ପୃଷ୍ଠା:Bikalpa Biswa.pdf/୧୫୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଯୌନ ସ୍ୱାସ୍ଥ୍ୟପାଇଁ ଯୌନ ଶିକ୍ଷା

ଛାତ୍ରଛାତ୍ରୀମାନଙ୍କର ନୀରବ ସମର୍ଥନ ସତ୍ତ୍ୱେ, ଓଡିଶାର ଗଣମାଧ୍ୟମରେ ଏବେ ଯୌନ ଶିକ୍ଷା ସମ୍ପର୍କରେ ବିବାଦ ଓ ବିରୋଧ ପ୍ରକାଶିତ ହେଲାଣି । ବିଳମ୍ବରେ ହେଲେ ମଧ୍ୟ ଏହା ଏକ ଶୁଭ ଲକ୍ଷଣ । ଏହି ସ୍ପର୍ଶକାତର ବିଷୟରେ ଯେତେ ଅଧିକ ଆଲୋଚନା, ପର୍ଯ୍ୟାଲୋଚନା ହେବ, ସେତେ ଭଲ । କାରଣ ଯୌନ ଶିକ୍ଷା ସମ୍ପର୍କରେ ପୃଥିବୀର ପ୍ରଥମ ପୁସ୍ତକ ରଚନା କରାଯାଇଥିଲା ଭାରତରେ । ବହିର ନାଁ ‘କାମସୂତ୍ର’ ଓ ରଚୟିତା ଥିଲେ ମହାଋଷି ବାତ୍ସାୟନ । ଏହି ପୃଥିବୀ ପ୍ରସିଦ୍ଧ ଏବଂ ଲୋକପ୍ରିୟ ପୁସ୍ତକ ଏବେ ଦେଶ ବିଦେଶର ବିଭିନ୍ନ ଭାଷାରେ ଅନୂଦିତ ହୋଇସାରିଲାଣି । ଶ୍ରୀମନ୍ଦିର, କୋଣାର୍କ, ସୂର୍ଯ୍ୟମନ୍ଦିର, ଖଜୁରାହୋ ଭଳି ବିଭିନ୍ନ ପୁରାତନ ମନ୍ଦିର ଓ ଅଟ୍ଟାଳିକା ଗାତ୍ରରେ ଯୌନ ଚିତ୍ର ଓ କାରୁକାର୍ଯ୍ୟ ଦେଖିବାପାଇଁ ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ବା ଟୁରିଷ୍ଟଙ୍କ ସଂଖ୍ୟା ଆହୁରି ବେଶୀ । ଏହାର ଧାର୍ମିକ ଓ ମାର୍ମିକ ଅର୍ଥ ଅର୍ଥାନ୍ତର କରାଯାଇ ଯେତେ କଥା କୁହାଗଲେ ମଧ୍ୟ, ଏହା ଯେ ପ୍ରାଚୀନ ଭାରତୀୟ ଯୌନ ଶିକ୍ଷାର ଏକ ସମୃଦ୍ଧ ଆଧ୍ୟାତ୍ମିକ ପରମ୍ପରା, ଏ କଥା ଅସ୍ୱୀକାର କରି ହେବ ନାହିଁ ।

ଏଠାରେ ସହସ୍ରାଧିକ ମନ୍ଦିରରେ ସ୍ତ୍ରୀ ଓ ପୁରୁଷ ଯୌନାଙ୍ଗକୁ ଅତ୍ୟନ୍ତ ସମ୍ମାନର ସହ ଶକ୍ତି ଓ ସୃଷ୍ଟିର ପ୍ରତୀକ ଭାବରେ ପୂଜା କରାଯାଏ । ନୂଆ ପିଲାଟିଏ ଜନ୍ମ ହେଲେ ସମସ୍ତଙ୍କ ପ୍ରଥମ ପ୍ରଶ୍ନ - ପିଲାର ଲିଙ୍ଗ ବା ସେକ୍ସ କ’ଣ ? ପୁଅ ନା ଝିଅ ? ସରକାରୀ ଫର୍ମଠାରୁ ଆରମ୍ଭ କରି ଟ୍ରେନ୍ ଟିକଟ ପର୍ଯ୍ୟନ୍ତ ସବୁଥିରେ ପଚରାଯାଏ - ସମ୍ପୃକ୍ତ ବ୍ୟକ୍ତିଙ୍କର ‘ସେକ୍ସ’ ମେଲ୍ ନା ଫିମେଲ୍ ? ସ୍ତ୍ରୀଲିଙ୍ଗ ଓ ପୁଲିଙ୍ଗ ହେଉଛି ସମ୍ପୃକ୍ତ ସ୍ତ୍ରୀ ଓ ପୁରୁଷଙ୍କର ‘ସେକ୍ସୁଆଲ୍ ଆଇଡେ଼ଣ୍ଟିଟି’ - ପୃଥିବୀରେ ପଦାର୍ପଣର ପ୍ରଥମ ପରିଚୟ ପତ୍ର । ଏହାକୁ ଭିତ୍ତି କରି ସମାଜ ଓ ପରିବାରରେ ସ୍ତ୍ରୀ ପୁରୁଷଙ୍କପାଇଁ ସ୍ୱତନ୍ତ୍ର ଆଚରଣବିଧି ପ୍ରସ୍ତୁତ ହୁଏ । ବର୍ଣ୍ଣଭେଦ ଭଳି ଲିଙ୍ଗ ଭେଦ ବା ‘ସେକ୍ସୁଆଲ୍

ବିକଳ୍ପ ବିଶ୍ୱ ୧୫୫