ପୃଷ୍ଠା:Bikalpa Biswa.pdf/୧୬୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଯୌନଜୀବନ ଶିକ୍ଷା କାହିଁକି ?

ବିଶିଷ୍ଟ ଶିକ୍ଷାବିତ୍, ମନୋବୈଜ୍ଞାନିକ ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ନୀତିକୁ ଖାତିର ନ କରି ଓଡ଼ିଶାର ସ୍କୁଲ୍ କଲେଜରେ ପଢ଼ୁଥିବା ଯୁବବର୍ଗକୁ ଯୌନ ଶିକ୍ଷାରୁ ବଞ୍ଚିତ କରିବା ଦୁର୍ଭାଗ୍ୟଜନକ । କ୍ଷୀପ୍ର ଗତିବିଶିଷ୍ଟ ଓ ଉଡ଼ିବାପାଇଁ ଅସମର୍ଥ ଆଫ୍ରିକୀୟ ଓଟପକ୍ଷୀ ବା ଅଷ୍ଟ୍ରିଚ୍ ମରୁଭୂମିରେ ଝଡ଼ ବତାସକୁ ଅସ୍ୱୀକାର କରିବାପାଇଁ ବାଲିରେ ମୁଣ୍ଡ ପୋତିିଦିଏ । ତେଣୁ ‘ଅପ୍ରିୟ ସତ୍ୟ’ର ସମ୍ମୁଖୀନ ହେବାପାଇଁ ଅନିଚ୍ଛୁକ ବ୍ୟକ୍ତିଙ୍କୁ ଓଟପକ୍ଷୀର ଏପରି ବ୍ୟବହାର ସହ ତୁଳନା କରାଯାଇଥାଏ । ଯୌନ ଶିକ୍ଷା ସମ୍ପର୍କରେ ଆମର ଆଚରଣ ଅଳ୍ପେ ଅଧିକେ ସେହିପରି । ଜଗତୀକରଣ, ଅତ୍ୟଧିକ ଯୌନ ଉଦ୍ଧୀପକ ଚଳଚ୍ଚିତ୍ର, ଅଶ୍ଲୀଳ ପୁସ୍ତକ ଏବଂ ସଙ୍ଗୀତ, କାନ୍ଥବାଡ଼ରେ କାମୋଦ୍ଦୀପକ ପୋଷ୍ଟର, ଉଲଗ୍ନତାର ବ୍ୟବସାୟୀକରଣ, ଗଣମାଧ୍ୟମ ଓ ଇଣ୍ଟରନେଟ୍‌ର ଅପବ୍ୟବହାର ଆମ ଦେଶ ଓ ରାଜ୍ୟରେ ଯେଉଁ ଯୌନ ଉତ୍ତେଜନାର ଝଡ଼ ସୃଷ୍ଟି କଲେଣି, ଯୌନ ଶିକ୍ଷାର ଆବଶ୍ୟକତାକୁ ପ୍ରତ୍ୟାଖ୍ୟାନ ବା ଅସ୍ୱୀକାର କରିବା - ଏହାର ଉତ୍ତର ନୁହେଁ । ବରଂ ଏହି ଝଡ଼ର କୁ-ପ୍ରଭାବରୁ ଆମ ପିଲାମାନଙ୍କୁ ରକ୍ଷା କରିବାକୁ ହେଲେ ଅଧିକ ଶିକ୍ଷାର ଆବଶ୍ୟକତା ରହିଛି ।

ବୋଧହୁଏ, ଯୌନଶିକ୍ଷାକୁ ‘ରତିଶିକ୍ଷା’ ବୋଲି ବୁଝାଯାଉଛି । ତେଣୁ ଏ ସମ୍ପର୍କରେ ଅଭିଭାବକମାନଙ୍କ ମନରେ ଆଶଙ୍କା ଉପୁଜିବା ସ୍ୱାଭାବିକ । ଶିକ୍ଷା ଜଗତରେ ମଧ୍ୟ ଏ ବିଷୟରେ ସଙ୍କୋଚ ରହିଛି, କାରଣ ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀ ନିଜେ ଏ ବିଷୟରେ ଶିକ୍ଷା ବା ତାଲିମ ପାଇନାହାନ୍ତି । ରାଜନୀତିଜ୍ଞମାନଙ୍କପାଇଁ ଏହା ଏକ ଅସ୍ପୃଶ୍ୟ ବିଷୟ । ଫଳରେ ସରଳମତି କିଶୋର-କିଶୋରୀ ‘ଯୌନ ଅଶିକ୍ଷା’ର ଶିକାର ହେଉଛନ୍ତି । ଅଜ୍ଞତାର ଅନ୍ଧକାର ଭିତରେ ପଥହରା ହେଉଛନ୍ତି । ଏହି ଅଜ୍ଞତା ହେତୁ ଆଦି ଶଙ୍କରାଚାର୍ଯ୍ୟଙ୍କୁ ଯୌନ ଜ୍ଞାନ ନିପୁଣା ଉଭୟ ଭାରତୀଙ୍କଠାରୁ ପରାଜୟ ସ୍ୱୀକାର କରିବାକୁ

ବିକଳ୍ପ ବିଶ୍ୱ ୧୬୩