ପୃଷ୍ଠା:Bikalpa Biswa.pdf/୧୬୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଡ଼ିଥିଲା । ପରାସ୍ତ ଶଙ୍କରାଚାର୍ଯ୍ୟ ଅନ୍ୟ ଏକ ଶରୀରରେ ପ୍ରବେଶ କରି ଯୌନ ଶିକ୍ଷା ଗ୍ରହଣ କରିଥିଲେ ବୋଲି ପ୍ରବାଦ ରହିଛି । ଯେପରି ଜଣେ ଅନ୍ଧ ଆଉ ଜଣେ ଅନ୍ଧକୁ ବାଟ ବତାଇ ପାରନ୍ତି ନାହିଁ, ସେହିପରି ଜଣେ ଅଜ୍ଞ ବ୍ୟକ୍ତି ଆଉ ଜଣେ ଅଜ୍ଞ ବ୍ୟକ୍ତିଙ୍କୁ ଶିକ୍ଷା ଦେଇ ପାରିବେ ନାହିଁ । ତେଣୁ ସେକ୍ସୋଲଜି ବା ଯୌନବିଜ୍ଞାନ ବିଷୟରେ ସାରା ପୃଥିବୀରେ ଗବେଷଣା ଚାଲିଛି । ସ୍ତ୍ରୀ ପୁରୁଷ ଲିଙ୍ଗ ଚିହ୍ନ ନିର୍ଦ୍ଧାରଣ ଓ ସଂଜ୍ଞା, ଯୌନ ଆକର୍ଷଣ, ବିବାହ, କ୍ରୋମୋଜମ୍, ସନ୍ତାନ ସନ୍ତତି ପ୍ରଜନନ, ଯୌନ ପ୍ରବୃତ୍ତି, ଯୌନ ଶୋଷଣ, ଲିଙ୍ଗ-ଭିତ୍ତିକ ବିଭେଦ, ଲିଙ୍ଗ ପରିବର୍ତ୍ତନ ଏବଂ ସର୍ବୋପରି ଶୃଙ୍ଖଳିତ ଯୌନଜୀବନ ସମ୍ପର୍କରେ ଆମର ଶିକ୍ଷକ-ଶିକ୍ଷୟିତ୍ରୀମାନେ ଅଧିକ ଜାଣିବା ଦରକାର । ସେହିପରି ଅଭିଭାବକମାନେ ମଧ୍ୟ ଏ ବିଷୟରେ ତାଲିମ ନେବା ଆବଶ୍ୟକ । ଯୌନ ଶିକ୍ଷା ପ୍ରକୃତରେ ଯୌନ ସ୍ୱାସ୍ଥ୍ୟ ଓ ଯୌନ ଜୀବନ ସମ୍ପର୍କରେ ଶିକ୍ଷା ।

ପ୍ରାୟ ୧୦ ରୁ ୧୨ ବର୍ଷ ଭିତରେ ଝିଅ ପୁଅଙ୍କର ଯୌନ-ଜୀବନ ଆରମ୍ଭ ହୁଏ ଓ ସେମାନେ ପ୍ରଥମ ଯୌବନାବସ୍ଥାରେ ପ୍ରବେଶ କରିଥାନ୍ତି । ଝିଅଙ୍କର ମାସିକ ଋତୁ ଓ ପୁଅଙ୍କର ଶରୀରରେ ଶୁକ୍ରାଣୁ ସୃଷ୍ଟି ଏହି ସମୟରେ ହୁଏ । ଏହା ସହ ଶୈଶବ ଜୀବନ ସମାପ୍ତ ହୁଏ । ଭିନ୍ନ ଭିନ୍ନ ସମାଜ ଓ ସଂସ୍କୃତି ଏହାକୁ ବିଭିନ୍ନ ଭାବରେ ସ୍ୱୀକାର କରିଥାନ୍ତି । ଆଗେ ଓଡ଼ିଶା ଓ ପୂର୍ବାଞ୍ଚଳ ରାଜ୍ୟମାନଙ୍କରେ କୁମାରୀମାନଙ୍କର ପ୍ରଥମ ଯୌବନ ପ୍ରାପ୍ତିକୁ ବାଜା ବଜାଇ ସ୍ୱାଗତ କରାଯାଉଥିଲା । ଆଦିବାସୀ ସମାଜରେ ଧାଙ୍ଗଡା ଓ ଧାଙ୍ଗଡୀମାନେ ଏହି ସମୟଠାରୁ ବାହାଘର ପର୍ଯ୍ୟନ୍ତ ସ୍ୱତନ୍ତ୍ର ‘ଡର୍ମିଟରି’ରେ ସ୍ୱାଧୀନ ଭାବରେ ରହିବାର ବ୍ୟବସ୍ଥା କରାଯାଏ । ଆଫ୍ରିକା ଓ କେତେକ ଆରବ ଦେଶରେ ଯୋନି ପରଦା ଓ ଲିଙ୍ଗାଗ୍ର ଚର୍ମ ଛେଦନ କରାଯାଇଥାଏ । ନାକ, କାନ ଫୋଡ଼ି, କମକୁଟି, ଗୋଟିଏ ଦାନ୍ତ ଉପାଡ଼ି ଦେଇ କେତେକ ସମାଜରେ ପ୍ରଥମ ଯୌବନକୁ ସ୍ୱାଗତ କରାଯାଇଥାଏ । ଏହାପରେ ଝିଅ ପିଲାଙ୍କୁ ଘର ବାହାରକୁ ଯିବାକୁ ଅନୁମତି ଦିଆଯାଏ ନାହିଁ । ତେଣୁ ଓଡ଼ିଶାରେ ‘ପ୍ୟୁବର୍ଟି’ର ଅନ୍ୟ ନାମ ଥିଲା ‘ଘରେ ରହିଲା’ ବା ‘ଗୃହଯୋଗ୍ୟା’ ହେଲା । ଏହାପରେ ବିବାହ ଜରିଆରେ ସମାଜ ସ୍ୱୀକୃତ ଜୀବନପାଇଁ ବର ଖୋଜା ଆରମ୍ଭ ହେଉଥିଲା ।

ଏବେ ସେ ପରିସ୍ଥିତି ବା ପରିବେଶ ନାହିଁ । କୃଷିଭିତ୍ତିକ ସମାଜ ଦୁର୍ବଳ ହୋଇ ପଡ଼ିଲାଣି । କୋଟି କୋଟି ଯୁବକ ଯୁବତୀ ପେଟପାଟଣାପାଇଁ ଘରଛାଡ଼ି ବାହାରେ ବୁଲୁଛନ୍ତି । ଶିଳ୍ପାୟନ ଓ ସହରୀ ସଭ୍ୟତା ବ୍ୟାପିବା ଫଳରେ ଜୀବନଧାରଣ ପ୍ରଣାଳୀ ବି ବଦଳି ଗଲାଣି । ଇଣ୍ଟରନେଟ୍ ଓ ସୂଚନା ବିପ୍ଳବଦ୍ୱାରା ଦେଶମାନଙ୍କର ସୀମାରେଖା ଲିଭି ଯାଉଛି । ବିଦେଶୀ ସଂସ୍କୃତି ଓ ବିଶେଷ କରି ଯୌନ ଆଚରଣ ଆମ ପିଲାମାନଙ୍କୁ

୧୬୪ ବିକଳ୍ପ ବିଶ୍ୱ