ପୃଷ୍ଠା:Bikalpa Biswa.pdf/୧୬୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ହେ ପ୍ରଭୁ! ଏମାନଙ୍କୁ କ୍ଷମାକର

ଦୁଇହଜାର ସାତ ମସିହା ଜୁଲାଇ ମାସ ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ସିନେଟ୍‌ରେ ଏକ ଐତିହାସିକ ଘଟଣା ଅନେକଙ୍କୁ ଚକିତ ଓ ଅଳ୍ପ କେତେକଙ୍କୁ ବ୍ୟସ୍ତ ବିବ୍ରତ କରିଛି । ସେଦିନ ସକାଳ ଅଧିବେଶନର ବାଚସ୍ପତି ଶ୍ରୀ ବବ୍ କେସି ଅଧିବେଶନ ଆରମ୍ଭ ହେବା ପୂର୍ବରୁ ନେଭାଡା ରାଜ୍ୟର ରେନୋ ସହରର ଅଧିବାସୀ ହିନ୍ଦୁ ଧର୍ମଯାଜକ ଓ ପୁରୋହିତ ଶ୍ରୀଯୁକ୍ତ ରାଜନ୍ ଜେଦ୍‌ଙ୍କୁ ବୈିଦିକ ପ୍ରାର୍ଥନା କରିବାକୁ ଆମନ୍ତ୍ରଣ ଜଣାଇଥିଲେ । ମଥାରେ ତିଳକ, ଗଳାରେ ରୁଦ୍ରାକ୍ଷମାଳା ଓ ପୀତବସ୍ତ୍ର ପରିଧାନ କରି ପଣ୍ଡିତ ରାଜନ୍ ସିନେଟରମାନଙ୍କୁ ଆହ୍ୱାନ ଦେଇ କହିଲେ : “ଆସନ୍ତୁ ଆମେ ସମସ୍ତେ ସାରା ବିଶ୍ୱ ବ୍ରହ୍ମାଣ୍ଡ, ଆକାଶ, ପାତାଳ ଓ ଆମ ସମସ୍ତଙ୍କ ହୃଦୟାଧିପତି ପରମବ୍ରହ୍ମ ସତ୍ୟ ସନାତନଙ୍କୁ ଧ୍ୟାନ କରିବା । ସେ ଆମକୁ ଅସତ୍ୟରୁ ସତ୍ୟକୁ, ଅନ୍ଧାରରୁ ଆଲୋକକୁ ଏବଂ ମୃତ୍ୟୁରୁ ଅମରତ୍ୱ ପ୍ରାପ୍ତିପାଇଁ ବାଟ ଦେଖାନ୍ତୁ । ଆମ ସମସ୍ତଙ୍କୁ ଶକ୍ତି ସୁରକ୍ଷା ସମୃଦ୍ଧି ପ୍ରଦାନ କରନ୍ତୁ, ମିଳିମିଶି ରହିବା ଓ କାମ କରିବାର ପ୍ରେରଣା ଦିଅନ୍ତୁ, ମାନବ ଜୀବନ ଜ୍ଞାନ ଓ ଧ୍ୟାନାଲୋକରେ ପ୍ରଜ୍ୱଳିତ ହେଉ” ।

ଋଗ୍-ବେଦ ଓ ଭଗବତ୍ ଗୀତାର ଏହି ମହାନ୍ ବାଣୀ ସିନେଟରମାନେ ଆଗ୍ରହର ସହ ଶୁଣୁଥିବା ବେଳେ ସେଠାରେ ଉପସ୍ଥିତ ୩ ଜଣ କଠୋରପନ୍ଥୀ ଖ୍ରୀଷ୍ଟିୟାନ୍ ଏହାର ପ୍ରତିବାଦ କରି ଉଚ୍ଚ ସ୍ୱରରେ କହିବାକୁ ଆରମ୍ଭ କଲେ - “ହେ ଯୀଶୁ, ଏପରି ଖଳ ଜଘନ୍ୟ, ମିଥ୍ୟା ଓ ଅନିଷ୍ଟକର ପ୍ରାର୍ଥନାପାଇଁ ଅନୁମତି ଦେଇଥିବାରୁ ସିନେଟ୍ ଓ ଦେଶକୁ କ୍ଷମା କରନ୍ତୁ । ଆପଣ ଜଗତର ଏକମାତ୍ର ଈଶ୍ୱର, ଆମେ ଆଉ କୌଣସି ଧର୍ମ ବା ଈଶ୍ୱରଙ୍କୁ ଘୃଣା ଓ ପ୍ରତ୍ୟାଖ୍ୟାନ କରୁଛୁ !” ଗୃହର ଗରିମା ଓ ଶୃଙ୍ଖଳା ରକ୍ଷାପାଇଁ ସିନେଟ୍ର ବବ୍ କେସି ମାର୍ଶାଲମାନଙ୍କ ସାହାଯ୍ୟରେ ପ୍ରତିବାଦୀ ଆନ୍ତେ ପାଭ୍କୋଭି, କାଥି

ବିକଳ୍ପ ବିଶ୍ୱ ୧୬୭