ପୃଷ୍ଠା:Bikalpa Biswa.pdf/୧୬୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେହିପରି ଇସ୍‌ଲାମ୍ ଜଗତକୁ ମୈାଳବାଦୀ ଓ ଆତଙ୍କବାଦୀମାନେ ଆଚ୍ଛାଦିତ କରି ରଖିଛନ୍ତି । ଧର୍ମଯୁଦ୍ଧ ନାମରେ ନରହତ୍ୟା ଜାରି ରହିଛି । ଉଦାରବାଦୀ ମୁସଲମାନଙ୍କ ସ୍ୱର ଶିଥିଳ ଓ ଦୁର୍ବଳ ହୋଇଗଲାଣି । କେବଳ ଜଣେ ଇସ୍‌ଲାମୀ ମାର୍ଟିନ୍ ଲୁଥର୍ କିଙ୍ଗ୍ ହିଁ ଏ ଅବସ୍ଥାରେ ପରିବର୍ତ୍ତନ ଆଣିପାରିବେ ବୋଲି ଆଶା କରାଯାଉଛି । ଏବେ ଖ୍ରୀଷ୍ଟିୟାନ୍‌ଙ୍କ ଧର୍ମଗୁରୁ ଷୋଡ଼ଶ ପୋପ୍ ବେନେଡିକ୍ଟ କହିଲେଣି ଅର୍ଥୋଡକ୍ସ ଚର୍ଚ୍ଚ ଓ ବିଭିନ୍ନ ଚର୍ଚ୍ଚ ଗ୍ରୁପ୍ ଦୋଷ ତ୍ରୁଟିପୂର୍ଣ୍ଣ, କାରଣ ପ୍ରାର୍ଥନା ପଦ୍ଧତି ଠିକ୍ ନୁହେଁ । ଏବେ ପ୍ରାର୍ଥନା ଲାଟିନ୍ ଭାଷାରେ ନ ହୋଇ ଆଞ୍ଚଳିକ ଭାଷାରେ ହେଉଛି, ଗିଟାର ବାଜୁଛି; ତାଙ୍କ ମତରେ ଏହା ଧର୍ମ ବିରୋଧୀ । କେରଳ ସମେତ ପୃଥିବୀର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ପ୍ରୋଟେଷ୍ଟାଣ୍ଟମାନେ ଏହାର ପ୍ରତିବାଦ କଲେଣି । ଯେଉଁ କାଥଲିକ୍ ଗ୍ରୁପ୍ ପ୍ରାର୍ଥନା ଓ ରୀତିନୀତିରେ ସଂସ୍କାର ଓ ପରିବର୍ତ୍ତନପାଇଁ ୩୦ ବର୍ଷ ହେଲା ସଂଗ୍ରାମ ଚଳାଇଛନ୍ତି, ସେମାନେ ଭାଟିକାନ୍ ଓ ପୋପ୍‌ଙ୍କର ବିଭିନ୍ନ ରକ୍ଷଣଶୀଳ ଉକ୍ତିଦ୍ୱାରା ଅସନ୍ତୁଷ୍ଟ ଅଛନ୍ତି ।

ଧର୍ମକୁ ରାଜନୀତିରୁ ଅଲଗା ରଖିବାକୁ ବିଭିନ୍ନ ଦେଶରେ ଆନ୍ଦୋଳନ ଚାଲିଥିବା ବେଳେ, ଭାରତରେ ଧର୍ମ ପରିବର୍ତ୍ତନ ରାଜନୀତିଦ୍ୱାରା ପ୍ରଭାବିତ ହେଉଛି । ଏକ ପକ୍ଷରେ ଗୁରୁ ଗୋବିନ୍ଦ ସିଂଙ୍କ ଭଳି ପୋଷାକ ପରିଧାନ କରିଥିବାରୁ ଜଣେ ଧର୍ମଗୁରୁ ଓ ତାଙ୍କ ପନ୍ଥୀ ଲୋକଙ୍କୁ ହଇରାଣ ହରକତ କରାଯାଉଛି, ଅନ୍ୟ ପକ୍ଷରେ ରାମଲୀଳା, କୃଷ୍ଣଲୀଳାରେ ସ୍ୱୟଂ ଈଶ୍ୱରଙ୍କ ପୋଷାକ ପିନ୍ଧି ଅଭିନୟ କରୁଥିବା କଳାକାରମାନଙ୍କୁ ଦର୍ଶକମାନେ କରତାଳି ଦେଇ ସ୍ୱାଗତ କରୁଛନ୍ତି । ଭାରତୀୟ ଉପମହାଦେଶର ଦୁଇଜଣ ପ୍ରସିଦ୍ଧ ଲେଖକ ଓ ଲେଖିକା - ସଲମନ୍ ରସ୍‌ଦି ଓ ତସଲିମା ନସ୍ରିନ୍‌ଙ୍କ ମୁଣ୍ଡ ଉପରେ ଅସହିଷ୍ଣୁ ମୁଲ୍ଲାଙ୍କର ଫତୁଆ ଖଣ୍ଡା ଝୁଲୁଛି । ଅନାମଧେୟ ପତ୍ରିକାରେ ଅନାମଧେୟ କଳାକାରଙ୍କ କାର୍ଟୁନ୍ ପ୍ରତିବାଦରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ପ୍ରତିବାଦ ଓ ପୁତ୍ତଳିକା ଦାହ କରୁଛନ୍ତି । ମହାକବି କାଳିଦାସଙ୍କ “କଜ୍ୱଳ ପୂରିତ ଲୋଚନ ଧାରେ, ସ୍ତନଯୁଗ ଶୋଭିତ ମୁକୁତାହାରେ” ପ୍ରତି ସରସ୍ୱତୀ ପୂଜାରେ ବୋଲା ଯାଉଥିବା ବେଳେ, ଏମ୍ ଏଫ୍ ହୁସେନ୍ ଏବେ କେତେ ଦେବଦେବୀଙ୍କର ରୂପର ପେଣ୍ଟିଂ କରି ଅତି ବୃଦ୍ଧ ବୟସରେ କଚେରି ଦଉଡ଼ୁଛନ୍ତି । କ୍ରିକେଟ୍‌ରେ ହାରି ଯାଉଥିବା ଲୋକପ୍ରିୟ ଖେଳାଳିଙ୍କ ଘରେ ନିଆଁ ଲଗାଇ ଦିଆଯାଉଛି । କ୍ରଶ୍, ବୁର୍ଖା, କୃପାଣ, ପଗଡ଼ି, ଦାଢ଼ି, ଚୁଟି, ତିଳକ ନେଇ ବିଶ୍ୱର ବିଭିନ୍ନ ଅଞ୍ଚଳରେ ଉତ୍ତେଜନା ଓ ଉନ୍ମାଦନା ବଢ଼ିବାରେ ଲାଗିଛି । ଭାରତୀୟ ପାର୍ଲାମେଣ୍ଟକୁ ନିର୍ବାଚିତ ଜଣେ ଏମ୍.ପି, କୃପାଣ ସହ ଲୋକସଭାରେ ପଶିବାପାଇଁ ଜିଦ୍ କରି ୫ ବର୍ଷ କାଳ ପାର୍ଲାମେଣ୍ଟ ବାହାରେ ରହିଲେ । କଙ୍ଗି ଓ କୃପାଣ

ବିକଳ୍ପ ବିଶ୍ୱ ୧୬୯