ପୃଷ୍ଠା:Bikalpa Biswa.pdf/୧୬୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପ୍ରଭାବିତ କରୁଛି । ଯୌନ ଆଚରଣର ୩ଟି ଧାରା ହେଲା - ପ୍ରୋକ୍ରିଏସନାଲ୍ ସେକ୍ସ (ସନ୍ତାନ ସନ୍ତତିପାଇଁ), ରିକ୍ରିଏସନାଲ୍ ସେକ୍ସ (କେବଳ ଆନନ୍ଦ ପାଇଁ) ଓ ରିଲେସନାଲ ସେକ୍ସ (ସମ୍ପର୍କପାଇଁ) । ଏହି ତିନୋଟି ମଧ୍ୟରୁ ଏବେ ରିକ୍ରିଏସନାଲ୍ ବା କେବଳ ଆନନ୍ଦପାଇଁ ସେକ୍ସକୁ ପ୍ରାଧାନ୍ୟ ଦିଆଯାଉଛି । ଇଂରାଜୀରେ ଏହାକୁ କୁହାଯାଉଛି ‘ଫନ୍’ । ତେଣୁ ଆଜିର ସମାଜକୁ ଏବଂ ଆମର ଯୁବପିଢ଼ିକୁ ଏଭଳି “ଫନ୍’ ଅପସଂସ୍କୃତିରୁ ରକ୍ଷା କରିବାକୁ ହେଲେ ଯୌନ ଜୀବନ ଶିକ୍ଷା ଅତ୍ୟନ୍ତ ଜରୁରୀ । ପ୍ରଥମ କାମ ହେଲା ଯୌନ-ଅଜ୍ଞାନତା ଓ ଅନ୍ଧବିଶ୍ୱାସ ଦୂର କରିବା । କାରଣ ଏହା ସହ ଆମର ଅନେକ ସାମାଜିକ ବିଶ୍ୱାସ ଓ ଆଚରଣ ଜଡ଼ିତ । ଉଦାହରଣ ସ୍ୱରୂପ ଅନେକଙ୍କୁ ଜଣା ନାହିଁ ଯେ ୪୬ କ୍ରୋମୋଜମ୍ ଭିତରୁ ମାତ୍ର ଏକ ହଳ ଶରୀରର ଲିଙ୍ଗ ନିର୍ଣ୍ଣୟ କରନ୍ତି । ଏଥିରେ ଜନକ ବା ଜନନୀଙ୍କର କୌଣସି ନିୟନ୍ତ୍ରଣ ବା ଭୂମିକା ନଥାଏ । କିନ୍ତୁ ପୁତ୍ର ସନ୍ତାନ ଜନ୍ମ ନ କରିପାରିବାର ବୋଝ ଜନନୀଙ୍କ ମୁଣ୍ଡରେ ଲଦି ଦିଆଯାଏ । ଲିଙ୍ଗ ଭିତ୍ତିରେ ସ୍ତ୍ରୀ ଲୋକଙ୍କ ସମ୍ବନ୍ଧରେ ଏଭଳି ବହୁ ପ୍ରତିକୂଳ ଓ ବିଭେଦମୂଳକ ବିଚାର ସମାଜରେ ରହିଛି । ସେହିପରି ପରସ୍ପର ଶରୀର ସମ୍ପର୍କରେ ଅଜ୍ଞତା ହେତୁ ସ୍ତ୍ରୀଙ୍କର ପୁରୁଷ ବିଷୟରେ ଓ ପୁରୁଷଙ୍କର ସ୍ତ୍ରୀ ବିଷୟରେ ଅଦ୍ଭୁତ ଧାରଣାମାନ ଥାଏ । ମାସିକ ଋତୁ, ଶୁକ୍ରାଣୁ, ସ୍ତନ ଓ ଲିଙ୍ଗର ଆକାର, ଗର୍ଭଧାରଣ, ନିଶ, ଦାଢ଼ି, ମୁଖବ୍ରଣ, ବୟସ, ଛଉ ଇତ୍ୟାଦି ବିଷୟରେ କୌଣସି ସ୍ପଷ୍ଟ ଧାରଣା ନଥାଏ । ଶରୀରର ସ୍ୱାଭାବିକ ପରିବର୍ତ୍ତନକୁ ଅସ୍ୱାଭାବିକ ବୋଲି ଚିତ୍ରିତ କରି କୋମଳମତି ବାଳକ ବାଳିକାଙ୍କୁ ବିବ୍ରତ କରାଯାଏ । ଯୌନ ରୋଗ ବିଷୟରେ ଏହି ଅଜ୍ଞାନତା ସବୁଠାରୁ ବେଶି ।

ତେଣୁ ଆମ ପିଲାଏ ଯେପରି ସଚେତନତା ସହ ସ୍ୱାଭାବିକ ଓ ସୁସ୍ଥ ଯୌନ ଜୀବନ ଯାପନ କରିପାରିବେ - ସେଥିପାଇଁ ଶିକ୍ଷକ, ଅଭିଭାବକ ଓ ସମାଜର ସ୍ୱତନ୍ତ୍ର ଦାୟିତ୍ୱ ରହିଛି । ଯୌନ ସ୍ୱାସ୍ଥ୍ୟ ରକ୍ଷା ବିଷୟରେ ଶିକ୍ଷା ଦେଲେ ପିଲାଏ ଉଚ୍ଛୃଙ୍ଖଳିତ ନ ହୋଇ ଶୃଙ୍ଖଳିତ ହେବେ । ବିପଦରୁ ନିଜକୁ ରକ୍ଷା କରିପାରିବେ, ବିପଦ ବିଷୟରେ ସତର୍କ ରହିବେ, ଦାୟିତ୍ୱହୀନ ଯୌନ ସମ୍ପର୍କଠାରୁ ଦୂରରେ ରହିବେ, ଉତ୍ତମ ବୈବାହିକ ଜୀବନପାଇଁ ନିଜକୁ ପ୍ରସ୍ତୁତ କରିପାରିବେ ଏବଂ ସର୍ବୋପରି ନିଜ ପିଲାଙ୍କପାଇଁ ପ୍ରଥମ ଯୌନ-ଶିକ୍ଷକ ଶିକ୍ଷୟିତ୍ରୀ ଭାବରେ କାମ କରିପାରିବେ । ଏହିସବୁ କଥାକୁ ବିଚାର କରି ଯୌନ ସ୍ୱାସ୍ଥ୍ୟ ଶିକ୍ଷାକୁ ୫ ଭାଗରେ ବିଭକ୍ତ କରାଯାଇଥାଏ । ୧) ସାମାଜିକ ଓ ବ୍ୟକ୍ତିଗତ ନୈତିକତାକୁ ଆଖି ଆଗରେ ରଖି ସୁଖ, ଶାନ୍ତି ଓ ଆନନ୍ଦ

ବିକଳ୍ପ ବିଶ୍ୱ ୧୬୫