ପୃଷ୍ଠା:Bikalpa Biswa.pdf/୧୫୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଡିସ୍କ୍ରିମିନେସନ୍’ ବିରୋଧରେ ଏବେ ଆନ୍ଦୋଳନ ଚାଲିଛି । କାରଣ ଲିଙ୍ଗ ବା ସେକ୍ସ ସହ ଅନେକ ସାମାଜିକ ଭେଦଭାବ ଯୋଡ଼ି ହୋଇଥାଏ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଲିଙ୍ଗ ଆମର ସଂଜ୍ଞା ନିର୍ଦ୍ଧାରଣ କରେ ।

ଏହି ପରିପ୍ରେକ୍ଷୀରେ ଯୌନ ଶିକ୍ଷାର ଆବଶ୍ୟକତା ବିଚାର କରିବାକୁ ହେବ । ଓଡ଼ିଶାପାଇଁ ଏହା ବିଶେଷ ଗୁରୁତ୍ୱପୂର୍ଣ୍ଣ - ବିଶେଷ କରି ଘରେ ବାହାରେ ବଢ଼ୁଥିବା ଆମ ପିଲାମାନଙ୍କପାଇଁ । ୨୦୦୫ ମସିହା ସୁଦ୍ଧା ଓଡ଼ିଶାରେ ୧୦ ରୁ ୧୯ ବର୍ଷ ବୟସର ପିଲାଙ୍କ ସଂଖ୍ୟା ଥିଲା ପ୍ରାୟ ନବେ ଲକ୍ଷ - ରାଜ୍ୟ ଜନସଂଖ୍ୟାର ଏକୋଇଶି ଭାଗ । ତା’ମଧ୍ୟରୁ ଝିଅ ପିଲାଙ୍କ ସଂଖ୍ୟା ୪୪ ଲକ୍ଷ । ଏମାନଙ୍କ ମଧ୍ୟରୁ ଶତକଡ଼ା ୩୭ ଭାଗ ଝିଅ ଅଠର ବର୍ଷ ହେବା ପୂର୍ବରୁ ବିବାହ କରିଥାନ୍ତି । ୟୁନିସେଫ୍ ଓ ଅନ୍ୟ ଅଧ୍ୟୟନ ଅନୁସାରେ ଏହି ଅନୁପାତ ଆହୁରି ଅଧିକ । ଫଳରେ ଓଡ଼ିଶାରେ ଶିଶୁ ମୃତ୍ୟୁ ଓ ପ୍ରସୂତି ମୃତ୍ୟୁ ହାର ସର୍ବାଧିକ । ଏହି ଅଳ୍ପ ବୟସ୍କା ବିବାହିତାଙ୍କ ମଧ୍ୟରୁ ଶତକଡ଼ା ୨୮ ଭାଗ ଯୌନାଙ୍ଗ ସମ୍ପର୍କିତ ରୋଗଦ୍ୱାରା ଆକ୍ରାନ୍ତ । ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଗର୍ଭଧାରଣ, ପ୍ରସବ ଓ ସନ୍ତାନ ପାଳନ ବିଷୟରେ କୌଣସି ସ୍ପଷ୍ଟ ଧାରଣା ନଥାଏ । ଏହି କାରଣରୁ ୧୫ ରୁ ୧୯ ବର୍ଷ ମଧ୍ୟରେ ଗର୍ଭଧାରଣ କରୁଥିବା ଅନେକ ମହିଳା ମୃତ୍ୟୁ ମୁଖରେ ପଡ଼ନ୍ତି । ଓଡ଼ିଶାର ନବରଙ୍ଗପୁର ଜିଲ୍ଲାରେ ଅଳ୍ପ ବୟସରେ ଗର୍ଭିଣୀ ମା’ଙ୍କ ସଂଖ୍ୟା ସବୁଠୁ ବେଶୀ । ତା ପଛରେ ଅଛନ୍ତି କୋରାପୁଟ, କଳାହାଣ୍ଡି, ବଲାଙ୍ଗୀର, ମାଲକାନଗିରି ଓ ନୟାଗଡ଼ ଜିଲ୍ଲା । ନିରକ୍ଷରତା, ଦାରିଦ୍ର୍ୟ ଓ ଗର୍ଭନିରୋଧକ ଜ୍ଞାନ ଓ କୌଶଳର ଅଭାବ ଏହି ପରିସ୍ଥିତିକୁ ଅଧିକ ଜଟିଳ କରି ଦେଇଛି । ଅନ୍ୟ ଏକ ଅଧ୍ୟୟନରୁ ଜଣାପଡ଼େ, ଶତକଡ଼ା ୨୦ ଭାଗ ପୁଅ ଓ ପ୍ରାୟ ୬୫ ଭାଗ ଝିଅଙ୍କର ମଧୁଚନ୍ଦ୍ରିକା ବା ବିବାହର ପ୍ରଥମ ମିଳନ ସମ୍ପର୍କରେ ସ୍ପଷ୍ଟ ଧାରଣା ନଥାଏ ।

ଅଳ୍ପ ବୟସରେ ଯୌନ ସମ୍ପର୍କ ଓ ଗର୍ଭପାତ ସଂଖ୍ୟା ଏବେ ବଢ଼ିବାରେ ଲାଗିଛି । ପୃଥିବୀରେ ପ୍ରତିିଦିନ ୫୫୦୦୦ ଗର୍ଭପାତ କରାଯାଏ ଏବଂ ସେଥିରୁ ପ୍ରାୟ ଶତକଡ଼ା ନବେ ଭାଗ ଅସୁରକ୍ଷିତ । ତା ମଧ୍ୟରୁ ଅଧିକାଂଶ ଅଳ୍ପ ବୟସର କିଶୋରୀ । ତିନି ବର୍ଷ ତଳେ ଭୁବନେଶ୍ୱର ସହରରେ ନ’ଶହ ଅବିବାହିତ କିଶୋରୀ ଅସୁରକ୍ଷିତ ଓ ଅସ୍ୱାସ୍ଥ୍ୟକର ପରିବେଶରେ ଗର୍ଭପାତ କରିଥିବା ଖବର ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ସେହିପରି ଭାରତରେ ଦେହ ବ୍ୟବସାୟୀଙ୍କ ମଧ୍ୟରୁ ଶତକଡ଼ା ତିରିଶ ଭାଗ ହେଉଛନ୍ତି ପିଲା । ‘ମାଇଁ ହାର୍ଟ’ ସଂସ୍ଥାଦ୍ୱାରା ଆଦିବାସୀ ଅଞ୍ଚଳରେ ହୋଇଥିବା ଅଧ୍ୟୟନ ଅନୁସାରେ ୧୦ ରୁ ୧୩ ବର୍ଷ ବୟସ ମଧ୍ୟରେ ଶତକଡ଼ା ୪୦ ଭାଗ ପୁଅ ଝିଅ ପ୍ରଥମ ଯୌନ ସମ୍ପର୍କର ଅଭିଜ୍ଞତା

୧୫୬ ବିକଳ୍ପ ବିଶ୍ୱ