍ରତ୍ୟେକ ସଦସ୍ୟଙ୍କର ମାନବୀୟ ଅଧିକାରର ସୁରକ୍ଷା ।
- ପରିବାରରେ ରହୁଥିବା ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରେ ସମାନତା ।
- ବିକଳ୍ପ ପାରିବାରିକ ବ୍ୟବସ୍ଥା ସୃଷ୍ଟି ନ କରି ପ୍ରଚଳିତ ବ୍ୟବସ୍ଥାର ସୁଦୃଢ଼ୀକରଣ ।

ବିକଳ୍ପ ବିଶ୍ୱ ୧୫୧