ପୃଷ୍ଠା:Bikalpa Biswa.pdf/୧୬୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପାଭ୍କୋଭି ଓ କ୍ରିଷ୍ଟେନ୍ ସୁଗାରଙ୍କୁ ବହିଷ୍କାର କରି ଦେଇଥିଲେ । ଖ୍ରୀଷ୍ଟିୟାନ୍ ଐତିହାସିକ ଡେଭିଡ୍ ବାର୍ଟନ୍, ପ୍ରତିବାଦୀମାନଙ୍କୁ ସମର୍ଥନ କରି କହିଛନ୍ତି ଯେ “ବହୁ ଈଶ୍ୱରବାଦୀ” ହିନ୍ଦୁ ଧର୍ମ ସହ ଏକେଶ୍ୱରବାଦୀ ଖ୍ରୀଷ୍ଟିୟାନିଟିର ବିରୋଧ ରହିଛି । ଅଜ୍ଞ ଓ ଅନଭିଜ୍ଞ ଡେଭିଡ୍ ବାର୍ଟନ୍ ଅଦୈତ ବେଦାନ୍ତ ପଢ଼ିନାହାନ୍ତି ବା “ଏକଂ ସଦ୍‌ବିପ୍ରା ବହୁଧା ବଦନ୍ତି” - ଈଶ୍ୱର ଏକ, କିନ୍ତୁ ଧର୍ମଯାଜକମାନେ ତାଙ୍କୁ ବିଭିନ୍ନ ଭାବ ଓ ରୂପରେ ଉପସ୍ଥାପନା କରିଥାନ୍ତି - ଏହି ପ୍ରସିଦ୍ଧ ଶାସ୍ତ୍ରୀୟ ଉକ୍ତି ସମ୍ପର୍କରେ ଜାଣିନାହାନ୍ତି । ହେ ଯୀଶୁ, ତାଙ୍କୁ କ୍ଷମା କରିିଅନ୍ତୁ ! ସୁଖର କଥା ବହୁ ଧର୍ମ ଓ ସଂସ୍କୃତିର ଦେଶ ଆମେରିକାର ସାଧାରଣ ଜନତା ଏହି ପ୍ରତିବାଦକୁ ସମର୍ଥନ କରି ନାହାନ୍ତି । ବରଂ ଚର୍ଚ୍ଚ ଓ ରାଷ୍ଟ୍ରକୁ ଅଲଗା ରଖିବାପାଇଁ ଆନ୍ଦୋଳନ ଚଳାଉଥିବା ସଂସ୍ଥାମାନେ ଏହି ଘଟଣାର ନିନ୍ଦା କରିଛନ୍ତି ।

ଧାର୍ମିକ ଅସହିଷ୍ଣୁତା କେବଳ ଗୋଟିଏ ଧର୍ମରେ ସୀମିତ ନୁହେଁ । ସିଆ-ସୁନ୍ନୀ-ଅହମଦିଆ, ଶିଖ-ନିରଙ୍କାରୀ-ସଚ୍ଚା-ସୌଦା, କାଥଲିକ୍-ପ୍ରୋଟେଷ୍ଟାଣ୍ଟ - ପ୍ରତ୍ୟେକ ଧର୍ମ ବିଭିନ୍ନ ଦଳରେ ବିଭକ୍ତ । ହିନ୍ଦୁମାନଙ୍କ ମଧ୍ୟରେ ଧର୍ମଭିତ୍ତିକ ଗୋଷ୍ଠୀ ଅନେକ । ଆମେରିକାର ଅନେକ ହିନ୍ଦୁ ମନ୍ଦିରର ବେଦି ଉପରେ ଏକା ସାଙ୍ଗରେ ଭାରତର ବିଭିନ୍ନ ଅଞ୍ଚଳର ସ୍ଥାନାଧିପତି ଦେବଦେବୀମାନଙ୍କୁ ବସାଇ ପୂଜା କରାଯାଉଥିବାରୁ, ଅନେକ ଆମେରିକୀୟଙ୍କ ଧାରଣା ଯେ ହିନ୍ଦୁ ଧର୍ମରେ ଭଗବାନ ବା ଈଶ୍ୱର ଅନେକ । ଜିମ୍ବାୱେର ହାରାରେ ନଗରୀରେ ଭାରତର ବିଭିନ୍ନ ଅଞ୍ଚଳରୁ ଯାଇଥିବା ହିନ୍ଦୁମାନେ ଏହି ଆଞ୍ଚଳିକ ବିବାଦ ଓ ବିରୋଧାଭାସର ସମାଧାନ କରିବାପାଇଁ ମନ୍ଦିରରେ କେବଳ ‘ଓମ୍’ର ପୂଜା କରନ୍ତି । ମୁଁ ନିଜେ ଏହି ମନ୍ଦିର ଦେଖି ଆସିଛି । ଓଡ଼ିଶାରେ ଗୋଟିଏ ନୁହେଁ, ବହୁ କେରଡାଗଡ ଅଛି, ଯେଉଁଠି ମନ୍ଦିର କେତେକ ନିର୍ଦ୍ଦିଷ୍ଟ ଜାତିଙ୍କପାଇଁ ଉନ୍ମୁକ୍ତ । ଶ୍ରୀ ଜଗନ୍ନାଥଙ୍କୁ ଏବେ ବି ଜଗତର ନାଥ ପରିବର୍ତ୍ତେ ରକ୍ଷଣଶୀଳ ହିନ୍ଦୁନାଥ ଭଳି ରଖାଯାଇଛି । ଶ୍ରୀୟା ଚଣ୍ଡାଳୁଣୀ, ଦାସିଆ ବାଉରୀ, ଭକ୍ତ ସାଲବେଗଙ୍କ ବଂଶଧରଙ୍କର ମନ୍ଦିର ପ୍ରବେଶ ଅଧିକାର ନାହିଁ । ରାଷ୍ଟ୍ରପିତା ମହାତ୍ମା ଗାନ୍ଧି, ଆଚାର୍ଯ୍ୟ ବିନୋବା ସିଂହଦ୍ୱାରଠାରୁ ଫେରି ଯାଇଛନ୍ତି, ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, କାଶ୍ମୀର ବ୍ରାହ୍ମଣ ଓ ପଣ୍ଡିତ ପରିବାରର କନ୍ୟା ଶ୍ରୀମତୀ ଇନ୍ଦିରା ଗାନ୍ଧି ଶ୍ରୀମନ୍ଦିରରେ ପ୍ରବେଶ କରିପାରି ନାହାନ୍ତି । ଘରେ ଘରେ ଗୁରୁବାର ମାଣବସା ଚାଲିଛି, ଲକ୍ଷ୍ମୀପୁରାଣ ପଢ଼ା ହେଉଛି, କିନ୍ତୁ ଜାତିପ୍ରଥା ବିରୁଦ୍ଧରେ ଲଢ଼ି ଲାଞ୍ଛିତ ଲକ୍ଷ୍ମୀ ଠାକୁରାଣୀଙ୍କ ସଂଗ୍ରାମ ସରିନାହିଁ । ହିନ୍ଦୁ ଧର୍ମ ଶତଧା ବିଭକ୍ତ ହୋଇ ରହିଛି ।

୧୬୮ ବିକଳ୍ପ ବିଶ୍ୱ