ପୃଷ୍ଠା:Bikalpa Biswa.pdf/୧୫୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିବାହ, ଯୌତୁକ ପ୍ରଥା, ପତ୍ନୀ ଅତ୍ୟାଚାର, କନ୍ୟାଭ୍ରୂଣ ହତ୍ୟା, ପବିତ୍ର ବିବାହ ଅନୁଷ୍ଠାନକୁ ଏବେ ବି କଳଙ୍କିତ କରୁଛି । ଏଠାରେ ବର କନ୍ୟାଙ୍କୁ; ବିବାହ, ଯୌନ ଜୀବନ, ସନ୍ତାନ ପାଳନ ସମ୍ପର୍କରେ ତାଲିମ ଦିଆଯାଏ ନାହିଁ । ନବ ଦମ୍ପତ୍ତି ଅଜ୍ଞତାର ବୋଝ ମୁଣ୍ଡାଇ ସଂସାରରେ ପ୍ରବେଶ କରନ୍ତି ଏବଂ ଏହି କାରଣରୁ ପରବର୍ତ୍ତୀ କାଳରେ ନିଜ ପିଲାମାନଙ୍କପାଇଁ ଏ ସମ୍ପର୍କୀୟ ତାଲିମର ଆବଶ୍ୟକତା ଅନୁଭବ କରିପାରନ୍ତି ନାହିଁ ।

ବିବାହ ଓ ପରିବାର ବିଶାରଦମାନେ କହନ୍ତି ଯେ ବୈବାହିକ ଜୀବନକୁ ସରସ ଓ ପାରିବାରିକ ସୁଖ ଶାନ୍ତିପାଇଁ ୪ଟି ଜିନିଷ ଦରକାର । ଇଂରାଜୀରେ ଏହି ୪ଟିକୁ ‘ଫୋର୍ ଟି ପ୍ରିନ୍‌ସିପଲ୍’ କୁହାଯାଏ । ପ୍ରଥମଟି ହେଲା ‘ଟ୍ରଷ୍ଟ’ - ପରସ୍ପର ପ୍ରତି ଆସ୍ଥା ଓ ବିଶ୍ୱାସ । ଦ୍ୱିତୀୟଟି ହେଲା - ‘ଟଚ୍’ ବା ସ୍ପର୍ଶ ଶକ୍ତି । ଏହାଦ୍ୱାରା ସ୍ୱାମୀ-ସ୍ତ୍ରୀ ଓ ପିଲାମାନେ ପରସ୍ପର ନିକଟତର ହୋଇଥାଆନ୍ତି । ବନ୍ଧନ ମଜଭୁତ୍ ହୋଇଥାଏ । ତୃତୀୟଟି ହେଲା 'ଟାଇମ୍’ ବା ସମୟ । ସ୍ୱାମୀଙ୍କର ସ୍ତ୍ରୀପାଇଁ, ସ୍ତ୍ରୀଙ୍କର ସ୍ୱାମୀପାଇଁ, ଉଭୟଙ୍କର ପିଲାମାନଙ୍କପାଇଁ, ସମସ୍ତଙ୍କର ବୟସ୍କ ଓ ଗୁରୁଜନମାନଙ୍କପାଇଁ ସମୟ ଥିବା ଦରକାର । ସମୟ ଦେଇ ନ ପାରିଲେ ସମ୍ପର୍କ ଶିଥିଳ ହୋଇଯାଏ । ଚତୁର୍ଥ ସୂତ୍ରଟି ହେଲା - ‘ଟକ୍’ ବା ବାର୍ତ୍ତାଳାପ । ପରିବାରରେ କଥାଭାଷାଦ୍ୱାରା ଅନେକ ସମସ୍ୟା ଦୂର ହୁଏ, ବୁଝାମଣା ବଢ଼େ । ତେଣୁ ପରିବାରକୁ କହନ୍ତି କ୍ଷୁଦ୍ରତମ ଗଣତନ୍ତ୍ର । ଏବେ ବ୍ୟସ୍ତ ପିତାମାତାଙ୍କୁ ପିଲାଙ୍କ ସହ କଥା ହେବାକୁ ବେଳ ନାହିଁ, ସ୍ୱାମୀ-ସ୍ତ୍ରୀ ପରସ୍ପର ସହ କଥା ହେବାକୁ ସମୟ ପାଉନାହାନ୍ତି ।

ପରିବାର ସମ୍ପର୍କରେ ଗବେଷଣା କରୁଥିବା ବିଶେଷଜ୍ଞମାନେ ଏବେ କହୁଛନ୍ତି ଯେ ପରିବାରରେ ରହୁଥିବା ବିବାହିତ, ଅବିବାହିତ, ସବୁ ସଦସ୍ୟ ଅଧିକ ଦିନ ବଞ୍ଚନ୍ତି । ସେମାନଙ୍କର ଶାରୀରିକ, ମାନସିକ ବ୍ୟାଧି କମ୍ ଏବଂ ସୁଖର ମାତ୍ରା ଅଧିକ । ଇଂଲଣ୍ଡ ସିଟି ୟୁନିଭର୍ସିଟିର ପ୍ରଫେସର ଇନ୍‌ଗ୍ରିଡ୍ ସ୍କୁନ୍‌ଙ୍କଦ୍ୱାରା ୧୦ ହଜାର ବ୍ୟକ୍ତିଙ୍କ ଜୀବନ ଶୈଳୀ ଉପରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ୩୦ ବର୍ଷ ବୟସ୍କ ସୁଶିକ୍ଷିତ ପ୍ରଫେସନାଲ୍‌ଙ୍କ ମଧ୍ୟରୁ ଯେଉଁମାନଙ୍କର ପରିବାର ଓ ସନ୍ତାନ ଅଛି ସେମାନେ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଖୁସି । ଏବେ ମନସ୍ତତ୍ୱବିତ୍ ରବର୍ଟ ବର୍ନ‌ଷ୍ଟିନ୍ ଓ ତାଙ୍କ ପତ୍ନୀ ମେରୀଙ୍କଦ୍ୱାରା ଲିଖିତ ପୁସ୍ତକ ‘ହେଲ୍ ଦି ଡିପେଣ୍ଡେନ୍ସି’ ଅନୁସାରେ ସ୍ୱାଧୀନତା ଅପେକ୍ଷା ପରସ୍ପର ନିର୍ଭରଶୀଳତା ବିବାହ ବନ୍ଧନକୁ ସୁଦୃଢ଼ କରିଥାଏ ।

ବିକଳ୍ପ ବିଶ୍ୱ ୧୫୩