ପୃଷ୍ଠା:Bikalpa Biswa.pdf/୧୫୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲାଭ କରିଥାନ୍ତି । ତା’ମଧ୍ୟରୁ ୪୦ ପ୍ରତିଶତ ନିଜ ପାଖ ଲୋକ, ନିକଟ ସମ୍ପର୍କୀୟ ଓ ସାଥୀମାନଙ୍କଦ୍ୱାରା ପ୍ରଭାବିତ ହୋଇଥାନ୍ତି । ଉପକୂଳ ଜିଲ୍ଲା ଓ ସହର ଅଞ୍ଚଳର ଅବସ୍ଥା ମଧ୍ୟ ଏହାଠାରୁ ଭଲ ନୁହେଁ ।

ଭାରତରେ ଏବେ ୨୫ ଲକ୍ଷ ଲୋକ ‘ଏଚ୍ଆଇଭି’ ଓ ଏଡ୍‌ସଦ୍ୱାରା ସଂକ୍ରମିତ ଓ ପୀଡ଼ିତ । ତା’ମଧ୍ୟରୁ ପ୍ରାୟ ୮୦ ଭାଗ ସଂକ୍ରମଣ ଅସୁରକ୍ଷିତ ଯୌନ ସମ୍ପର୍କଦ୍ୱାରା ହୋଇଥାଏ । ସେହିପରି ଆହୁରି କୋଟିଏ ଲୋକ ବିଭିନ୍ନ ପ୍ରକାର ଯୌନ ରୋଗଦ୍ୱାରା ପୀଡିତ । ସେମାନଙ୍କ ମଧ୍ୟରୁ ଅଧିକାଂଶ କୈଶୋର ଓ ଯୁବାବସ୍ଥାରେ ଏହି ରୋଗଦ୍ୱାରା ଆକ୍ରାନ୍ତ ହୋଇଥାନ୍ତି । ଯୌନ ଆଚରଣରେ ସାମନ୍ୟତମ ତ୍ରୁଟି ଆମ ପିଲାଙ୍କୁ ମୃତ୍ୟୁ ମୁଖକୁ ଠେଲି ଦିଏ । ଯୌନ ସମ୍ପର୍କ ବିଷୟରେ ଜ୍ଞାନର ଅଭାବ ଏହାର ମୁଖ୍ୟ କାରଣ । ଉଦାହରଣ ସ୍ୱରୂପ କୈଶୋର ଅବସ୍ଥାର ଏକ ସ୍ୱାଭାବିକ ଶାରୀରିକ ପ୍ରକ୍ରିୟାକୁ ‘ସ୍ୱପ୍ନ‌ଦୋଷ’ ନାମ ଦେଇ ତା’ର ଚିକିତ୍ସାପାଇଁ ପ୍ରତିବର୍ଷ ‘କ୍ୱାକ୍’ ମାନେ ୧୦ ହଜାର କୋଟି ଟଙ୍କାର ବ୍ୟବସାୟ କରିଥାନ୍ତି । ସେହିପରି ସ୍ତ୍ରୀ ଶରୀରର ମାସିକ ଧର୍ମ ବା ଋତୁ ଭଳି ଏକ ପ୍ରାକୃତିକ କ୍ରିୟା ସମ୍ପର୍କରେ ପିଲାମାନଙ୍କୁ ଘରେ ବା ସ୍କୁଲରେ ଉପଯୁକ୍ତ ଶିକ୍ଷା ବା ପରାମର୍ଶ ମିଳେ ନାହିଁ । ଛୋଟ ପିଲାମାନଙ୍କୁ ନିଜର ଯୌନାଙ୍ଗକୁ ସଫା ସୁତୁରା ରଖିବାପାଇଁ କହିବାକୁ ବାପା ମା’ମାନେ ସଙ୍କୋଚବୋଧ କରନ୍ତି । “ମୁଁ କେମିତି ଜନ୍ମ ହେଲି" ଶିଶୁମାନଙ୍କର ଏହି ସରଳ ନିଷ୍ପାପ ପ୍ରଶ୍ନ ପିତାମାତାଙ୍କୁ ବ୍ୟସ୍ତ ଓ ବିବ୍ରତ କରିଥାଏ ।

୧୦ ରୁ ୧୯ ବର୍ଷ ମଧ୍ୟରେ ଉଭୟ ପୁଅ ଓ ଝିଅ ପିଲାଙ୍କ ଶରୀରରେ ଦୃତ ପରିବର୍ତ୍ତନ ଘଟେ । କେବଳ ଉଚ୍ଚତା ଫୁଟେ ବଢ଼ିଯାଏ । ପରସ୍ପର ପ୍ରତି ଆକର୍ଷଣ ବଢେ଼, କୌତୂହଳ ଜନ୍ମେ । ଯେହେତୁ ଗୃହ ଓ ବିଦ୍ୟାଳୟ ଏ ବିଷୟରେ ଚୁପ୍ ରହନ୍ତି, ପିଲାମାନେ ଅଜ୍ଞ ସାଙ୍ଗ ସାଥୀ ଓ ଅଶ୍ଲୀଳ ପୁସ୍ତକର ଆଶ୍ରୟ ନେଇଥାନ୍ତି । ଫଳରେ ବିପଥଗାମୀ ହୁଅନ୍ତି, ବିପଦରେ ପଡ଼ନ୍ତି । ୧୮ ରୁ ୩୦ ବର୍ଷ ମଧ୍ୟରେ ଝିଅ ଓ ପୁଅ ମାନେ ବିବାହ ଓ ପରିବାର ଗଠନ ସହ ସନ୍ତାନ ଜନ୍ମ କରିଥାନ୍ତି । କିନ୍ତୁ ଏ ବିଷୟରେ ସେମାନଙ୍କୁ କୌଣସି ଶିକ୍ଷା ବା ପରାମର୍ଶ ମିଳେ ନାହିଁ । ଯୌନ ଉଦ୍ଦୀପକ ଚଳଚ୍ଚିତ୍ର, ଭିଡିଓ ସଙ୍ଗୀତ ନୃତ୍ୟ ପିଲାମାନଙ୍କୁ ଅଳ୍ପ ବୟସରେ ଯୌନ କ୍ରିୟାପାଇଁ ପ୍ରେରିତ କରୁଛି ବୋଲି ଏବେ ଏକ ବିଶ୍ୱସ୍ତରୀୟ ଅଧ୍ୟୟନରୁ ଜଣାପଡ଼ିଛି । ଏହି କାରଣରୁ ଧର୍ଷଣ, ବଳାତ୍କାର ସଂଖ୍ୟା ମଧ୍ୟ ବଢ଼ୁଛି ଏବଂ ଝିଅ ପିଲାମାନେ ଏବେ ତାଙ୍କ ଗୋସେଇଁ ମା’ଙ୍କ ଦେଢ଼ ବର୍ଷ ଆଗରୁ ପୁଷ୍ପବତୀ ହେଉଛନ୍ତି । ଅନେକ ଯୁବକ ଯୁବତୀ ଡେରିରେ ବିବାହ କରୁଥିବାଯୋଗୁଁ ଶୃଙ୍ଖଳିତ ଯୌନ ଜୀବନର ସମୟସୀମା ବଢ଼ିବାରେ ଲାଗିଛି । ଗର୍ଭ

ବିକଳ୍ପ ବିଶ୍ୱ ୧୫୭