ପୃଷ୍ଠା:Bikalpa Biswa.pdf/୧୫୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

- ପରିବାର କଲ୍ୟାଣ, ପ୍ରଗତି ଓ ସୁରକ୍ଷାପାଇଁ ରାଷ୍ଟ୍ରୀୟ ନୀତି ଓ ଗବେଷଣାପାଇଁ ରାଷ୍ଟ୍ରୀୟ ଅନୁଷ୍ଠାନ ।
- ଯେଉଁ ଅନୁଷ୍ଠାନ/ସଂସ୍ଥା ପରିବାର ଉନ୍ନୟନପାଇଁ କାମ କରୁଛନ୍ତି, ସେମାନଙ୍କୁ ଉତ୍ସାହ, ସାହାଯ୍ୟ, ସମର୍ଥନ ।
- ପରିବାରରେ ବାସ କରୁଥିବା ଶିଶୁ, କିଶୋର, ଯୁବକ-ଯୁବତୀ, ମହିଳା, ଭିନ୍ନକ୍ଷମ ଓ ବୟସ୍କଙ୍କପାଇଁ ସ୍ୱତନ୍ତ୍ର ଯୋଜନା ଓ କାର୍ଯ୍ୟକ୍ରମ ଇତ୍ୟାଦି ।

ସମୀକ୍ଷା ବେଳେ ପରିବାରର ଯେଉଁ ମୁଖ୍ୟ ସମସ୍ୟା ସମ୍ପର୍କରେ ବିଶ୍ୱବାସୀଙ୍କ ଧ୍ୟାନ ଆକର୍ଷଣ କରାଯାଇଥିଲା, ସେଗୁଡିକ ହେଲା :- ଜନ୍ମହାରରେ ହ୍ରାସ, ଯୌଥରୁ କ୍ଷୁଦ୍ର, ଅତିକ୍ଷୁଦ୍ର (ଜଣିକିଆ) ପରିବାର ସୃଷ୍ଟି, ଛାଡ଼ପତ୍ର ସଂଖ୍ୟା ବୃଦ୍ଧି, କର୍ମ ଅନ୍ୱେଷଣରେ ଗୃହତ୍ୟାଗ, ଯୌନ ପରିପକ୍ୱତା ବୟସରେ ହ୍ରାସ ଓ ବିବାହଯୋଗ୍ୟ ବୟସରେ ବୃଦ୍ଧି, ଅଧିକ ବୟସରେ ସନ୍ତାନ ପ୍ରସବ, ପରିବାରରେ ବୟସାଧିକଙ୍କ ସଂଖ୍ୟା ବୃଦ୍ଧି, ରୋଜଗାରକ୍ଷମଙ୍କ ସଂଖ୍ୟା ହ୍ରାସ, ଅବିବାହିତା କନ୍ୟାଙ୍କର ଯୌନ ଶୋଷଣ, ଏଚ୍ଆଇଭି/ଏଡ୍‌ସର ପ୍ରଭାବ, ପାରିବାରିକ ସ୍ୱାସ୍ଥ୍ୟରେ ଅବନତି, ପରିବାର ଜୀବନ ଶୈଳୀ ଉପରେ ଗଣମାଧ୍ୟମର କୁପ୍ରଭାବ, ଦୁର୍ବଳ ସାମାଜିକ ମୂଲ୍ୟବୋଧ, ଅତ୍ୟଧିକ ବ୍ୟକ୍ତି ସ୍ୱାଧୀନତା ଇତ୍ୟାଦି ।

ଏହି ସମସ୍ୟାଗୁଡିକର ସମ୍ମୁଖୀନ ହେବାପାଇଁ ସର୍ବପ୍ରଥମେ ସାଂସ୍କୃତିକ, ଆଧ୍ୟାତ୍ମିକ ଓ ସାମାଜିକ ମୂଲ୍ୟବୋଧର ପ୍ରଚାର, ପ୍ରସାରପାଇଁ ବିଶ୍ୱବାସୀଙ୍କୁ ଆହ୍ୱାନ ଦିଆଯାଇଛି । ପରିବାରରେ ବଢ଼ୁଥିବା ପିଲାଙ୍କପାଇଁ ଉତ୍ତମ ପୋଷଣ, ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତିର ସୁଯୋଗ ଓ ସାମାଜିକ ନିରାପତ୍ତାର ଆବଶ୍ୟକତା ରହିଛି । ଯୁଗ ଯୁଗ ଧରି ଚଳି ଆସୁଥିବା ବିବାହ ଅନୁଷ୍ଠାନକୁ ସୁରକ୍ଷା ଦେବାପାଇଁ ସବୁ ପ୍ରକାର ଉଦ୍ୟମ ନିମନ୍ତେ ସରକାର ଓ ନାଗରିକ ସମାଜ ଆଗେଇ ଆସିବାକୁ ହେବ । ବିବାହ ଓ ପରିବାରକୁ ବଞ୍ଚାଇ ରଖିବା ପାଇଁ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ସମାନ ଅଧିକାର ଦେବାକୁ ସମ୍ମିଳନୀ ଆହ୍ୱାନ ଦେଇଛନ୍ତି । ବିବାହ ଓ ପରିବାର ଦୁର୍ବଳ ହେଲେ ମାନବ ଜାତି ଘୋର ବିପଦର ସମ୍ମୁଖୀନ ହେବ -ଏ କଥା ଆନ୍ତର୍ଜାତିକ ମଣ୍ଡପରେ ପ୍ରଥମଥରପାଇଁ ସ୍ୱୀକାର କରାଯାଇଛି ।

ସୌଭାଗ୍ୟବଶତଃ ଏବେ ବି ଭାରତ ଏକ ପରିବାର-ପ୍ରେମୀ ଦେଶ ଏବଂ ଦେଶରେ ଶତକଡ଼ା ୯୯ ଭାଗରୁ ଅଧିକ ଲୋକ ପରିବାରରେ ରହନ୍ତି । ବର୍ଷକୁ ପ୍ରାୟ ଏକ କୋଟି ବାହାଘର ହୁଏ, ଦୁଇ କୋଟି ସତୁରୀ ଲକ୍ଷ ପିଲା ଜନ୍ମ ହୁଅନ୍ତି । କିନ୍ତୁ ଏଠାରେ ବାଲ୍ୟ

୧୫୨ ବିକଳ୍ପ ବିଶ୍ୱ