ପୃଷ୍ଠା:Bikalpa Biswa.pdf/୧୬୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାଇଁ ଯୌନ ଆଚରଣକୁ ଶୃଙ୍ଖଳିତ ଓ ବିପଦମୁକ୍ତ ରଖିବା । ୨) ପବିତ୍ର ଯୌନ ସମ୍ପର୍କକୁ ଅଜ୍ଞାନତା, ଭୟ, ପ୍ରବଞ୍ଚନା, ଅନ୍ଧବିଶ୍ୱାସ, ପାପ ଓ ଦୋଷୀ ମନୋବୃତ୍ତିରୁ ମୁକ୍ତ ରଖିବା, ସକାରାତ୍ମକ ରୂପ ଦେବା, ଶିକ୍ଷାର ଅଙ୍ଗ କରିବା । ୩) ଯୌନ ଓ ପ୍ରଜନନ କ୍ରିୟାକୁ ଶାରୀରିକ ଅସୁସ୍ଥତା, ରୋଗ ଓ ବିପଦରୁ ରକ୍ଷା କରିବା, ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସେହି ଅନୁସାରେ ସଜାଡ଼ିବା । ୪) ସ୍ତ୍ରୀ ପୁରୁଷ ଯୌନ ସମ୍ପର୍କକୁ ସମ୍ମାନ ଓ ସ୍ୱୀକୃତି ଦେବା, ଦୀର୍ଘସ୍ଥାୟୀ ଓ ଦୀର୍ଘ ଜୀବନ ଦେବା, ପରିବାର ସମାଜ ଓ ଦେଶର କଲ୍ୟାଣ ସହ ଯୋଡ଼ିବା । ୫) କୈଶୋର ଅବସ୍ଥାରେ ଯୌନ ସମ୍ପର୍କର କୁପରିଣାମ ସମ୍ପର୍କରେ ପିଲାମାନଙ୍କୁ ସୂଚନା ଦେବା, ସତର୍କ କରାଇବା, ବ୍ରହ୍ମଚର୍ଯ୍ୟ ବ୍ରତପାଇଁ ଉତ୍ସାହିତ କରିବା, ସୁରକ୍ଷିତ ସମ୍ପର୍କପାଇଁ ଆବଶ୍ୟକ ଜ୍ଞାନ କୌଶଳ ଦେବା ।

ଅନେକ ଉନ୍ନତ ଓ ପ୍ରଗତିଶୀଳ ଦେଶରେ ଯୌନ ଶିକ୍ଷାକୁ ଜୀବନ-କୌଶଳ ଶିକ୍ଷା ଭାବରେ ଗ୍ରହଣ କରାଯାଉଛି । ଆଜିର ଯୁବବର୍ଗ ଜୀବନ ସଂଗ୍ରାମରେ ଅନେକ ଆହ୍ୱାନର ସମ୍ମୁଖୀନ ହେଉଛନ୍ତି । ଛୋଟ ପରିବାରରେ ବଢ଼ିବା, ସମବୟସ୍କ ପିଲାମାନଙ୍କ ସହିତ ତୀବ୍ର ପ୍ରତିଯୋଗିତା, କ୍ୟାରିଅର୍ ଚିନ୍ତା, ବିଳମ୍ବ ବିବାହ ଓ ତା’ପୂର୍ବରୁ ଲମ୍ବା ଯୌନ ଜୀବନକୁ ଶୃଙ୍ଖଳିତ ରଖିବାପାଇଁ ଯୌନ ଶିକ୍ଷା ପିଲାମାନଙ୍କପାଇଁ ବରଦାନ ସଦୃଶ କାମ କରେ । ପୃଥିବୀର ଯେଉଁ ଯେଉଁ ଦେଶରେ ଯୌନ ସ୍ୱାସ୍ଥ୍ୟ ଓ ଯୌନ ଜୀବନ ସମ୍ପର୍କରେ ଆବଶ୍ୟକୀୟ ସୂଚନା, ସତ୍ୟ, ତଥ୍ୟ ଓ ତାଲିମ ଦିଆଯାଉଛି, ସେ ସବୁଠାରେ ପରିଣାମ ଶୁଭଙ୍କର ହୋଇଛି । ସବୁ ଦେଶରେ, ସବୁ ସମାଜରେ ପିଲାମାନେ ନିଜ ଶରୀର ଓ ଯୌନ ଜୀବନ ସମ୍ପର୍କରେ ଅଧିକ ଜାଣିବାକୁ ଚାହାନ୍ତି ଓ ଏହି ଜ୍ଞାନର ଅଭାବରେ ଯୌନ ଅଜ୍ଞାନତା ଓ ଯୌନ କୁଶିକ୍ଷାଦ୍ୱାରା ପ୍ରଭାବିତ ହୁଅନ୍ତି । ଏପରି କୁଶିକ୍ଷା ଓ କୁସଙ୍ଗରୁ ସେମାନଙ୍କୁ ରକ୍ଷା କରିବାପାଇଁ ଆବଶ୍ୟକ ଯୌନ-ସ୍ୱାସ୍ଥ୍ୟ-ଶିକ୍ଷା ଓ ନିରାପଦ ଯୌନ ଜୀବନଯାପନ ପ୍ରଣାଳୀ ଓ କୌଶଳ ।

୧୨ ଜୁଲାଇ, ୨୦୦୭’

୧୬୬ ବିକଳ୍ପ ବିଶ୍ୱ